ପୁଣି ବାଜିଲା ସ୍କୁଲ୍‌ ଘଣ୍ଟି, ରାଜଧାନୀରେ ୫୦% ଉପସ୍ଥାନ

ଭୁବନେଶ୍ବର: ପୂର୍ବାହ୍ନ ୧୦ଟାରେ ଖୋଲିବାକୁ ଥିଲା ସ୍କୁଲ। ତେବେ ଏହାର ବହୁ ପୂର୍ବରୁ ଛାତ୍ରଛାତ୍ରୀ ସ୍କୁଲ କ୍ୟାମ୍ପସରେ ପହଞ୍ଚି ସାରିଥିଲେ। କରୋନା କଟକଣା ଭିତରେ କାନ୍ଧରେ ବ୍ୟାଗ୍‌ ପକାଇ ସେମାନେ କ୍ଲାସରୁମ୍‌କୁ ପ୍ରବେଶ କରିଥିଲେ। ସ୍କୁଲ ଫାଟକ ନିକଟରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତକୁ ବିଶୋଧନ କରାଯାଇଥିଲା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପିଲାଙ୍କୁ ସ୍କୁଲ ଭିତରକୁ ପାଛୋଟି ନେଇଥିଲେ। କରୋନାକୁ ନେଇ ପିଲାଙ୍କ ମନରେ ଭୟ ଥିଲେ ମଧ୍ୟ ୧୦ଟାରେ ସ୍କୁଲ ଘଣ୍ଟି ବାଜିବା ପରେ ସବୁ ଆଶଙ୍କାକୁ ପା‌ସୋରି ସେମାନେ କ୍ଲାସରେ ବସି ପଢ଼ିଥିଲେ।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଥିବା ୬୦ଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ବର ବ୍ଲକର ୨୨ଟି ବିଦ୍ୟାଳୟ ସମେତ ସମସ୍ତ ବେସରକାରୀ ସ୍କୁଲଗୁଡ଼ିକ ମଧ୍ୟ ଆଜିଠୁ ଖୋଲିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହୋଇଛି। ପ୍ରଥମ ଦିନ ହୋଇଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଗୁଆ ସତର୍କତା ଅବଲମ୍ବନ କରିଥିଲେ। ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। କ୍ଲାସରୁମ୍‌ରେ ବହୁ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବସାଇବାକୁ ନିର୍ଦେଶ ଥିବାରୁ ଅଧିକ ସ୍କୁଲ ତାହାକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଗୋଟିଏ ବେଞ୍ଚରେ ୪ଜଣ ବସୁଥିବା ବେଳେ ଆଜି ମାତ୍ର ୨ ଜଣ ବସିଥିଲେ। ବେଞ୍ଚ ବେଞ୍ଚ ମଧ୍ୟରେ ପ୍ରାୟ ୪ ଫୁଟ୍‌ର ଦୂରତା ରଖାଯାଇଥିଲା। ଯେଉଁ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି, ସେଠାରେ ଏକାଧିକ କ୍ଲାସରୁମ୍‌ରେ ସେମାନଙ୍କୁ ବସାଯାଇଥିଲା। ରାଜଧାନୀର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ୫୦% ଛୁଇଁଥିବା ସୂଚନା ମିଳିଛି।

ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜେସନ
ବିଦ୍ୟାଳୟକୁ ପ୍ରବେଶ ସମୟରେ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ଜଣଙ୍କ ପରେ ଜଣେ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଥିଲା। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଏବଂ ଶ୍ରେଶୀ ଗୃହଗୁଡ଼ିକରେ ସିଟ୍‌କୁ ସଠିକ୍ ଦୂରତାରେ ରଖାଯାଇ ପାଠପଢ଼ା ହୋଇଥିଲା। କେତେକ ସ୍କୁଲ କର୍ତୃପକ୍ଷ କ୍ୟାମ୍ପସକୁ ଫୁଲରେ ସଜେଇବା ସହ ପିଲାଙ୍କୁ ପାଛୋଟି ନେବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ। କେଉଁ କ୍ୟାମ୍ପସରେ ପିଲାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା ତ ଆଉ କେଉଁଠି ଚକଲେଟ୍‌ ଦିଆଯାଇଥିଲା। ପିଲାଙ୍କ ମନରେ ଖୁସି ଭରି ଦେବା ସହ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା।

ବାଲିପାଟଣାରେ ୬ ଶହ ପିଲା ସ୍କୁଲ ଆସିଲେ

ବାଲିପାଟଣା: କୋଭିଡ୍‌ କଟକଣା ଭିତରେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସମଗ୍ର ବ୍ଲକରେ ୬୧୯ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିବା ବେଳେ ୩୦୭ ଜଣ ଛାତ୍ରଛାତ୍ରୀ କଲେଜ ଆସିଥିଲେ। କରୋନା ମାର୍ଗଦର୍ଶିକା ଅନୁସାରେ ଫାଟକ ପାଖରେ ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଓ ହାତରେ ସାନିଟାଇଜର ବ୍ୟବହାର କରିବାକୁ ଦିଆଯାଇଥିଲା। ପୂର୍ବରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତରଫରୁ ଅଭିଭାବକମାନଙ୍କ ସ୍ୱୀକୃତି ଅଣାଯାଇଥିଲା। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହଗୁଡ଼ିକୁ ବିଶୋଧନ କରାଯାଇଥିଲା। ସାମାଜିକ ଦୂରତା ଅନୁସାରେ ପିଲାଙ୍କୁ ବସାଇ ସକାଳ ୧୦ ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ୪ ଟି ପିରିୟଡ଼ର ପାଠପଢା ହୋଇଥିଲା।

ବାଲିପାଟଣା ବ୍ଲକରେ ଅନୁଦାନପ୍ରାପ୍ତ ୨୧ ଓ ଅଣଅନୁଦାନପ୍ରାପ୍ତ ୪ଟି ହାଇସ୍କୁଲ ଅଛି। ସେହିପରି ୩ଟି କଲେଜ ଅଛି। ଦଶମ ଶ୍ରେଣୀର ମୋଟ ପିଲା ସଂଖ୍ୟା ୧୪୫୨ ମଧ୍ୟରୁ ଆଜି ୬୧୯ ଜଣ ସ୍କୁଲ ଆସିଥିଲେ। ବିଇଓ ଶୈଳାଧୀରାଜ ତନୟା ଶତପଥୀ ବିଭିନ୍ନ ସ୍କୁଲ ଗସ୍ତ କରି ପାଠପଢା ଯାଞ୍ଚ କରିଥିଲେ। ସେହିଭଳି ଯୁକ୍ତ ୨ ଶେଷ ବର୍ଷର ମୋଟ ୯୦୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଭିନ୍ନ ବିଭାଗର ୩୦୭ ଜଣ ଛାତ୍ରଛାତ୍ରୀ ଆଜି କଲେଜ ଆସିଥିଲେ।

ଗଡ଼ିଲା ବସ୍‌, ଆସିଲେନି ପିଲା
ଘରୋଇ ବିଦ୍ୟାଳୟଗୁଡ଼ିକ ଆଜିଠାରୁ ବସ୍‌ ଚଳାଚଳ ଆରମ୍ଭ କରିଛନ୍ତି। ‌ତେବେ ସେଥିରେ ଆସିବା ପାଇଁ ପିଲାମାନେ ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ବରଂ ଅଧିକାଂଶ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ନିକଟରେ ଆଣି ଛାଡ଼ୁଥିବା ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା। ଅଳ୍ପ କିଛି ପିଲା ସତର୍କତାର ସହ ବସ୍‌ ଚଢ଼ି ସ୍କୁଲକୁ ଆସିଥିଲେ।

ଖୋଲିଲା ଆଇସୋଲେସନ୍‌ ରୁମ୍‌
ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସହରର ସମସ୍ତ ସ୍କୁଲରେ ଆଇସୋଲେସନ୍ ରୁମ୍‌ର ବ୍ୟବସ୍ଥା ହୋଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ଏହାକୁ କଡ଼ାକଡ଼ି ପାଳନ କରିଛନ୍ତି। ଏହି ରୁମ୍‌ରେ କୋଭିଡ୍‌-୧୯ ମୁକାବିଲା ନେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖାଯାଇଛି। ଅସୁସ୍ଥ ଥିବା କିମ୍ବା ଅନୁଭବ କରୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିବାକୁ ଆଗୁଆ ପରାମର୍ଶ ଦିଆଯାଇଛି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଜଣେ ଡାକ୍ତରଙ୍କ ସମେତ ୪ ଜଣ ନର୍ସ, ୩ଟି ଆଇସୋଲେସନ୍‌ ରୁମ୍‌ କରାଯାଇଛି।

ବୁଲିଲେ ବିଭାଗୀୟ ଅଧିକାରୀ
ସ୍କୁଲ ଖୋଲିବାର ପ୍ରଥମ ଦିନରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଆଜି ବିଭିନ୍ନ ବିଦ୍ୟାଳୟ ‌ବୁଲି ତଦାରଖ କରିଛନ୍ତି। ପିଲାଙ୍କ ସହ ଆଲୋଚନା କରିବା ସହ ଭଲ ମନ୍ଦ ପରଖିଛନ୍ତି। ଓସେପା ଅତିରିକ୍ତ ନିର୍ଦେଶକ ପ୍ରଦୀପ ନାୟକ, ଭୁବନେଶ୍ବର ବ୍ଲକ ଶିକ୍ଷା‌ ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ସମେତ ବ୍ଲକ ଓ କ୍ଲଷ୍ଟରସ୍ତରୀୟ କମିଟିର ସଦସ୍ୟମାନେ ସ୍କୁଲକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ।

 

ସମ୍ବନ୍ଧିତ ଖବର