ଗଣ ସାଂସ୍କୃତିକ ମଞ୍ଚର ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଗଣ ସାଂସ୍କୃତିକ ମଞ୍ଚ, ଭୁବନେଶ୍ୱର ଶାଖା ତରଫରୁ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମାଜଧର୍ମୀ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ କରାଯାଇଥିଲା। ମଞ୍ଚ ତରଫରୁ ସାହିତ୍ୟିକ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ଉନ୍ମୋଚନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପତ୍ରିକାର ସମ୍ପାଦକ ରାଜେନ୍ଦ୍ର ବର୍ମାଙ୍କ ସଭାପତିତ୍ୱରେ ବିଶିଷ୍ଟ କବି ଓ ଲେଖକ ନିରାକାର ଦାସ, ସୁନ୍ଦରଗଡ଼ ‘କଳାୟତନ’ ଚାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶୀତଲ କୁମାର ମହାପାତ୍ର, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟକ କଳାର କିଛି ସାମାଜିକ ଦାୟବଦ୍ଧତା ରହିଛି। ଶିଳ୍ପୀ ଏହି ଦାୟବଦ୍ଧତାକୁ କେଉଁ ରୂପରେ ପ୍ରକାଶିତ କରିବ ତାହା ତାର ସୃଜନଶୀଳତା ବୋଲି ଉପସ୍ଥିତ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ କବି ଅମରେଶ ବିଶ୍ୱାଳ, ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ୍‌ ଯୋଗଦେଇ କହିଥିଲେ ଯେ ସାହିତ୍ୟ କିପରି ମଣିଷର ସ୍ନେହ, ପ୍ରେମ, କ୍ଷୋଭ, ତିତୀକ୍ଷା, ରାଗ, ଅଭିମାନ ଆଦି ବିଭିନ୍ନ ସୁକୁମାର ବୃତ୍ତିଗୁଡ଼ିକୁ ଅତ୍ୟନ୍ତ ସୃଜନଶୀଳ ଓ ସୁନ୍ଦର ଭାବେ ଭାଷାର ଚାତୁର୍ଯ୍ୟ ଭିତର ଦେଇ ପ୍ରତିଫଳିତ କରେ ବୋଲି ଆଲୋଚନା କରିଥିଲେ।  ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଜ୍ୟୋତିପ୍ରକାଶ ମହାପାତ୍ର ଶିକ୍ଷା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଚିତ୍ରଶିଳ୍ପୀ ତପନ ମହାରାଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗଣ ସାଂସ୍କୃତିକ ମଞ୍ଚର ସଂଗଠିକା ଶୁଭଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ଚିତ୍ର ଓ ସ୍ଥାପତ୍ୟ ପ୍ରଦର୍ଶନୀ କରାଯାଇଥିଲା।

ସମ୍ବନ୍ଧିତ ଖବର