ଉଛୁଳି ଉଠିଲା ଚର୍ଚ୍ଚ, ଭକ୍ତି‌ର ସହ ପାଳିଲେ ବଡ଼ଦିନ

ଭୁବନେଶ୍ବର : ଝରାଅ ଆଶିଷ ଆମ ମନମନ୍ଦିରେ, ଝରିଯାଉ ଜାଗରଣ ପ୍ରତି ମନ ଆତ୍ମାରେ…। ଏଇ ଭାବସ୍ପର୍ଶୀ ଗୀତରେ ତଲ୍ଲୀନ ହୋଇ ନାଚୁଥିଲେ ଶହଶହ ଶ୍ରଦ୍ଧାଳୁ। ଯିଶୁଙ୍କ ଧରାବତରଣ ପ‌ରେ ଉତ୍ସାହ ଓ ଉଦ୍ଦୀପନାରେ ଉଚ୍ଛୁଳି ଉଠିଥିଲା ଚର୍ଚ୍ଚ। କିଏ ସାନ୍ତା ବେଶରେ ଆସିଥିଲା ତ କିଏ ହାତରେ ଗୋଲାପ ଓ ମହମବତିଟିଏ ଧରି ଶ୍ରଦ୍ଧା ନୈବେଦ୍ୟ ବାଢ଼ି ଦେଉଥିଲା। କିଏ ଯିଶୁଙ୍କ ପ୍ରତୀକାତ୍ମକ ଶିଶୁ କଣ୍ଢେଇକୁ ଚୁମି ଦେଉଥିଲା ତ କିଏ ଏ ବିଶେଷ ମୁହୂର୍ତକୁ ସେଲ୍‌ଫି ସହ ନିଜ ମୋବାଇଲ୍‌ରେ କଏଦ କରି ନେଉଥିଲା। ଏ ଦୃଶ୍ୟ ବୟାନ କରୁଥିଲା ଯେମିତି ନିଜ ଘରକୁ ସନ୍ତାନ ରୂପରେ ନୂଆ ଅତିଥି ଜଣେ ଆସିଛନ୍ତି।

ବଡ଼ଦିନର ଏହି ମହାପର୍ବରେ ସତ୍ୟନଗରସ୍ଥିତ କ୍ୟାଥଲିକ୍‌ ଚର୍ଚ୍ଚ ଓ ୪ ନମ୍ବରସ୍ଥିତ ୟୁନିଅନ ଚର୍ଚ୍ଚ ଲୋକାରଣ୍ୟ ହୋଇଥିଲା। ଏଥିସହ ଅନ୍ୟ ଅଞ୍ଚଳରେ ଥିବା ଚର୍ଚ୍ଚରେ ମଧ୍ୟ ଜାତି, ଧର୍ମ ନି‌ର୍ବିଶେଷରେ ସମସ୍ତେ ଭିଡ଼ ଜମାଇଥିଲେ। ଚର୍ଚ୍ଚ ପରିସରରେ ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ। ଯିଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ବତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ। ପିଲାଟିଏ ଜନ୍ମ ହେଲେ ଘରେ ଆନନ୍ଦର ଲହରୀ ଖେଳି ଯାଉଥିବା ସଦୃଶ ନିଜ ଘରକୁ ନୂଆ ଅତିଥି ରୂପରେ ଯିଶୁ ଓହ୍ଲାଇ ଆସିଥିବା ଖୁସିରେ ମସ୍‌ଗୁଲ୍‌ ଥିଲା ସହର। ବଡ଼ଦିନର ଏହି ଅନନ୍ୟ ପର୍ବ ପାଇଁ ରାଜଧାନୀର ଚର୍ଚ୍ଚ‌ରେ କାଲି ରାତିରୁ ଲାଗିଥିଲା ଗହଳି। ଜାତି ଧର୍ମ ନିର୍ବିଶେଷରେ ସଭିଏଁ ଏହି ପର୍ବରେ ନିଜକୁ ସାମିଲ୍‌ କରିଥିଲେ। ହଜାର ହଜାର ସ˚ଖ୍ୟାରେ ଶ୍ରଦ୍ଧାଳୁ ଚର୍ଚରେ ଏକାଠି ହୋଇ ଯିଶୁଙ୍କ ସ୍ତବଗାନ କରିଥିଲେ। ବାଇବେଲ୍‌ ପାଠ ସହ ବଡ଼ଦିନର ବାର୍ତା ଗ୍ରହଣ କରିଥିଲେ।

ସତ୍ୟନଗରସ୍ଥିତ ରୋମାନ୍‌ କ୍ୟାଥ୍‌ଲିକ୍‌ ଚର୍ଚରେ ଯିଶୁଙ୍କୁ ଶିଶୁ ପ୍ରତିମା ରୂପରେ ଦର୍ଶନ କରି ପାଦ ଚୁମ୍ବନ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପରିସରରେ ଶୋଭା ପାଉଥିବା ଖ୍ରୀଷ୍ଟମାସ ବୃକ୍ଷ ହେଉ ଅବା ଜନ୍ମ ବୃତ୍ତାନ୍ତର କାରିଗରୀ ଶିଳ୍ପ ସମ୍ମୁଖରେ ସେଲ୍‌ଫି ନେବା ପାଇଁ ଏକପ୍ରକାର ପ୍ରତିଯୋଗିତା ଲାଗିଥିଲା। ଗତକାଲି ରାତି ୧୦ଟାରୁ ଏଠାରେ ହିନ୍ଦୀ, ମାଲାୟଲମ, ଓଡ଼ିଆ ଓ ଇଂରାଜୀ ଭାଷାରେ କାରୋଲ୍‌ ଗାନ କରାଯାଇଥିଲା। ଆଜି ସକାଳ ୮ଟାରୁ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଭକ୍ତି ନୃତ୍ୟରେ ପୁରୋହିତଙ୍କୁ ମଣ୍ତପକୁ ସ୍ବାଗତ କରିଥିଲେ କଳାକାରବୃନ୍ଦ। ଯିଶୁଙ୍କ ଶରୀର ଓ ରୁଧିର ଗ୍ରହଣ କରିଥିଲେ ସାଧନାରେ ଥିବା କିଛି ଖ୍ରୀଷ୍ଟ ଉପାସକ। ଗତକାଲି ବିଳମ୍ବିତ ରାତିରେ କେକ୍‌ କଟା ଯାଇଥିଲେ ମଧୢ ପୁଣି ଆଜି କେକ୍‌ କଟାଯାଇଥିଲା। ଯିଶୁଙ୍କୁ ଜନ୍ମ ଦେଇଥିବା ମଦର ମେରିଙ୍କ ଉଦ୍ଦେଶ୍ୟରେ ମହମବତିଟିଏ ଏବଂ ଶିଶୁ ଯିଶୁଙ୍କ ଉଦ୍ଦେଶ୍ୟରେ ଗୋଲାପ ଫୁଲଟିଏ ଭେଟି ଦେଉଥିଲେ ଶ୍ରଦ୍ଧାଳୁ। ଆଜି ବି ବିଳମ୍ବିତ ରାତି ଯାଏଁ ଭିଡ଼ ଲାଗି ରହିଥିଲା। ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ୟୁନିଟ୍‌-୪ସ୍ଥିତ ୟୁନିଅନ୍‌ ଚର୍ଚରେ ମଧୢ ଅନୁରୂପ ଭାବେ ଲୋକମାନଙ୍କ ଗହଳି ଲାଗି ରହିଥିଲା। ସେଠାରେ ବି ଇ˚ରାଜୀ ଓ ଓଡ଼ିଆରେ ପ୍ରାର୍ଥନା ହୋଇଥିଲା।

ସମ୍ବନ୍ଧିତ ଖବର