ଧଉଳିରୁ ଫେରୁଥିବା ବେଳେ ଦୁର୍ଘଟଣା ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌, ଯୁବତୀ ମୃତ

ପୁରୁଣା ଭୁବନେଶ୍ୱର: ଧଉଳିରୁ ବୁଲି ଫେରିବା ବେଳେ ସାମନ୍ତରାପୁର ଛକଠାରେ ଏକ ଦୁର୍ଘଟଣାର ଶିକାର ଜଣେ ଯୁବତୀଙ୍କ ମୁଣ୍ଡ ଉପରେ ଏକ ପିକଅପ୍‌ ଭ୍ୟାନ୍‌ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ମୃତ ଯୁବତୀ ଜଣକ ହେଲା ଭଦ୍ରକ ତିହିଡ଼ି ଥାନା ଅଧୀନ ମାଧପୁର ଗ୍ରାମର ଶୁଭଶ୍ରୀ ନାୟକ (୨୩)। ସେ ମଞ୍ଚେଶ୍ୱର ସତ୍ୟବିହାରରେ କିଛି ଦିନ ହେଲା ନିଜ ଭଉଣୀ ପାଖରେ ରହୁଥିଲେ। ପୁଲିସ ସୂଚନା ଅନୁଯାୟୀ ଆଜି ଶୁଭଶ୍ରୀ ତାଙ୍କ ବଡ଼ ଭଉଣୀର ଦିଅର ଦେବାଶିଷଙ୍କ ସହ ତାଙ୍କ ବାଇକ୍‌ (ଓଡି୦୨ଏଜି୨୪୯୬)ରେ ଧଉଳି ବୁଲି ଫେରୁଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟାରେ ସେ ସାମନ୍ତରାପୁର ଚେକ୍‌ ଗେଟ୍‌ ନିକଟରେ ପହଞ୍ଚିଥିବା ବେଳେ ଏକ ଅଜଣା ୪୦୭ ମିନିଟ୍ରକ୍‌କୁ ଓଭରଟେକ୍‌ କରୁଥିଲେ। ତେବେ ମିନିଟ୍ରକ୍‌ଟି ଡାହାଣକୁ ସାଇଡ୍‌ ମାରିବାରୁ ବାଇକ୍‌ ଚାଳକ ବ୍ରେକ୍‌ ମାରିଥିଲେ। ଆଉ ଶୁଭଶ୍ରୀ ବାଇକ୍‌ରୁ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ପଛପଟୁ ଆସୁଥିବା ଏକ ଅଜଣା ପିକଅପ୍‌ ଭ୍ୟାନ୍‌ ଶୁଭଶ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଏହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍‌ସକୁ ଡାକି ଶୁଭଶ୍ରୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିି କରିଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର