ପୁଣି ଥରେ କୋର୍ଟକୁ ଗଲା ଏକାଡେମି ପୁରସ୍କାର ବିବାଦ, ସଭାପତି ଓ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ କୋ‌ର୍ଟକୁ ଗଲା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ବିବାଦ। ମଞ୍ଚ ନିର୍ଦ୍ଦେଶକ ହରେନ୍‌ ସାହୁଙ୍କୁ ନାଟ୍ୟ ନିର୍ଦ୍ଦେଶନା ‌କ୍ଷେତ୍ରରେ ଏକାଡେମି ପୁରସ୍କାର ପ୍ରଦାନ ଘଟଣାକୁ କେନ୍ଦ୍ର କରି ମଞ୍ଚ ନିର୍ଦ୍ଦେଶକ ପ୍ରୀତିରଞ୍ଜନ ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି କୋର୍ଟ ତାଙ୍କର ପ୍ରଥମ ଶୁଣାଣିରେ ଏକା‌ଡେମି ପୁରସ୍କାରରେ ଅନିୟମିତତା ପାଇଁ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଓ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୭ ଦିନ ଭିତରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଏ ବର୍ଷର ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଏକାଡେମି ପୁରସ୍କାର ପାଇଁ କାର୍ଯ୍ୟକାରୀ ପରିଷଦ ପ୍ରୀତିରଞ୍ଜନ ମିଶ୍ରଙ୍କୁ ମନୋନୀତ କରିଥିଲେ। କିନ୍ତୁ ସାଧାରଣ ପରିଷଦରେ ପ୍ରୀତିରଞ୍ଜନଙ୍କ ନାମକୁ ବାଦ୍‌ ଦେଇ ମଞ୍ଚ ନିର୍ଦ୍ଦେଶକ ହରେନ୍‌ ସାହୁଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏକାଡେମି ପୁରସ୍କାର ଘୋଷଣା ପରେ ଏନେଇ ବିବାଦ ମୁଣ୍ଡ ଟେକି ଥିବା ବେଳେ କାର୍ଯ୍ୟକାରୀ ପରିଷଦ ଦ୍ବାରା ମନୋନୀତ ନାମ ଯଦିଓ ସାଧାରଣ ପରିଷଦରେ କାଟ୍‌ ଖାଉଛି, ତେବେ କେଉଁ ଆଧାରରେ ଏହା କାଟ୍‌ ଖାଉଛି, ତାହା ସ୍ପଷ୍ଟ କରାଯାଉନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଥିଲା।

ଏହା ଭିତରେ ସଂସ୍କୃତି ବିଭାଗ ଭଞ୍ଜ କଳା ମଣ୍ଡପଠାରେ ଗତ ୧୩ ତାରିଖ ଦିନ ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ’ର ଆୟୋଜନ କରି ଗତ ୨ ବର୍ଷ ପାଇଁ ଏକାଡେମି ପୁରସ୍କାର ପ୍ରଦାନ କରିସାରିଛି। ବର୍ତ୍ତମାନ ମାମଲା କୋର୍ଟକୁ ଯାଇଥିବାରୁ ପୁରସ୍କାରର ଭବିଷ୍ୟତ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପ୍ରକାଶ ଥାଉ କି, ୨୦୧୬ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ପରେ ମୁଣ୍ଡ ଟେକିଥିବା ବିବାଦ ଏବେ ବି ଭୁବନେଶ୍ବର କୋର୍ଟରେ ଗଡ଼ୁଛି। ମଞ୍ଚ ନିର୍ଦ୍ଦେଶନା କ୍ଷେତ୍ରରେ ଏକାଡେମି ପୁରସ୍କାରରେ ଅନିୟମିତତା ପାଇଁ ମଞ୍ଚ ନିର୍ଦ୍ଦେଶକ ରମେଶ ମହାନ୍ତି ସେତେବେଳେ କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର