‘ବୟସ୍କଙ୍କୁ ସହାୟତା ନୁହେଁ, ସହଯୋଗ ଲୋଡ଼ା’

ଉତ୍କଳ ବିଶ୍ବବିଦ୍ୟାଳରେ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସମାଜବିଜ୍ଞାନ ଏବଂ ନୃତତ୍ତ୍ୱ ବିଭାଗ ପକ୍ଷରୁ ବାଣୀବିହାରସ୍ଥିତ ସ୍ନାତକୋତ୍ତର ପରିଷଦ ସଭାଗୃହରେ ‘ବୟସ୍କ ଓ ବହିର୍ଭୁକ୍ତୀକରଣ: ଅନ୍ତର୍ଭୁକ୍ତୀକରଣ ପଥେ ଅଗ୍ରସର’ ଶୀର୍ଷକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ କହିଲେ, ବୟସ୍କମାନେ ଅଲୋଡ଼ା ନୁହନ୍ତି। ସେମାନଙ୍କୁ ସହାୟତା ବଦଳରେ ସହଯୋଗ ଲୋଡ଼ା। ମୁଖ୍ୟବକ୍ତା କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ଅନ୍ନପୂର୍ଣ୍ଣା ପାଣ୍ଡେ କହିଲେ, ଆଜିର ଯୁବପିଢ଼ି ବୟସ୍କଙ୍କ ସହ ମିଶି ତାଙ୍କର ଏକଲାପଣକୁ ଦୂର କରିବା ଆବଶ୍ୟକ। ପିଜି କାଉନସିଲ୍‌ ଚେୟାରମ୍ୟାନ୍‌ ଦୁର୍ଗାଶଙ୍କର ପଟ୍ଟନାୟକ, ବିଶ୍ବବ୍ୟାଙ୍କ-ଓଏଚ୍‌ଇପିଇଇର ସଂଯୋଜକ ନିଗମାନନ୍ଦ ଦାସ ଯୋଗଦେଇ ପିତାମାତାଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ।

ଏସ୍‌ଏଫ୍‌ସି ନିର୍ଦ୍ଦେଶକ ନବନୀତା ରଥ ସ୍ବାଗତ ଭାଷଣ ଓ ନୃତତ୍ତ୍ବ ବିଭାଗ ମୁଖ୍ୟ କାହ୍ନୁଚରଣ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ସମାଜ ବିଜ୍ଞାନ ଆସୋସିଏଟ୍‌ ପ୍ରଫେସର ରବୀନ୍ଦ୍ର ଗରଡ଼ା ଅଧ୍ୟକ୍ଷତା କରିଥିଲେ। କିଟ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ମୋନାଲିସା ବଳ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ପ୍ରସନ୍ନ ପାତ୍ର, ପ୍ରଫେସର୍‌ ସୁରେଶ ଚନ୍ଦ୍ର ମୁର୍ମୁ, ପ୍ରଫେସର୍‌ ପ୍ରିୟଙ୍କା ଖୁରାନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର