ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ଓ ସୋସିଆଲ୍‌ ଏକ୍ସକ୍ଲୁଜନ୍‌ ଆଣ୍ଡ୍‌ ଇନ୍‌କ୍ଲୁସିଭ୍‌ ପଲିସି ଅଧ୍ୟୟନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାବାସାହେବ ଡ. ବି.ଆର୍‌ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଇତିହାସ ବିଭାଗ ସଭା ଗୃହରେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର୍‌ ଅତୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ପ୍ରଫେସର ବିଜୟ କୁମାର ବହିଦାର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସାମାଜିକ ଅଧିକାର, ଜାତିପ୍ରଥା ଉଚ୍ଛେଦ, ନାରୀଶିକ୍ଷା ଓ ଅଧିକାର ସମ୍ପର୍କରେ ଆମ୍ବେଦକରଙ୍କ ମନ୍ତବ୍ୟ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। କେନ୍ଦ୍ରର ନିର୍ଦେଶକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସଭାରେ ଅଧ୍ୟକ୍ଷତା କରିବା ସହ ବକ୍ତବ୍ୟ ରଖିଥିଲେ। ଇତିହାସ ବିଭାଗର ମୁଖ୍ୟ ଡ. ସୋମାରାଣୀ ଚାନ୍ଦ ଅତିଥି ପରିଚୟ ଦେଇଥିଲେ। ଡ. ରବୀନ୍ଦ୍ର କୁମାର ଗରୋଡ଼ା ଧନ୍ୟବାଦ ଦେଇଥିଲେ। ଡ. ଜୟନ୍ତୀ ଦୋରା, ଡ. ମେରି ବାଗେ, ଡ. ଅନାମ ଚରଣ ବେହେରା, ପ୍ରୀତି ପ୍ରିୟଦର୍ଶିନୀ ରାଉତ, ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ, ଡି ସନ୍ତୋଷ ରେଡ୍ଡି, ଅଶୋକ କୁମାର ଭୋଇ, ଡ. ପ୍ରିୟରଂଜନ ଦାଶ, ଡ. ଶିବଶଙ୍କର ମହାନ୍ତି, ଡ. ରମେଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଇଏସ୍‌ଆଇସି କାର୍ଯ୍ୟାଳୟରେ ମହାପରିନିର୍ବାଣ ଦିବସ

ଚନ୍ଦ୍ରଶେଖରପୁର : ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡ. ବିଆର୍‌ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଆଜି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏସ୍‌/ଏସ୍‌ଟି କର୍ମଚାରୀ ଏବଂ ଅଧିକାରୀ ଓ୍ଵଲ୍‌ଫେୟାର୍‌ ଆସୋସିଏସନ୍‌, ଓଡ଼ିଶା ପ୍ରାନ୍ତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଭାଗୀରଥି ନାୟକ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ସମେତ ମିନୁ ସରଦାର, ରାଜେନ୍ଦ୍ର ନାରାୟଣ ମଲ୍ଲିକ, ନିମାଇଁ ହାଁସଦା, ମାନସ ମାଝୀ ପ୍ରପ୍ରୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ ଆଜି ଭାରତରତ୍ନ ବାବା ସାହେବ ଡ. ବି ଆର୍‌ ଆମ୍ବେଦକରଙ୍କ ୬୨ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବାବା ସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟ କାର୍ମିକ ଅଧିକାରୀ ମଂଜୁ ରାୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରେଳପଥର ସମସ୍ତ ମଣ୍ଡଳଗୁଡ଼ିକରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର