ଶିକ୍ଷକଙ୍କୁ ଲଣ୍ଡା କରିବା ମାମଲା : ମହିଳା କମିସନ୍‌ଙ୍କ ନିକଟରେ ଅଭିଯୋଗ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ଥାନା ଅଧୀନ ଧୀରିକୁଟି ସାହିରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜେଲ୍ ଯାଇଥିବା ଶିକ୍ଷକଙ୍କ ପତ୍ନୀଙ୍କ ଆଜି ପୁଲିସ କମିସନର୍‌ ଓ ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବସ୍ତିର କିଛି ଲୋକ ତାଙ୍କ ସ୍ବାମୀଙ୍କୁ ଲଣ୍ଡା କରି ଚୁନକାଳି ବୋଳିବା ସହିତ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏହି ଘଟଣରେ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ପୁଲିସ ଗିରଫ କରୁନି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଫଳରେ ଅଭିଯୁକ୍ତମାନେ ତାଙ୍କ ଘରକୁ ଢେଲାପଥର ମାଡ଼ କରିବା ସହିତ ସ୍ଥାନ ଛାଡ଼ି ପଳାଇ ଯିବାକୁ ଧମକ ଦେଉଛନ୍ତି। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ମଧ୍ୟ ପୁଲିସ କାହିଁକି ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାଇରାଲ୍‌ ହୋଇଥିବା ଭିଡିଓ ସିଡି ଦାଖଲ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ବସ୍ତିର ୫ ଜଣଙ୍କୁ ଗିରଫ କରାଯାଇଥିବା ଖବର ପାଇ ବସ୍ତିର କିଛି ମହିଳା ଓ ପୁରୁଷ ରାତିରେ ମଞ୍ଚେଶ୍ବର ଥାନା ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର