କବି ସୌରୀନ୍ଦ୍ର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି: ଅସିତ ମହାନ୍ତିଙ୍କୁ ‘ସୌରୀନ୍ଦ୍ର ସୃଜନ ସମ୍ମାନ’

ଭୁବନେଶ୍ବର: ଓଡ଼ିଆ କବିତାକୁ ଦୁର୍ବୋଧ୍ୟରୁ ମୁକୁଳାଇ ପାଠକାଭିମୁଖୀ କରିବାରେ କବି ସୌରୀନ୍ଦ୍ର ବାରିକଙ୍କ ଅବଦାନ ଅତୁଳନୀୟ। କବିତା, ଶିଶୁଲେଖା ଓ କଳା ସମୀକ୍ଷଣ‌‌ରେ ସେ ବିପୁଳ ପାଠକୀୟତା ଅର୍ଜନ କରିଥିଲେ। ସେ ମଣିଷପଣିଆକୁ କବି ବ୍ୟକ୍ତିତ୍ବରେ ରୂପାନ୍ତର କରିପାରିଥିଲେ। କବିତାର ସୌନ୍ଦର୍ଯ୍ୟ ତାଙ୍କ ସୃଷ୍ଟିର ବିଶେଷ ଗୁଣ ଓ ଲକ୍ଷଣ। ଆଜି ସୌରୀନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ରେଡକ୍ରସ୍‌ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଥିଲେ। ସଂସଦର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୌରୀନ୍ଦ୍ରଙ୍କ କବିତାରେ ଥିବା ସରଳତା ବାସ୍ତବରେ ଜଟିଳ ବ୍ୟାପାର। ସେହି ସରଳତାକୁ ପ୍ରକାଶ କରିବା କଷ୍ଟକର। ବିଶିଷ୍ଟ ପ୍ରାବନ୍ଧିକ ଅଭିରାମ ଦାସ କହିଲେ, ସାଧାରଣ ମଣିଷ ଜୀବନର ପ୍ରାତ୍ୟହିକତାକୁ କବିତାରେ ଉପସ୍ଥାପନ କରି ସୌରୀନ୍ଦ୍ର ଯେଉଁ ନୂତନ ଧାରା ନିର୍ମାଣ କରିଥିଲେ, ତାହା ଆଜି ବ୍ୟାପକ ଗ୍ରହଣୀୟତା ହାସଲ କରିଛି। ଏହି ଅବସରରେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତିଙ୍କୁ ‘ସୌରୀନ୍ଦ୍ର ସୃଜନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସୃଜନ ଦ୍ବାରା ପ୍ରକାଶିତ ସୌରୀନ୍ଦ୍ରଙ୍କ କବିତା ପୁସ୍ତକ ‘ମହାଗାନ’ ଓ ଜ୍ୟୋତ୍ସ୍ନା ବାରିକଙ୍କ ପୁସ୍ତକ ‘ଜେଜେ ଆସିଥିଲେ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସଂସଦର ସମ୍ପାଦକ ରକ୍ଷକ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଦେବାଶିଷ ମହାପାତ୍ର, ସଂଜୟ ମହାନ୍ତି ଓ ସୁଧୀର ମଉଡ଼ମଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସମେତ ବହୁ କବି, ଲେଖକ, ବୁଦ୍ଧିଜୀବୀ, ପ୍ରକାଶକ ଓ ସୌରୀନ୍ଦ୍ରପ୍ରେମୀ ଯୋଗଦେଇ ସୌରୀନ୍ଦ୍ରଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର