ସାଇବର ଠକଙ୍କ ଆଉ ଏକ ଚାଲ୍‌: ଫାଦର୍ସ ଡେ’ରେ ବାପାଙ୍କୁ ଟାଟା ସଫାରି ଉପହାର ଦିଅ

ଲୋଭ ଦେଖାଇ ତଥ୍ୟ ଚୋରାଉଛନ୍ତି ଚାଇନିଜ୍ ହ୍ୟାକର୍

ଭୁବନେଶ୍ବର : ଆଗକୁ ଅଛି ଫାଦର୍ସ ଡେ’। ଏହି ଅବସରରେ ବାପାଙ୍କୁ ଟାଟା ସଫାରି କାର୍ ଗିଫ୍ଟ ଆକାରରେ ଦିଅନ୍ତୁ। ତାହା ପୁଣି ବିନା ମୂଲ୍ୟରେ। ଏଥିପାଇଁ କେବଳ ଏହି ଲିଙ୍କ୍‌କୁ ୫ଟି ହ୍ବାଟ୍ସଆପ୍ ଗ୍ରୁପ୍‌ରେ ସେୟାର୍ କରନ୍ତ ଓ କାର୍ ଜିତନ୍ତୁ। ଏହିଭଳି ଲୋଭ ଦେଖାଇ ଚାଇନିଜ୍ ହ୍ୟାକର୍ ଲୋକଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଆରମ୍ଭ କରିଛି। ପୂର୍ବରୁ ମଦର୍ସ ଡେ’, ଭାଲେଣ୍ଟାଇନ୍ସ ଡେ’, ରିପବ୍ଲିକ୍ ଡେ’ ଭଳି ପର୍ବ ଆଳରେ ମଧ୍ୟ ଲୋକଙ୍କ ତଥ୍ୟ ଲୁଟ୍‌ କରିଛନ୍ତି ସାଇବର ଠକ। ଆଉ ଉପହାର ପାଇବା ଲୋଭରେ ଲୋକେ ଲିଙ୍କ୍‌ରେ କ୍ଲିକ୍ କରି ମାଲୱେର୍ ଭାଇରସ୍‌କୁ ନିଜ ଅଜାଣତରେ ମୋବାଇଲ୍‌ରେ ଇନ୍‌ଷ୍ଟଲ୍ କରୁଛନ୍ତି। ଏହି ଭାଇରସ୍ ଚୀନରୁ ସଂଚାଳନ କରାଯାଉଛି। ଏହା ମୋବାଇଲ୍‌ରେ ଇନଷ୍ଟଲ୍ ହେବା ପରେ ମୋବାଇଲ୍‌ରେ ଥିବା ଯୋଗାଯୋଗ ନମ୍ବର, ଫଟୋ, ବ୍ୟାଙ୍କ୍ ତଥ୍ୟ ଆଦି ଚୋରି କରି ନେଉଛି।

ଏହା ପୂର୍ବରୁ ତାଜ୍ ହୋଟେଲରେ ରାତି ବିତାଇବାର ଅଫର୍ ଦେଇ ସାଇବର ଠକ ଏହି ଭଳି ଲୋକଙ୍କଠାରୁ ତଥ୍ୟ ଲୁଟୁଥିଲା। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ତାଜ୍ ହୋଟେଲ୍ କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମରେ ଏଭଳି ଅଫର୍‌କୁ ମିଥ୍ୟା ବୋଲି କହିବା ସହ ଲିଙ୍କ୍‌ରେ କ୍ଲିକ୍ ନ କରିବାକୁ ନିଜ ଆଡ଼ୁ ସଚେତନ କରାଇଥିଲା। ଏନେଇ ଦିଲ୍ଲୀ ସାଇବର ପୁଲିସ୍ ମଧ୍ୟ ଦୁଇଦିନ ତଳେ ବିଜ୍ଞପ୍ତି ଜାରି କରି ସଚେତନ କରାଇଛି। ତେଣୁ ଫାଦର୍ସ ଡେ’ରେ ବାପାଙ୍କୁ ମାଗଣାରେ ଟାଟା ସଫାରି ଦେବା ଲୋଭରେ ପଡ଼ି ଏହି ମାଲୱେର୍ ଲିଙ୍କ୍‌କୁ କ୍ଲିକ୍ ନ କରିବା ଏବଂ ହ୍ବାଟ୍‌ସ୍‌ଆପରେ ସେୟାର ନ କରିବାକୁ ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର