ଆଜି ବଡ଼ଦିନ : ମଧ୍ୟରାତ୍ରିରେ ଆସିଲେ ଯିଶୁ

ଭୁବନେଶ୍ବର : ଚର୍ଚ୍ଚ ପରିସରରେ ଶୋଭା ପାଉଥିଲା ଖ୍ରୀଷ୍ଟମାସ ଲ୍ୟାମ୍ପ୍‌। ଝୁଲୁଥିଲା ଜିଙ୍ଗଲ୍‌ ବେଲ୍‌। ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ। ଭାସି ଆସୁଥିଲା ସମବେତ କାରୋଲ୍‌ ସଙ୍ଗୀତ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଦିବ୍ୟଯଜ୍ଞ ଓ ପୂଜାପାଠ। ଭକ୍ତିରେ ଲୀନ ଶ୍ରଦ୍ଧାଳୁମାନେ ଦେହ ଥରା ଶୀତକୁ ଖାତିର ନକରି ଈଶ୍ବରଙ୍କ ବାକ୍ୟ ଶୁଣିବାରେ ମସଗୁଲ୍‌ ଥିଲେ। ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ବତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ। ବଡ଼ଦିନର ଏହି ଅବସରରେ ରାଜଧାନୀର ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜମିଥିଲା ଗହଳି। କେବଳ ଖ୍ରୀଷ୍ଟିଆନ୍‌ ନୁହେଁ ଅନ୍ୟ ଧର୍ମ ଓ ଜାତିର ଲୋକେ ଏହି ପବିତ୍ର ମୁହୂର୍ତକୁ ଉପଭୋଗ କରିବା ପାଇଁ ଚର୍ଚରେ ରୁଣ୍ଡ ହୋଇଥିଲେ। ମଧ୍ୟରାତ୍ରିରେ ଧରାବତରଣ କରିଥିଲେ ଭଗବାନ ଯିଶୁ। ତାଙ୍କୁ ସ୍ବାଗତ କରିବା ତଥା ଭକ୍ତଅର୍ଘ୍ୟ ଢାଳିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା ସହରର ଚର୍ଚ୍ଚ।

ବଡ଼ଦିନର ଏହି ପର୍ବକୁ ଜାକଜମକରେ ମନେଇବା ପାଇଁ ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ଜମିଥିଲା ଅସମ୍ଭାଳ ଭିଡ଼। ବିଶ୍ବାସ ଅନୁଯାୟୀ ଠିକ୍‌ ମଧ୍ୟ ରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯିଶୁଙ୍କ ଜନ୍ମ ହୋଇଥିଲା। ଏହାପରେ ଆରମ୍ଭ ହୋଇ ଯାଇଥିଲା ଶୁଭେଚ୍ଛାର ପର୍ବ। ଯିଶୁଙ୍କ ଆଗମନ ପରେ କୋଳାଗ୍ରତ କରି ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ।

ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିଲା ସମବେତ କାରୋଲ୍‌ ଗାନ। ରାତି ୧୧ଟାରୁ ଆରମ୍ଭ ହୋଇଥିଲା ମହାଜାଗରଣି ଦିବ୍ୟଯଜ୍ଞ ଓ ପୂଜାପାଠ। ରାତି ୩.୩୦ରେ ସରିଥିଲା ଏହି ପର୍ବ। ସେହିଭଳି ୟୁନିଟ୍‌-୪ ସ୍ଥିତ ଖ୍ରୀଷ୍ଟ୍ ଚର୍ଚ ତଥା ୟୁନିୟନ୍‌ ଚର୍ଚରେ ମଧୢ ରାତି ସାଢେ଼ ୧୦ଟାରୁ ମଧୢରାତ୍ରି ପ୍ରାର୍ଥନା ହୋଇଥିଲା। ଆର୍ଚ ବିଶପ୍‌ ଜନ୍‌ ବରୁଆଙ୍କ ଉପସ୍ଥିତିରେ ଓଡ଼ିଆ ଓ ଇ˚ରାଜୀରେ ସ˚ଗୀତ ଦଳ ପ୍ରାର୍ଥନା ପରିବେଷଣ କରିଥିଲେ। ପରେ ବାଇବେଲ୍‌ ପାଠ ଓ ପ୍ରାର୍ଥନା କରାଯାଇଥିଲା। ମଦର ମେରିଙ୍କୁ ସ୍ମରଣ କରି ଅନେକ ଖ୍ରୀଷ୍ଟିଆନ୍‌ ଓ ହିନ୍ଦୁ ଭାଇଭଉଣୀ ମହମବତି ଜାଳିଥିଲେ। ଉତ୍ସବର ଏହି ମହା ଆସରରେ ବିଳମ୍ବିତ ରାତି ଯାଏଁ ସାମିଲ୍‌ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଭିଡ଼କୁ ସମ୍ଭାଳିବା ତଥା ଆଇନ୍‌ଶୃଙ୍ଖଳା ରକ୍ଷା ନିମନ୍ତେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ ହୋଇଛନ୍ତି। ମଧ୍ୟରାତ୍ର ପର୍ଯ୍ୟନ୍ତ ପିଲାମ‌ାନେ ସାନ୍ତାକ୍ଲଜ୍‌ଙ୍କ ଉପହାର ଅପେକ୍ଷାରେ ଶୋଇ ନଥିଲେ।

ସମ୍ବନ୍ଧିତ ଖବର