ଆଉ ୨ ମାମଲା: ଯୁବକଙ୍କୁ ହାଣିଲା ଦୁର୍ବୃତ୍ତ

କେବିଏନ୍‌ ଗ୍ୟାଙ୍ଗ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ସଜବାଜ

ଭୁବନେଶ୍ବର : ରାତିର ରାଜଧାନୀ ଅସୁରକ୍ଷିତ ବୋଲି ପୁଣି ଆଜି ଦୁଇଟି ମାମଲାରୁ ପ୍ରମାଣିତ ହୋଇଛି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ନୂଆପଲ୍ଲୀସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଅନ୍ଧାରୁଆ ଅଞ୍ଚଳର ଅବିନାଶ ଓରଫ୍ ଭୋଳା ନାମକ ଜଣେ ଦୁର୍ବୃତ୍ତ ନୂଆପଲ୍ଲୀ ଗଡ଼ସାହି ଅଞ୍ଚଳର ସନ୍ତୋଷ ସ୍ବାଇଁଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଭୋଳା ଆକ୍ରମଣ କରି ଫେରାର୍ ହୋଇଯାଇଛି। ସେହିଭଳି ସାଲିଆସାହିର ଦୁର୍ଗାମଣ୍ଡପ ନିକଟରେ ଜଣେ ଯୁବକ ଓ ତାଙ୍କ ସହିତ ଥିବା ଯୁବତୀ କିଛି ଅସାମାଜିକ ଯୁବକମାନଙ୍କ ଦ୍ବାରା ଆକ୍ରମଣର ଶିକା‌ର ହୋଇଛନ୍ତି। ଅଭିଯୋଗ ଅନୁସାରେ, ଚିକୁ ଦାସ ଜଣେ ଯୁବତୀଙ୍କ ସହ ଏକ ବାଇକ୍‌ ଯୋଗେ ସାଲିଆସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ମଣ୍ଡପ ନିକଟରେ ଅଟକାଇ ଦୁର୍ବୃତ୍ତମାନେ ମାଡ଼ ମାରିଛନ୍ତି। ଦୁଇଟି ଯାକ ମାମଲାକୁ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।

କେବିଏନ୍‌ ଗ୍ୟାଙ୍ଗ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ସଜବାଜ
ଭୁବନେଶ୍ବର : ଖଣ୍ଡା, ବନ୍ଧୁକ ଆଦି ମାରଣାସ୍ତ୍ର ଧରି ରାଜଧାନୀ ରାଜରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ୍‌ ବିରୋଧରେ ନୂଆପଲ୍ଲୀ ଥାନାରେ ଏକ ସ୍ବତନ୍ତ୍ର ମାମଲା ରୁଜୁ କରାଯାଇଛି। ଏହି ଗ୍ୟାଙ୍ଗ୍‌ର ମୁଖିଆ ବୁବୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବେ କମିସନରେଟ୍‌ ପୁଲିସ ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। କେବଳ ବୁବୁ ନୁହେଁ, ଏହି ଗ୍ୟାଙ୍ଗ୍‌ର ପ୍ରାୟ ୨୦ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ୍‌ କରିବାକୁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁବୁକୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ହେଲା ବୁବୁ ପରିଚାଳିତ କେବିଏନ୍‌ ଗ୍ୟାଙ୍ଗ୍‌ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି। ଫାୟାର୍‌ ଷ୍ଟେସନ ଛକରେ ସ୍ବିଗି ବୟଙ୍କ ବଡ଼ ଭାଇ ସୌମ୍ୟରଂଜନଙ୍କ ହତ୍ୟା ଘଟଣାରେ ଏହି ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୪ଜଣ ଫେରାର୍ ଥିଲେ। ସେହିଭଳି ଗତ ଲକ୍ଷ୍ମୀପୂଜା ଅବସରରେ ଏହି ଗ୍ୟାଙ୍ଗ୍‌ ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ଓ ଖଣ୍ଡା ବୁଲାଇ, ବନ୍ଧୁକ ଦେଖାଇ ବଜାରରେ ଆତଙ୍କ ଖେଳାଇ ଦେଇଥିଲେ। ଏବେ ଏହି ଗ୍ୟାଙ୍ଗ୍‌ର ଏକ ଭିଡିଓ ରାଜଧାନୀବାସୀଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି। ବୁବୁ ଗ୍ୟାଙ୍ଗ୍‌ର ପ୍ରାୟ ୨୦ ଜଣ ବିଭିନ୍ନ ଭୟଙ୍କର ମାରଣାସ୍ତ୍ର ଧରି ବରମୁଣ୍ଡା ଅଞ୍ଚଳରେ ବେପରୁଆ ଭାବେ ବିଭିନ୍ନ ଛକରେ ବୁଲୁଥିବା ଓ ଖଣ୍ଡା ବୁଲାଇ ବୁଲାଇ ମାର୍ଚ୍ଚିଂ କରୁଥିବା ଦୃଶ୍ୟ ଭାଇରାଲ୍‌ ହୋଇଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ରାଜଧାନୀ ରାଜରାସ୍ତାରେ ଏଭଳି ଭିଡିଓ କରିଥିବା ଗ୍ୟାଙ୍ଗ୍‌କୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଛି। ତେଣୁ ନୂଆପଲ୍ଲୀ ଥାନାରେ ବିଭିନ୍ନ ସଂଗିନ୍‌ ଦଫା ଲଗାଇ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର