କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପୁରସ୍କୃତ ସାହିତ୍ୟିକ ସମ୍ମିଳନୀ: ଲେଖକୀୟ ଅଭିବ୍ୟକ୍ତି ରଖିଲେ ୧୮ ବାଳସାହିତ୍ୟ ପୁରସ୍କାର ବିଜେତା

ଲୋକାର୍ପିତ ହେଲା ‘ଟିନି-ୱିନି ବେଲୁନ୍‌ ଆଣ୍ଡ୍‌ ଅଦର୍‌ ଷ୍ଟୋରିଜ୍‌’

‌ଭୁବନେଶ୍ବର: ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ବାଳସାହିତ୍ୟ ପୁରସ୍କାର ପାଇଥିବା ସାରସ୍ବତ ସାଧକମାନଙ୍କୁ ନେଇ ଏକ ‘ଲେଖକ ସମ୍ମିଳନୀ’ ଆଜି ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଅକାଦେମିର ଉପସଭାପତି ମାଧବ କୌଶିକଙ୍କ ସଭାପତିତ୍ବ‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରସ୍କାରପ୍ରାପ୍ତ ୧୮ଜଣ ସାରସ୍ବତ ସାଧକ ଉପସ୍ଥିତ ରହି ନିଜ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖକ ସ୍ବର୍ଗତ ସତ୍ୟବ୍ରତ ଶାସ୍ତ୍ରୀ ଓ ସ୍ବର୍ଗତ କବି ଅଖିଳ ନାୟକଙ୍କ ବିୟୋଗରେ ଅକାଦେମି ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ରଚିତ ଓ ବିକ୍ରମ କେ ଦାସଙ୍କ ଦ୍ବାରା ଅନୁଦିତ ପୁସ୍ତକ ‘ଟିନି-ୱିନି ବେଲୁନ୍‌ ଆଣ୍ଡ୍‌ ଅଦର୍‌ ଷ୍ଟୋରିଜ୍‌’ ଉନ୍ମୋଚିତ ହୋଇଥିଲା। ଛବିରେ ଭରା ଏହି ପିଲାଙ୍କ ପୁସ୍ତକଟି ୮ଟି ଆକର୍ଷଣୀୟ କାହାଣୀର ସମାହାର। ନିଜ ପିଲା ବେଳେ ଛୁଆଙ୍କର ଯେଉଁ ସବୁ ଭାଷା ‌ଶ୍ରୀ ବେନହୁର ଶିଖିଥିଲେ, ସେ ସବୁ ଭାଷାର ପ୍ରୟୋଗ ସେ ଏହି ପୁସ୍ତକର କାହାଣୀଗୁଡ଼ିକରେ କରିଛନ୍ତି, ଯାହାକି ପିଲାମାନଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିବ। ବହୁ ପୂର୍ବରୁ ସେ ଲେଖିଥିବା କିଛି କାହାଣୀ ଏହି ପୁସ୍ତକରେ ପ୍ରଥମଥର ପାଇଁ ଇଂରାଜୀରେ ସ୍ଥାନ ପାଇଛି ବୋଲି ସେ କହିଥିଲେ।

ଅକାଦେମିର ଓଡ଼ିଆ ଉ‌ପଦେଷ୍ଟାମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶିଶୁ ସାହିତ୍ୟ ବିକାଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ରାଜ୍ୟ ବୋଲି ଡ. ସିଂହ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଡ. ସିଂହ ଅକାଦେମିର ଉପସଭାପତି ଶ୍ରୀ କୌଶିକ ଓ ସଚିବ କେ. ଶ୍ରୀନିବାସ ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମଧୁରିମା ଘରଫଳିଆ (ଅହମିୟା), ଅଜିତ୍ ବୋରୋ(ବୋଡ଼ୋ), ଶିବ ଦେବସିଂହ ସୁଶୀଲ (ଡୋଗ୍ରୀ), ଭେନିତା କୋଏଲୋ (ଇଂରାଜୀ), ନଟବର ଲାଲ ଗିରିଧରଦାସ ପଟେଲ (ଗୁଜରାଟୀ), ଏଚ.ଏସ୍. ବ୍ୟାକୋଡ(କନ୍ନଡ଼), ସୟଦ ଅଖ୍‌ତର ହୁସେନ୍ (କଶ୍ମୀରୀ), ଭି. କ୍ରିଷ୍ଣା ଭଦ୍ୟାର (କୋଙ୍କଣୀ), ସିୟାରାମ୍ ଝା ‘ସାରସ୍‌’ (ମୈଥିଳୀ), ନାଓରେମ ବିଦ୍ୟାସାଗର ସିଂହ (ମଣିପୁରୀ), ଆବା ଗୋବିନ୍ଦ ମହାଜନ (ମରାଠୀ), ଧୁର୍ବା ଚୌହାନ (ନେପାଳୀ), ରାମଚନ୍ଦ୍ର ନାୟକ (ଓଡ଼ିଆ), ମଙ୍ଗତ ବାଦଲ(ରାଜସ୍ଥାନୀ), ଅରବିନ୍ଦ କୁମାର ତିୱାରୀ(ସଂସ୍କୃତ), ଜୟରାମ ଟୁଡ଼ୁ (ସାନ୍ତାଳୀ), କନ୍ନେଗନ୍ତି ଅନସୂୟା (ତେଲୁଗୁ), ହାଫିଜ୍ କର୍ଣ୍ଣାଟକୀ(ଊର୍ଦ୍ଦୁ) ପ୍ରମୁଖ ଉପସ୍ଥିତ ରହି ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ।

ସମ୍ବନ୍ଧିତ ଖବର