ବାଟବଣା ପର୍ଟ୍ୟଟନ ବିକାଶ: କେତେ ଦିନ ଅନ୍ଧାରରେ ରହିବ ଶିଶୁ ଅନନ୍ତ ପୀଠ?

ମହାପୁରୁଷ ଶିଶୁ ଅନନ୍ତଙ୍କ ମହିମା ଅପାର, କେବେ ସରିବ ବିଜୁ ସେତୁ?

ବାଲିପାଟଣା: ରାଜ୍ୟ ସଂସ୍କୃତି ବିଭାଗର ରେକର୍ଡରେ ୩୦୦ ତମ ସ୍ଥାନରେ ରହିଛି ବାଲିପାଟଣାସ୍ଥିତ ସିଦ୍ଧ ମହାପୁରୁଷ ଶିଶୁ ଅନନ୍ତ ପୀଠ। ମାତ୍ର ପର୍ଯ୍ୟଟକଙ୍କ ପାଇଁ ଏହି ପବିତ୍ର ତୀର୍ଥ ଏବେ ବି ଅନ୍ଧାରରେ। ସରକାରୀ ଅବହେଳା କାରଣରୁ ଏହି ପୀଠର ବିକାଶ ହୋଇପାରୁନାହିଁ। ଫଳରେ ବାହାର ପର୍ଯ୍ୟଟକ କ’ଣ, ଓଡ଼ିଶାର ଲୋକେ ମଧ୍ୟ ଏହି ‌କ୍ଷେତ୍ର ବାବଦରେ ବହୁ ମାତ୍ରାରେ ଅଜ୍ଞ ହୋଇ ରହିଛନ୍ତି। ୨୦୦୭ ମସିହାରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ବି ଦୀର୍ଘ ୧୩ ବର୍ଷ ପରେ ଏହାର ବିକାଶ କେବଳ ଯୋଜନାରେ ହିଁ ସୀମିତ ରହିଛି। ଶିଶୁ ଅନନ୍ତଙ୍କ ସମାଧି ପୀଠ, ସଂଯୋଗ ରାସ୍ତା, ତୋରଣ, କୁଶଭଦ୍ରା ନଦୀ ସେତୁ, ଶ୍ରୀମୂର୍ତ୍ତି ଦେବଙ୍କ ମନ୍ଦିର, ସାହାଡ଼ା କୁଞ୍ଜ ଆଦି ବହୁ କ୍ଷେତ୍ରର ବିକାଶ ହୋଇ ପାରିନଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ଅନ୍ଧାରରୁ ମୁକୁଳି ପାରୁନାହିଁ।

ମହାପୁରୁଷ ଶିଶୁ ଅନନ୍ତଙ୍କ ମହିମା ଅପାର
ପଞ୍ଚସଖା ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ମହିମା ଅପାର ବୋଲି କେବଳ ବିଶ୍ବାସ ନୁହେଁ ପ୍ରମାଣ ମଧ୍ୟ ରହିଛି। କିମ୍ବଦନ୍ତୀ ଏବଂ ଜନଶ୍ରୁତିରୁ ଏହି ମହାପୁରୁଷଙ୍କ ମହିମା ସମ୍ପର୍କରେ ଅନେକ ତଥ୍ୟ ମିଳେ। କିମ୍ବଦନ୍ତୀ କୁହେ ୧୪୮୬ ମସିହାରେ ଅନନ୍ତଙ୍କ ଆବିର୍ଭାବ ହୋଇଥିଲା। ଗବେଷକମାନଙ୍କ କହିବା ଅନୁସାରେ ପଟା ମଡାଣ, ଚୁମ୍ବକ ମାଳିକା, କଳିଯୁଗ ମାଳିକା ଭଳି ପୁସ୍ତକ ରଚନା କରି ସେ ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ଦେଇ ଆସୁଥିଲେ। ଶିଶୁ ପ୍ରାଣ ସର୍ବଦା ନିଷ୍ପାପ। ଶିଶୁ ନିକଟରେ ଦୁଃଖ ପ୍ରବେଶ କରିପାରେ ନାହିଁ। ତେଣୁ ମଣିଷ ସର୍ବଦା ନିଜକୁ ଶିଶୁଟିଏ ହୋଇ ରହିବା ଭଳି ଆଚରଣ କରିବାକୁ ସେ ମାନବ ଜାତିକୁ ଦିଗ୍‌ଦର୍ଶନ ଦେଉଥିଲେ। ତାଙ୍କ ମହିମା ଏମିତି ଯେ ଉକ୍ତ ପୀଠରୁ ବାଲି କିମ୍ବା ମାଟି ନେଇ ଘରେ ରଖିଲେ ଶୁଭ ଫଳ ମିଳିବା ସହ ରୋଗ, ଶୋକ ଓ ଭୟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।

ବନ୍ଦ ହୋଇଯାଇଛି ରଥଯାତ୍ରା
କିମ୍ବଦନ୍ତୀ ଅନୁସାରେ ପୁରୀ ଶ୍ରୀମନ୍ଦିର ଅବଢ଼ା ଖଳାରେ ପୂଜା ପାଉଥିଲେ ଶ୍ରୀମୂର୍ତ୍ତି ଦେବ। ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ରାଜା ପ୍ରତାପରୁଦ୍ର ଦେବ ଶିଶୁ ଅନନ୍ତଙ୍କୁ ଦାରୁ ମୂର୍ତ୍ତି ଉପହାର ସ୍ୱରୂପ ଏହି ଶ୍ରୀମୂର୍ତ୍ତି ଦାନ କରିଥିଲେ। ସେହିଦିନଠାରୁ ଶିଶୁ ମଠ ଗ୍ରାମରେ ଶ୍ରୀମୂର୍ତ୍ତି ଦେବ ପତିତପାବନ ମଦନମୋହନଙ୍କ ନାମରେ ପୂଜା ପାଇ ଆସୁଛନ୍ତି। ଏଠାରେ ପୂର୍ବରୁ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ବଡ଼ କଥା ହେଉଛି ଏହି ରଥଯାତ୍ରାରେ ବଙ୍ଗୀୟ ନବାବ୍‌ଙ୍କ କୋଠ ଦେଶର ସିରସ୍ତାଦାର୍‌ ଶେଖ୍‌ ରହିମ୍ମୁଲାଙ୍କ ବହୁ ଅବଦାନ ଥିଲା। ତେଣୁ ଏହି ପବିତ୍ର ପୀଠ ସର୍ବଧର୍ମ ସମନ୍ବୟର ପ୍ରତୀକ ଥିଲା ବୋଲି କଥିତ ଅଛି। କାଳକ୍ରମେ ଏହି ରଥଯାତ୍ରା ବନ୍ଦ ହୋଇ ଯାଇଛି। ରାଜ୍ୟ ସରକାର ଏହି ମନ୍ଦିର ମରାମତି କାମ ହାତକୁ ନେଇଛନ୍ତି। ପାଚେରି ଓ ବେଢା ଭିତର ଚଟାଣ କାର୍ଯ୍ୟ ହୋଇଛି। ହେଲେ ଏବେ ବି ମୁଖ୍ୟ ମନ୍ଦିରର ମୁଣ୍ଡି ମରିପାରିନି।

କେବେ ସରିବ ବିଜୁ ସେତୁ?
କୁଶଭଦ୍ରା ନଦୀରେ ଶିଶୁ ଅନନ୍ତ-ଜୟଦେବ ସଂଯୋଗ ସେତୁ ନିର୍ମାଣ କରାଯାଉଛି। ୧୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି। ୨୦୧୮ ମସିହା ଅଗଷ୍ଟ ୧୮ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ମାତ୍ର ଅବଧି ପୂରି ଯାଇଥିବା ସତ୍ତ୍ବେ କାମ ସରିନାହିଁ। ଅଧିକ ୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲେ ହେଁ ଆହୁରି ଅନେକ କାମ ବାକି ରହିଛି।

ଫଳକରେ ରହିଗଲା ତୋରଣ ନିର୍ମାଣ
୨୦୧୯ ଫେବ୍ରୁଆରି ୨୭ରେ ତତ୍‌କାଳୀନ ଅର୍ଥ ଓ ଅବକାରୀ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶୀଭୂଷଣ ବେହେରା ଶିଶୁ ଅନନ୍ତଙ୍କ ତୋରଣ ନିର୍ମାଣ ଲାଗି ବାଲିପାଟଣା ବଜାର ଛକରେ ଫଳକ ଶିଳାନ୍ୟାସ କରିଥିଲେ। ପୁରୀ, କୋଣାର୍କ, ଚନ୍ଦ୍ରଭାଗା ଓ କାକଟପୁର ମା’ ମଙ୍ଗଳାଙ୍କ ପୀଠକୁ ଯାଉଥିବା ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ ବାଲିପାଟଣା ଦେଇ ଭୁବନେଶ୍ୱର ଫେରନ୍ତି। ହେଲେ ମହାପୁରୁଷ ଶିଶୁ ଅନନ୍ତଙ୍କ ବାବଦରେ ଜାଣି ପାରନ୍ତି ନାହିଁ। ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ତୋରଣ ନିର୍ମାଣ ଜରୁରୀ ଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଉତ୍କଳିକା ଏହି କାର୍ଯ୍ୟ ହାତକୁ ନେଇଥିଲା। ମାତ୍ର ୨ ବର୍ଷ ବିତିବା ପରେ ବି କାମ ଆରମ୍ଭ ହୋଇପାରିଲା ନାହିଁ। କାମ ଆରମ୍ଭ ନ ହେବାରୁ ତୋରଣ ଲାଗି ମଞ୍ଜୁର ହୋଇଥିବା ଅର୍ଥ ପୁଣି ସରକାରଙ୍କ ପାଣ୍ଠିକୁ ଫେରାଇ ନିଆଯାଇଥିଲା। ତେବେ ସୂଚନାନୁସାରେ ଗତ ଡିସେମ୍ବରରେ ପୁଣି ସଂସ୍କୃତି ବିଭାଗ ପାଣ୍ଠିକୁ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଛି। ହେଲେ ୩୫ ଲକ୍ଷ ଟଙ୍କା ସ୍ଥାନରେ ଏବେ ୨୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଅଧାରେ ରହିଛି ସୌନ୍ଦର୍ଯ୍ୟୀକରଣ
ପର୍ଯ୍ୟାୟକ୍ରମେ ପାଚେରି, ଘର, ମଣ୍ଡପ, ଗ୍ୟାଲେରି ପ୍ରଭୃତି କାମ କରାଗଲା। କିନ୍ତୁ ପୀଠର ମୂଳ ତଥା ମୁଖ୍ୟ ଆକର୍ଷଣ ସାହାଡ଼ା କୁଞ୍ଜର ସୌନ୍ଦର୍ଯ୍ୟୀକରଣ ହୋଇପାରିଲା ନାହିଁ। ସେହିଭଳି ଏକ ସଂଗ୍ରହାଳୟ ନିର୍ମାଣ ପାଇ ପାଇଁ ଦାବି ହେବା ସତ୍ତ୍ବେ ସେ ଦିଗରେ କିଛି ପଦ‌କ୍ଷେପ ନିଆଗଲା ନାହିଁ। ସେହିଭଳି ମନ୍ଦିର କାମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର