ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲା : ସିକ୍ୟୁରିଟି ଗାର୍ଡକୁ ଆଜୀବନ ଜେଲ୍

ଭୁବନେଶ୍ବର : ରାଜଧାନୀର ବହୁଚର୍ଚ୍ଚିତ ବଚନସୁଧା ପଟ୍ଟନାୟକ ହତ୍ୟା ମାମଲାର ପ୍ରାୟ ୮ ବର୍ଷରେ ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଲୋକନାଥ ମହାପାତ୍ର ମାମଲାର ବିଚାର କରି ଏକମାତ୍ର ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରଦାଣ୍ଡରେ ଦଣ଼୍ଡିତ କରିଛନ୍ତି। ଏଥି ସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଥିବା ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ଜଣାଇଛନ୍ତି।

ପୂରା ଘଟଣା ଥିଲା ଏମିତି
୨୦୧୩ ସେପ୍ଟେମ୍ବର ୧୧ ତାରିଖ। ସମୟ ମଧ୍ୟାହ୍ନ ପ୍ରାୟ ସା‌ଢ଼େ ୧୨ଟା। ରସୁଲଗଡ଼ ଶବରସାହିସ୍ଥିତ ପ୍ଲଟ୍ ନଂ-୫୫୬/୩୬୭ ମଧୁକନ୍ ହାଉସରେ ରହୁଥିବା ବ୍ୟବସାୟୀ ମନୁଚରଣ ପଟ୍ଟନାୟକଙ୍କ ଘରୁ ଜଣେ ମହିଳାଙ୍କ ଚିତ୍କାର ଶୁଭୁଥିବା ନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ପଡ଼ୋଶୀ ଫୋନ୍ କରି ଜଣାଇଲେ। କିଛି ସମୟ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରର ଡାଇନିଂରେ ପତ୍ନୀ ବଚନସୁଧାଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ପଡ଼ିଥିଲା। ବଚନସୁଧାଙ୍କ ବେକ, ଦୁଇ କାନ୍ଧ, ତଣ୍ଟିକୁ ଛୁରିରେ ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରା ଯାଇଥିଲା। ବଚନସୁଧା ରୋଷେଇ ଘରେ ମାଛ ଭାଜୁଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା ସିକ୍ୟୁରିଟି ଗାର୍ଡ। ଧସ୍ତାଧସ୍ତିବେଳେ ବଚନସୁଧା ପ୍ରଥମେ ବେଡ୍‌ରୁମ୍‌କୁ ପଳାଇଥିଲେ। ସେଠାରୁ ଡାଇନିଂକୁ ଆସିବା ପରେ ବୀଭତ୍ସ ଭାବେ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ। ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ଼୍ଡକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଧାଇଁଥିଲେ। ମୃତଦେହକୁ ପୁଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଘର ଭିତରୁ ରକ୍ତଲଗା ଏଟିଏମ୍, ଡେବିଟ୍ କାର୍ଡ, ଶାଢ଼ି ସାଙ୍ଗକୁ ମୃତ ବଚନସୁଧା ଓ ଅଭିଯୁକ୍ତର ମୋବାଇଲ ଫୋନ୍ ଜବତ କରା ଯାଇଥିଲା। ସେହିପରି ଦୀପ୍ତିରଞ୍ଜନ ରହୁଥିବା ଘରୁ ରକ୍ତଲଗା ପ୍ୟାଣ୍ଟସାର୍ଟ, ଆଇକାର୍ଡ ଜବତ କରାଯାଇଥିଲା। ଘର ସାମ୍ନା ଡ୍ରେନ୍‌ରୁ ବଚନସୁଧାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଡଷ୍ଟବିନରୁ ଦୀପ୍ତିରଞ୍ଜନର ରକ୍ତଲଗା ଜୋତା ମଧ୍ୟ ଜବତ କରିଥିଲା ପୁଲିସ। ଏଥିରୁ ଦୀପ୍ତିରଞ୍ଜନ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

ଦାମୀ ହାର ଓ ହୀରା ଲକେଟ୍ ପାଇଁ ହତ୍ୟା
ହତ୍ୟା ପଛରେ ଲୁଟ୍ ହିଁ ଏକମାତ୍ର କାରଣ ବୋଲି ଆରମ୍ଭରୁ ସ୍ପଷ୍ଟ ହୋଇ ଯାଇଥିଲା। କାରଣ ବଚନସୁଧାଙ୍କ ବେକରୁ ହାର୍ ଏବଂ ସେଥିରେ ଥିବା ହୀରା ଲକେଟ୍ ନ ଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ଏହି ଦାମୀ ହାରକୁ ଲୁଟ୍ କରିବା ପାଇଁ ସିକ୍ୟୁରିଟି ଗାର୍ଡ ଦୀପ୍ତିରଞ୍ଜନ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା। ଦୀପ୍ତିରଞ୍ଜନ ଫେରାର ହୋଇ ଯାଇଥିବାରୁ ପୁଲିସ ସନ୍ଦେହ ବଢିଥିଲା। ସେ ଧରାପଡ଼ିବା ପରେ ପୂରା ଘଟଣାର ରହସ୍ୟ ଖୋଲିଥିଲା। ତେବେ ଅଭିଯୁକ୍ତଠାରୁ ପୁଲିସ ଲୁଟ୍‌ ହାର ଜବତ କରିଥିଲା। କିନ୍ତୁ ଏଯାଏ ହୀରା ଲକେଟ୍‌ ଜବତ ହୋଇପାରିନାହିଁ।

ଲୁଟ୍ ଦାମୀ ହାର ପ୍ରେମିକାକୁ ଉପହାର ଦେଇଥିଲା
ହତ୍ୟାକାଣ୍ଡ ଘଟାଇବା ପରେ ଦୀପ୍ତିରଞ୍ଜନ ପଳାଶୁଣିରେ ରହୁଥିବା ନିଜ ଘରକୁ ଯାଇଥିଲା। ସେଠାରେ ରକ୍ତଲଗା, ପ୍ୟାଣ୍ଡସାର୍ଟକୁ ବଦଳାଇଥିଲା। ଅନ୍ୟ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଏକ ସାଇକେଲ ଧରି ନୟାପଲ୍ଲୀର ବେହେରାସାହିରେ ଥିବା ଏକ ଚିହ୍ନା ଲଣ୍ଡ୍ରି ଦୋକାନକୁ ଯାଇଥିଲା। ସେଠାରେ ସାଇକେଲ ରଖି ନିକଟରେ ଥିବା ଏକ ପୋଖରୀରେ ଗାଧୋଇଥିଲା। ଏଭଳି ଏକ ହତ୍ୟାକାଣ୍ଡ ଘଟାଇଥିବା ଲଣ୍ଡ୍ରି ଦୋକାନୀଙ୍କୁ ମଧ୍ୟ କହିଥିଲା। ସେଠାରେ ଗୋଟିଏ ଦିନ ରହି ନୟାଗଡ଼ରେ ନିଜ ପ୍ରେମିକାଙ୍କ ଘରକୁ ଯାଇଥିଲା। ସେହି ଦାମୀ ହାରକୁ ନିଜ ପ୍ରେମିକାକୁ ଉପହାର ଦେଇଥିଲା। ହତ୍ୟାକାଣ୍ଡ ଘଟାଇବା ବେଳେ ବଚନସୁଧାଙ୍କ ସହ ତାର ଦୀର୍ଘ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ସେହି ସମୟରେ ବଚନସୁଧା ତାର ହାତ ବୁଢ଼ା ଅଙ୍ଗୁଳିକୁ କାମୁଡ଼ି ଦେଇଥିଲେ। ପ୍ରେମିକା ଯେତେବେଳେ ଅଙ୍ଗୁଳି କାମୁଡ଼ା ଦାଗ ଦେଖି ପଚାରିଲେ ସେତେବେଳେ ସବୁ ସତ କଥା କହି ଦେଇଥିଲା ଦୀପ୍ତିରଞ୍ଜନ। ଏହି ବୀଭତ୍ସ କାଣ୍ଡ ପାଇଁ ପ୍ରେମିକା ମଧ୍ୟ ତା’କୁ ଘୃଣା କରିବାକୁ ଲାଗିଥିଲେ। ପ୍ରେମିକାର ତିରସ୍କାର ପରେ ଖୋର୍ଦ୍ଧା ଓ ପୁରୀ ଚାଲି ଯାଇଥିଲା ଦୀପ୍ତିରଞ୍ଜନ। ସେଠାରୁ ପଳାଶୁଣି ନିଜ ରୁମକୁ ଆସୁଥିବା ବେଳେ ଗିରଫ କରିଥିଲା ପୁଲିସ।

କୋର୍ଟରେ ତଦନ୍ତକାରୀ ଅଧିକାରୀଙ୍କୁ ୨୦ ଥର ଜେରା
ଏହି ସମ୍ବେଦନଶୀଳ ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀ ତଥା ମଞ୍ଚେଶ୍ବର ଥାନାର ତତ୍କାଳୀନ ଆଇଆଇସି ଭରତ ଚନ୍ଦ୍ର ସାହୁଙ୍କୁ କୋର୍ଟରେ ପ୍ରାୟ ୨୦ ଥର ଜେରା କରିଛନ୍ତି ପ୍ରତିପକ୍ଷ ଓକିଲ। କୌଣସି ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୨୦ ଥର ଜେରା କରାଯିବା ମଧ୍ୟ ଏକ ରେକର୍ଡ ବୋଲି କୁହାଯାଉଛି। ସେହିପରି ଏହି ମାମଲାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବା ବେଳେ ୫ ଜଣ ପ୍ରମୁଖ ସାକ୍ଷୀ ରହିଛନ୍ତି। ସେମାନେ ହେଲେ ବଚନସୁଧାଙ୍କ ସ୍ବାମୀ ମନୁଚରଣ ପଟ୍ଟନାୟକ, ତାଙ୍କ ପୁଅ ରୋଚନ ପଟ୍ଟନାୟକ, ଦୀପ୍ତିରଞ୍ଜନ କାମ କରୁଥିବା ସୁରକ୍ଷାକର୍ମୀ ସଂସ୍ଥା ମାଲିକ ପୂର୍ଣ୍ଣଚନ୍ଦ୍ର ମୁଦୁଲି, ପଡ଼ୋଶୀ ଅମିତାଞ୍ଜଳି ଜେନା ଓ ପ୍ରେମିକା ଯାହାଙ୍କ ଆଗରେ ଦୀପ୍ତିରଞ୍ଜନ ଦୋଷ ସ୍ବୀକାର କରିଥିଲା। ଏହି ମାମଲାରେ ଡାକ୍ତର, ତଦନ୍ତକାରୀ ଅଧିକାରୀଙ୍କ ସମେତ ୧୮ ଜଣଙ୍କ ବୟାନ ରେକର୍ଡ କରା ଯାଇଥିଲା।

ଆମ ପାଇଁ ଆହ୍ବାନପୂର୍ଣ୍ଣ ଥିଲା: ତଦନ୍ତକାରୀ ଅଧିକାରୀ
ଏହି ଘଟଣା ଆମ ପାଇଁ ବେଶ୍ ଆହ୍ବାନପୂର୍ଣ୍ଣ ଥିଲା। ଏହି ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ଅଭିଯୁକ୍ତକୁ ଧରିବା କଷ୍ଟକର ହୋଇ ପଡ଼ିଥିଲା। ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ଼ କରିବା, ସାକ୍ଷୀଙ୍କୁ ନେଇ କୋର୍ଟରେ ହାଜର କରିବା ସବୁ କିଛି ବଡ଼ ଚ୍ୟାଲେଞ୍ଜ ଥିଲା। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ଏବଂ ଆଜୀବନ କାରାଦଣ୍ଡରେ ଦଣ୍ଡିତ ରାୟ ଶୁଣିବା ପରେ ଖୁସି ଲାଗୁଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଭରତ ଚନ୍ଦ୍ର ସାହୁ।

‘ଫାଶୀ ହୋଇଥିଲେ ଭଲ ହୋଇଥାନ୍ତା’
ଏହା ଏକ ବୀଭତ୍ସ ଓ ଜଘନ୍ୟ କାଣ୍ଡ ଥିଲା। ଏହାକୁ ଯତେ କଡ଼ା ଶବ୍ଦରେ ନିନ୍ଦା କଲେ ମଧ୍ୟ କମ୍ ହେବ। ମାମଲାର ୮ ବର୍ଷ ପରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ହୋଇଥିବା ଖବର ମିଳିଛି। କିନ୍ତୁ ଏହି ଜଘନ୍ୟ କାଣ୍ଡ ପାଇଁ ଫାଶୀ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବଚନସୁଧାଙ୍କ ଝିଅ।

ଉଷାଶ୍ରୀଙ୍କ ପରେ ବଚନସୁଧା
୨୦୧୩ ଜୁନ୍ ୨୧। ନୟାପଲ୍ଲୀରେ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ା ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟିବା ଘଟଣା ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାରେ ପୁଲିସ ସୋମନାଥଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପ୍ରାୟ ୭ ବର୍ଷ ପରେ ଗତବର୍ଷ ଫେବ୍ରୁଆରି ୨୫ ତାରିଖରେ ସୋମନାଥଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ। ଏହି ହତ୍ୟାକାଣ୍ଡର ତିନିମାସ ପରେ ବଚନସୁଧାଙ୍କୁ ବୀଭତ୍ସ ହତ୍ୟା ଘଟଣା ମଧ୍ୟ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସମ୍ବନ୍ଧିତ ଖବର