ଚାକିରି ସରକାରୀ, ନିଶା ଚୋରି

ଚନ୍ଦ୍ରଶେଖରପୁର : ବୟସ ୫୦ ବର୍ଷ। ସରକାରୀ ଚାକିରି ବି କରିଛନ୍ତି। ତାହା ପୁଣି ରାଜ୍ୟ ବିଧାନସଭାରେ। ମାତ୍ର ନିଶା ହେଉଛି ଚୋରି। ବ୍ରାଉନ୍‌ ସୁଗାର ନିଶାରେ ସେ ଏମିତି ବାୟା ହୋଇଯାଇଛନ୍ତି ଯେ ରାତିରେ ଅନ୍ୟମାନଙ୍କ ସହ ମିଶି ଚୋରି କରୁଛନ୍ତି। ଏପରି ଜଣେ ବ୍ୟକ୍ତିଙ୍କୁ ଇନ୍‌ଫୋସିଟି ଥାନା ପୁଲିସ ଆଜି ଅଟକ ରଖିଛି। ସେ ହେଲେ, ୟୁନିଟ୍‌-୯ସ୍ଥିତ ୨ଆର୍‌/୧୦୯ରେ ରହୁଥିବା ଲିଭୋରାମ ପ୍ରଧାନ। ତାଙ୍କ ସହ ପୁଲିସ ଆଉ ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖିଛି। ସେ ହେଲା ସହିଦନଗର ବେଣୁ ବସ୍ତିର ଚିଣ୍ଟୁ ନାୟକ(୨୧)। ଉଭୟଙ୍କୁ ଅଧିକ ପଚରାଉଚରା କରାଯାଉଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ଉଭୟ ରଘୁନାଥପୁର ଛକ ନିକଟ ରିଲାଏନ୍ସ ଫ୍ରେସ୍‌ରୁ ଚୋରି କରୁଥିବା ବେଳେ ସେଠାକାର ସୁରକ୍ଷା କର୍ମୀ ଉଭୟଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ। ପରେ ଏ ନେଇ ଥାନାକୁ ସୂଚନା ଦେଇଥିଲେ। ଅଟକ ଦୁଇଜଣଙ୍କ ମଧ୍ୟରୁ ଲୋଭାରାମ ଜଣେ ସ୍ଥାୟୀ ସରକାରୀ କର୍ମଚାରୀ। ସେ ବିଧାନସଭାରେ କାମ କରନ୍ତି। ଚିଣ୍ଟୁର ଘର ନୟାଗଡ଼ ଶରଣକୁଳ ଗୋଡ଼ିସାହିରେ। ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରେ ବ୍ରାଉନ୍‌ସୁଗାର ଖାଇବା ବେଳେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସେମାନେ ପ୍ରାୟ ବର୍ଷେ ହେବ ବିଭିନ୍ନ ସ୍ଥାନରେ ରାତି ଅଧରେ ଚୋରି କରୁଥିଲେ। ମଙ୍ଗଳବାର ରାତିରେ ସେମାନେ ଜୟଦେବବିହାର ଛକ ନିକଟସ୍ଥ ଏକ ଦୋକାନରୁ ଚୋରି କରିବା ପରେ ଭୋର ପ୍ରାୟ ୪ଟା ବେଳେ ରଘୁନାଥପୁରସ୍ଥିତ ରିଲାଏନ୍‌ସ ଫ୍ରେସ୍‌ରୁ ଚୋରି କରୁଥିଲେ। ନିଶା ଖାଇବା ପାଇଁ ଘରୁ ଟଙ୍କା ମିଳୁ ନଥିବାରୁ ଏପରି ରାସ୍ତା ଆପଣାଇଥିଲେ ଉଭୟ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ପଚରାଉଚରା ପରେ ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହଛି।

ସମ୍ବନ୍ଧିତ ଖବର