ଉଦ୍ଧାର ହେଲା ବିରଳ ଧଳା ସାପ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ତା’ର ସମ୍ପୂର୍ଣ୍ଣ ଶରୀର ଧଳା ହୋଇଥିବା ବେଳେ ସାପଟିର ଲମ୍ବ ୧ ଫୁଟ। ସାପ ସମ୍ପର୍କରେ ଖବର ପାଇ ବାଲିସୁଆଁ ଗାଁ’ର ଯୁବକ ତପନ ଜେନା କୌତୂହଳବଶତଃ ସାପଟି କେଉଁ ପ୍ରଜାତିର ଜାଣିବା ପାଇଁ ଏହାକୁ ଏକ ଡବାରେ ସାଇତି ରଖିଥିଲେ। ପରେ ସେ ସାପର ପ୍ରଜାତି ଜାଣିବାକୁ ସାପର ଏକ ଫଟୋ ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ।

ଶୁଭେନ୍ଦୁଙ୍କ କହିବା ମୁତାବକ, ଧଳା ଶରୀର ଓ କଳା ରଙ୍ଗର ଆଖି ଥିବା ଏହି ସାପଟି ହେଉଛି ଏକ ଲିଉସିଷ୍ଟିକ ଚିତି। ‌ସାପଟିକୁ ଚିହ୍ନଟ ପରେ ସେ ସେଠାକାର ସ୍ନେକ୍‌ ହେଲ୍‌ପଲାଇନ୍‌ ସଦସ୍ୟ ନଳିନୀ ପ୍ରସାଦ ଦାସଙ୍କୁ ପଠାଇଥିଲେ। ନଳିନୀ ସାପଟିକୁ ଉଦ୍ଧାର କରି ଆଣି ୧୦ କିଲୋମିଟର ଦୂରରେ ତା’ର ପ୍ରାକୃତିକ ଆବସସ୍ଥଳୀରେ ଛାଡ଼ି ଦେଇଥିଲେ। ଶୁଭେନ୍ଦୁଙ୍କ କହିବା ମୁତାବକ, ଗତ ଜୁଲାଇ ୭ ତାରିଖରେ ମଧ୍ୟ ସେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରୁ ଏକ ଲିଉସିଷ୍ଟିକ ଚିତି ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର