ମହିଳାଙ୍କୁ ଦୁର୍ବ୍ୟବହାରର ପ୍ରତିବାଦ : ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ନିସ୍ତୁକ ମାଡ଼, ୩ ଗିରଫ

ଭୁବନେଶ୍ୱର : ସିନେମା ହଲ୍‌ ଭିତରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ ଆଜି ସଂଧ୍ୟାରେ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ଅନନ୍ତ ସାମନ୍ତରାୟ, ସୁବ୍ରତ ବିଶ୍ବାଳ ଓ ସୌମ୍ୟରଞ୍ଜନ ମହାପାତ୍ର। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ସେହିପରି ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଥିବା ଜଣାପଡ଼ିଲେ, ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ମୁତାବକ, ଦୈନିକ ‘ପ୍ରମେୟ’ର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଶନିବାର ଦିନ ବେଳେ ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ମହାରାଜ ସିନେମା ହଲ୍‌ରେ ସିନେମା ଦେଖୁଥିଲେ। ସେହି ସମୟରେ ହଲ୍‌ରେ ଉପସ୍ଥିତ ଥିବା କିଛି ଅସାମାଜିକ ଯୁବକ ପାଟିତୁଣ୍ଡ, ହୋ-ହଲ୍ଲା କରିବା ସହ ମହିଳାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରୁଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବାରୁ ଦର୍ଶକମାନେ ବିରକ୍ତିଭାବ ପ୍ରକାଶ କରିଥିଲେ। ଏଥିରେ ଅତିଷ୍ଠ ହୋଇ କପିଳେନ୍ଦ୍ର ଏହାର ପ୍ରତିବାଦ କରିବା ସହ ସେମାନଙ୍କୁ ଏପରି ନ କରିବାକୁ ତାଗିଦ୍‌ କରିଥିଲେ। ବାସ୍‌, ଏତିକିରେ‌ ଯୁବକମାନଙ୍କର ରାଗ ପଞ୍ଚମକୁ ଚଢ଼ିଥିଲା। ସେମାନଙ୍କ ମଧ୍ୟରୁ ୫ରୁ ୭ଜଣ ଉତ୍ତ୍ୟକ୍ତ ଯୁବକ ଏକାଠି ହୋଇ କପିଳେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସାମ୍ବାଦିକ ବୋଲି ପରିଚୟ ଦେବାରୁ ସେମାନେ ତାଙ୍କୁ ଅଧିକ ମାଡ଼ ମାରିବା ସହ ତାଙ୍କ ପରିଚୟପତ୍ର ଓ ସେ ପିନ୍ଧିଥିବା ଏକ ସୁନା ଚେନ୍‌ ଲୁଟି ନେଇଥିଲେ। ଏଥିରେ କପିଳେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ପରେ ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଏନେଇ କପିଳେନ୍ଦ୍ର ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଏହାକୁ ହାଲକା ଭାବେ ନେଇଥିଲା। ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ୱ ସମୟ ବିତିଯିବା ପରେ ମଧ୍ୟ କୌଣସି ଅଭିଯୁକ୍ତକୁ ଗିରଫ କରିନଥିଲା। ପୁଲିସର ଏପରି ମନମୁଖୀ କାର୍ଯ୍ୟ ବିରୋଧରେ ସାମ୍ବାଦିକ ସୁରକ୍ଷା ମଞ୍ଚର ୩୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଆଜି ସନ୍ଧ୍ୟାରେ ପୁଲିସ ଡିଜିଙ୍କୁ ଭେଟି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଅଭିଯୁକ୍ତମାନେ ଶାସକ ଦଳର ଗୁଣ୍ଡା ହୋଇଥିବାରୁ ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା। ତେବେ ସାମ୍ବାଦିକମାନଙ୍କ ମଧ୍ୟରେ କ୍ଷୋଭ ବୃଦ୍ଧି ପାଉଥିବା ଦେଖି ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସହିଦନଗର ଥାନାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ତୁରନ୍ତ ଗିରଫ କରାଯି‌ବ ବୋଲି ଡିଜି ସାମ୍ବାଦିକଙ୍କୁ ସୂଚନା ଦେବାର ମାତ୍ର ଅଧଘଣ୍ଟାଏ ପରେ ସହିଦ ନଗର ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର