ରାଜଧାନୀ ବଜାରରେ ମୁଖାଧାରୀ ଯୁବକଙ୍କ ଆତଙ୍କରାଜ

ଦର ମୂଲଚାଲରୁ ବିବାଦ, ୨ ମୁଖାଧାରୀ ଯୁବକ ଅଟକ

ଭାଙ୍ଗିଲେ ୟୁନିଟ୍‌-୨ର ୩୦ରୁ ୪୦ ଉଠାଦୋକାନ
ଗୋଡ଼ାଇ ଗୋଡ଼ାଇ ପିଟିଲେ
ଦୁଇ ପ୍ଲାଟୁନ ପୁଲିସ ମୁତୟନ
ଭୟରେ ଲୋକମାନେ ଏଣେ ତେଣେ ଦୌଡ଼ିଲେ

ଭୁବନେଶ୍ବର : ରାଜଧାନୀରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ଆଜି ସଂଧ୍ୟାରେ ଏହି ମୁଖା ପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଖେଳାଇଥିଲେ ଭୟର ବାତାବରଣ। ଅଧ ଘଣ୍ଟା ଲାଗି କୋକୁଆ ଭୟ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ। ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏହି ମୁଖାପିନ୍ଧା ଯୁବକମାନେ। ଫଳରେ କେଶରୀ ମଲ ନିକଟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯିଏ ଯୁଆ‌ଡ଼େ ପାରିଲେ, ଦୌଡ଼ିଥିଲେ। ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଉଠା ଦୋକାନୀମାନେ ଦାବି କରିଛନ୍ତି। ଖବର ପାଇ ଅତିରିକ୍ତ ପୁଲିସ କମିସନର ଅନୁପ ସାହୁ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଦୁଇଜଣ ମୁଖା ପିନ୍ଧା ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଗତକାଲି ସଂଧ୍ୟାରେ କେଶରୀ ମଲ ନିକଟରେ ଜଣେ ଘଣ୍ଟା ଦୋକାନୀ ଓ ଯୁବତୀଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କରୁ ଆଜି ଏଭଳି ଏକ ଅଭାବନୀୟ ଘଟଣା ସୃଷ୍ଟି ହୋଇଥିଲା।

ଘଟଣା ଏହିଭଳି: ଗତକାଲି ସଂଧ୍ୟାରେ ୟୁନିଟ୍‌-୪ ଅଞ୍ଚଳର ଜଣେ ଯୁବତୀ ଓ ପୁରୁଷ ବନ୍ଧୁଙ୍କ ସହ ୟୁନିଟ୍‌-୨ ମାର୍କେଟ ବିଲଡିଂ ଆସିଥିଲେ। ମାର୍କେଟିଂ କରିବା ପରେ କେଶରୀ ମଲ ସମ୍ମୁଖରେ ଘଣ୍ଟା ଦୋକାନ କରିଥିବା ଅ ମୋଦ କୁମାର ଶାହାଙ୍କ ଦୋକାନରୁ ଘଣ୍ଟା କିଣିଥିଲେ। ଘଣ୍ଟା କିଣା ବାରଗିନ୍‌କୁ ନେଇ ସଂପୃକ୍ତ ଯୁବତୀ ଓ ଘଣ୍ଟା ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯୁବତୀଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସ୍ଥାନୀୟ ଉଠାଦୋକାନୀ ଏକଜୁଟ ହୋଇ ପୁରୁଷବନ୍ଧୁଙ୍କୁ ମାଡ଼ ମାରିଥିଲେ। ଏ ନେଇ ଯୁବକ ଜଣକ କ୍ୟାପିଟାଲ ଥାନାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେତେକ ଉଠାଦୋକାନୀଙ୍କୁ ନେଇ ଥାନାରେ ଅଟକ ରଖି ପରେ ଛାଡ଼ି ଦେଇଥିଲା। ଆଜି ଏହି ଘଟଣା ଜାଣିବା ପରେ ପୁରୁଷ ବନ୍ଧୁ ତାଙ୍କର ସହଯୋଗୀମାନଙ୍କୁ ଆଣି ଏଭଳି ଆକ୍ରମଣ କରିଥିବା ଘଣ୍ଟା ଦୋକାନୀ ଅମୋଦ ପୁଲିସକୁ କହିଛନ୍ତି।

ସ୍ଥାନୀୟ ଲୋକ ଉଠା ଦୋକାନୀଙ୍କୁ ଦୋଷ ଦେଲେ
ଆଜିର ଘଟଣାକୁ ନେଇ ସ୍ଥାନୀୟ ୟୁନିଟ-୨ ବାସିନ୍ଦାମାନେ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। କହିଛନ୍ତି, ଏହି ଉଠା ଦୋକାନୀମାନେ ରାସ୍ତାଘାଟକୁ ଜବରଦଖଲ କରିବା ସହିତ ଗ୍ରାହକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଯେଉଁମାନେ ମାର୍କେଟିଂ କରିବାକୁ ଆସୁଛନ୍ତି, ସେମାନଙ୍କ କାର କିମ୍ବା ବାଇକ ଦୋକାନ ଆଗରେ ରହିଲେ ଅତ୍ୟନ୍ତ ଅଶଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଯଦି କେହି ପ୍ରତିବାଦ କରୁଛି ସେମାନଙ୍କୁ ମାଡ଼ ମାରୁଛନ୍ତି। ଯଦି କେହି ଭୁଲରେ ବାଇକ୍ ଓ କାର ପାର୍କିଂ କରି ଚାଲି ଯାଉଛି, ସେମାନଙ୍କ ଗାଡି ଚକାରୁ ହାୱା ବାହାର କରି ଦେବା ସହିତ କାଚ ମଧ୍ୟ ଭାଙ୍ଗି ଦେଉଛନ୍ତି। ଏତିକି ଶେଷରେ ହୋଇ ନାହିଁ ସେମାନଙ୍କ ଦୌରାତ୍ମ୍ୟ। ମାକେର୍ଟ ବିଲଡିଂ ଚାରିପଟେ ଓ ଆଖପାଖରେ ଥିବା ସରକାରୀ କ୍ବାଟର୍ସ ଗେଟ ସମ୍ମୁଖରେ ଜବର ଦଖଲ କରି ଦୋକାନ ଖୋଲୁଛନ୍ତି। କହିଲେ ମାଡ଼ ଓ ଗାଳି ଦେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ବିଏମସିରେ ଅଭିଯୋଗ ହେବା ପରେ ମଧ୍ୟ ପ୍ରଶାସନ ସେମିତି ଚୁପ ହୋଇ ବସି ପଡ଼ୁଛି ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଶାସକ ଦଳର ଜଣେ ଯୁବ ନେତା ଏହି ଉଠା ଦୋକାନୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହିଭଳି ଥିଲା ଚିତ୍ର
ସଂଧ୍ୟା ଠିକ୍ ୭ଟା। ୟୁନିଟ୍‌-୨ ମାର୍କେଟ୍‌ ପଛପଟ ପାର୍କିଂ ସ୍ଥଳ(କାମୟାବ ଟିଭି ଅଫିସ୍ ଗଳି)। ଲାଗିଲା ୨୦ରୁ ୨୫ ବାଇକ୍। ସମସ୍ତ ସେଠାରେ ବାଇକ୍ ପାର୍କିଂ କଲେ। ସାଙ୍ଗରେ ଆଣିଥିବା କଳାମୁଖା ମୁହଁରେ ବାନ୍ଧିଲେ। ସମସ୍ତଙ୍କ ହାତରେ ଥିଲା ହକି ଷ୍ଟିକ୍, କ୍ରିକେଟ ଷ୍ଟମ୍ପ, ଲୁହାରଡ଼। ଗୋଟିଏ ମୁଣ୍ଡୁ ପିଟିବା ଆରମ୍ଭ କରିଥିଲେ। କେଶରୀ ମଲ୍ ସମ୍ମୁଖରେ ପଡ଼ିଥିବା ଚାଟ୍ ଦୋକାନରୁ ଆରମ୍ଭ କରି, ଗୁପଚୁପ୍, ଚୁଡି, ପ୍ଲାଷ୍ଟିକ୍, ହରେକମାଲ, ଚପଲ, ମୋମୋ ଦୋକାନ ଆଦି ଭାଙ୍ଗି ଚାଲିଥିଲେ। ଯିଏ ପ୍ରତିବାଦ କଲା ସେମାନଙ୍କୁ ଆକ୍ରମଣ କରୁଥିଲେ। ଏହିଭଳି ଭାବେ ସେମାନେ କେଶରୀ ମଲ୍ ଚାରିପଟେ ଘୁରି ବାଇକ୍ ରଖିଥିବା ସ୍ଥାନକୁ ଆସି ଗାଏବ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ଦୋକାନୀମାନେ ଏକାଠି ହୋଇ ଦୁଇ ଜଣ ମୁଖା ପିନ୍ଧା ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ଦୁହିଁଙ୍କୁ ଉଠା ଦୋକାନୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି। ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାଜଧାନୀର ଛାତି ମାର୍କେଟ ବିଲଡିଂ ଅଞ୍ଚଳ, ମାତ୍ର ଦୁଇ ଶହ ମିଟର ଦୂରରେ କ୍ୟାପିଟାଲ ଥାନା, ଦିନ ରାତି ୨୪ ଘଣ୍ଟା ମାର୍କେଟ ବିଲଡିଂରେ ପାଟ୍ରୋଲିଂ ସତ୍ତ୍ବେ ମୁଖା ପିନ୍ଧା ଯୁବକମାନେ ଏଭଳି କାଣ୍ଡ ଘଟାଇବା ପୁଲିସ କାର୍ଯ୍ୟଦକ୍ଷତା ଓ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।

ସିସିଟିଭିରୁ ମୁଖା ପିନ୍ଧା ଯୁବକମାନଙ୍କୁ ଚିହ୍ନଟ କରାଯାଉଛି
ଏ ସମ୍ପର୍କରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘଟଣା ପରେ ଉଠା ଦୋକାନୀମାନେ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତଦନ୍ତ ଚାଲିଛି। ପୁଲିସ ମାର୍କେଟ ବିଲଡିଂ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରିବା ଆରମ୍ଭ କରିଛି। ବାଇକ ନମ୍ବର ଆଧାରରେ ପୁଲିସ ସେହି ମୁଖା ପିନ୍ଧା ଯୁବକମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର