ମାଗଣାରେ ଖାଦ୍ୟ ଦେବ ଅନ୍ନପୂର୍ଣ୍ଣା

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଯିବ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଟ୍ରଷ୍ଟକୁ ଲୋକାର୍ପିତ କରିଛନ୍ତି।
ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଏବେ ଭୁବନେଶ୍ବରରେ ଟ୍ରଷ୍ଟ କାମ କରିବାକୁ ଥିବା ବେଳେ ଆଗାମୀ ଦିନରେ ଏହା ସାରା ଓଡ଼ିଶାରେ କାମ କରିବ। ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତରଣ ପାଇଁ ପ୍ରଥମ ବର୍ଷ ପ୍ରାୟ ୪୦ ଲକ୍ଷ ଟଙ୍କା ଦରକାର। ଏଥିପାଇଁ ଓଡ଼ିଶା, ଓଡ଼ିଶା ବାହାରର ଏବଂ ବିଦେଶର କିଛି ବଦାନ୍ୟ ବ୍ୟକ୍ତି ଦାନ କରିଛନ୍ତି। ଆହାର ଯୋଜନା ଯେଉଁ ଲକ୍ଷ୍ୟରେ ଆରମ୍ଭ ହୋଇଥିଲା, ଅପରାଜିତାଙ୍କ ନେତୃତ୍ବରେ ଗଠନ ହୋଇଥିବା ଅନ୍ନପୂର୍ଣ୍ଣା ସେହି ଉଦ୍ଦେଶ୍ୟରେ ହୋଇଛି। ଭୁବନେଶ୍ବରରେ ଏବେ ବିଏମ୍‌ସି ଆହାର ଯୋଜନା ପାଇଁ ଦାତା ଖୋଜୁଥିବା ବେଳେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ ଏହାର ବିକଳ୍ପ ହେବନି ତ! ଏହି ଆଶଙ୍କା ସୃଷ୍ଟି ହେଲାଣି।

ସୂଚନାଯୋଗ୍ୟ ଯେ ୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ଅନ୍ତର୍ଜାତୀୟ ରୋଟାରି ଜିଲ୍ଲା (୩୨୬୨) ଭୁବନେଶ୍ବର, ସୋ ଆମ୍‌ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ୍‌ ଫର୍‌ ଆକ୍ସନ୍, ଆର୍ଟ ଅଫ୍‌ ଲିଭିଙ୍ଗ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠନ ହୋଇଛି। ଆଜିର ଲୋକାର୍ପଣ ଉତ୍ସବରେ ଏହି ସଂସ୍ଥାଗୁଡ଼ିକର ମୁଖ୍ୟ, ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର