ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ସମାରୋହ

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସାରଳା ଦାସ ସମ୍ମାନ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ସାରଳା ଆର୍ଟ ଏକାଡେମି ଟ୍ରଷ୍ଟ ପକ୍ଷରୁ ‘୨୨ତମ ସାରଳା ଦାସ ସମ୍ମାନ ସମାରୋହ’ ଗତ ଶୁକ୍ରବାର ସ୍ଥାନୀୟ ଭଂଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସମାଜସେବୀ ଡ. ସୁରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି, ସାରଳା ସାହିତ୍ୟ ଓ ସଂସ୍କୃତି ଗବେଷକ ଶରତ ଦାସ ମୁଖ୍ୟବକ୍ତା ଓ ରାଜ୍ୟ ସଂସ୍କୃତି ସଂଯୋଜକ ବାସୁଦେବ ମାଳବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିକବିଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମର୍ଯ୍ୟାଦାଜନକ ସାରଳା ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ସାହିତ୍ୟ, କଳା, ସଂସ୍କୃତି ଓ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ଚଳଚ୍ଚିତ୍ର ସଂପାଦକ ଅଶୋକ ଶର୍ମା, ଅଭିନେତା ଶଙ୍କର ବସୁମଲ୍ଲିକ ଓ ରବି ତ୍ରିପାଠୀ, ସଂଗୀତ ନିର୍ଦ୍ଦେଶକ ସୁବାସ ରାମ, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଂଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର୍‌ ପ୍ରମୁଖଙ୍କୁ ସାରଳା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ପବିତ୍ର ପଟ୍ଟନାୟକଙ୍କୁ ସାରଳା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେହିପରି ମ୍ୟୁଜିକ୍‌ ଭିଡିଓ ‘ଛାଡ଼ିକି ପାରିବି ତୋତେ’ ପାଇଁ ନାୟିକା ସଂଗୀତା ପାତ୍ର ଏବଂ ନାୟକ ମଣ୍ଟୁଙ୍କୁ ସାରଳା ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଓ ଅନୁଷ୍କାର ବିଶ୍ବାଳଙ୍କୁ କଳିଙ୍ଗ କନ୍ୟାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଅଭିନେତ୍ରୀ କଳ୍ପନା ସାମଲ ଅନୁଷ୍କାରଙ୍କୁ ପୁରସ୍କାରସ୍ବରୂପ ଟ୍ରଫି ପ୍ରଦାନ କରିଥିଲେ। ଏହାବ୍ୟତୀତ ଭଗତ ସିଂହ ଯୁବସଂଘର ସଂପାଦକ ଆଶିଷ ଅନୁରାଗଙ୍କୁ ସାରଳା ସେବା ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ବିଶ୍ବଜିତ୍‌ ସାମନ୍ତରାୟ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ନବାଗତ ନାୟକ ଦେବାନନ୍ଦ ବେହେରା ଏବଂ ଚଳଚ୍ଚିତ୍ର ପ୍ରଯୋଜକ ସତ୍ୟଜିତ୍‌ ତ୍ରିପାଠୀଙ୍କୁ ସାରଳା ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଏକାଡେମିର ପ୍ରାଣ ପ୍ରତିଷ୍ଠାତା ତଥା ଆବାହକ ଅଶୋକ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର