ପୁରୁଣା ଭୁବନେଶ୍ବର : ବଡ଼ୁ ନିଯୋଗ କାର୍ଯ୍ୟାଳୟ ଉଚ୍ଛେଦକୁ ନେଇ ସରକାର ଚିନ୍ତାରେ

ପୁରୁଣା ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ବଢ଼େଇବାଙ୍କ ଛକଠାରେ ବଡ଼ୁ ନିଯୋଗ କାର୍ଯ୍ୟାଳୟକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଯାତ୍ରା ବେଳେ ବଡ଼ୁ ନିଯୋଗଠାରେ ପୂଜା ପରମ୍ପରା ଥିବା ବେଳେ ଏହାକୁ ଉଚ୍ଛେଦ କଲେ ସମସ୍ୟା ସୃଷ୍ଟି ହେବ। ଠାକୁରଙ୍କ ବିଭିନ୍ନ ଯାତ୍ରା ବେଳେ ସେଠାରେ ହେବାକୁ ଥିବା ପୂଜା ପାଇଁ କ’ଣ ବ୍ୟବସ୍ଥା କରିବ ସେ ନେଇ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛି। ବଡ଼ୁ ନିଯୋଗ ପକ୍ଷରୁ ଏନେଇ ଲିଖିତ ଅଭିଯୋଗ ହୋଇଥିଲେ ହେଁ ପ୍ରଶାସନ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବ କିମ୍ବା କି ପଦକ୍ଷେପ ନେବ ସେନେଇ ସ୍ପଷ୍ଟ କରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି।

ପ୍ରକାଶ ଯେ, ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜବରଦଖଲରେ ଥିବା ସରକାରୀ ଜମି, ସରକାରୀ କାର୍ଯ୍ୟାଳୟ ଆଦି ଭଙ୍ଗା ହୋଇଛି। ଏବେ ସ୍ଥାୟୀ ଘର ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗତ ସୋମବାର ରାଜ୍ୟ ସରକାର ଏକାମ୍ର କ୍ଷେତ୍ରରେ ବାସହରା ହେବାକୁ ଥିବା ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଉଚ୍ଛେଦରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବଡ଼ୁ ନିଯୋଗ କାର୍ଯ୍ୟାଳୟ ପୂରା ଭାଙ୍ଗିବାକୁ ପ୍ରଶାସନ ଘୋଷଣା କରିଛି। ହେଲେ ନିଯୋଗଠାରେ ଠାକୁରଙ୍କ ପରମ୍ପରାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ମହାପ୍ରଭୁ ଚନ୍ଦନ ଯାତ୍ରାରେ ଫେରିବା ବେଳେ ୨୨ଦିନ ସେଠାରେ ପୂଜା ଓ ଭୋଗ ଲାଗି କରାଯାଏ। ସେହିପରି ମହାପ୍ରଭୁ ବିବାହ ସାରି ଶୀତଳଷଷ୍ଠୀ ଯାତ୍ରାରେ ଫେରିବା ବେଳେ ବଡ଼ୁ ନିଯୋଗରେ ଭୋଗ ଖାଇଥାନ୍ତି। ଅନୁରୂପ ଭାବେ ରକୁଣା ରଥଯାତ୍ରାରେ ଠାକୁର ଫେରିବା ସମୟରେ ନିଯୋଗଠାରେ ପଣା ଭୋଗ ଖାଇଥାନ୍ତି। କେବଳ ଏତିକି ନୁହେଁ ଭୀମଏକାଦଶୀ, ମାଘ ସପ୍ତମୀ, ଦୋଳ, ଯମ ଦ୍ବିତୀୟା, ଦଶହରା, ଅଷ୍ଟମୀ ଆଦି ବିଭିନ୍ନ ଯାତ ଓ ଉପଯାତରେ ବଡ଼ୁ ନିଯୋଗରେ ଭୋଗ ଲାଗି ହୋଇଥାଏ।

ବଡ଼ୁ ନିଯୋଗର ସମ୍ପାଦକ କମଳା ବଡ଼ୁ କୁହନ୍ତି ୧୧ଶହ ଖ୍ରୀଷ୍ଟାବ୍ଦରୁ ମହାପ୍ରଭୁଙ୍କ ପୂଜା ଆରମ୍ଭରୁ ବଡ଼ୁ ସେବା ଥିବା ସହ ନିଯୋଗଠାରେ ପୂଜା ହୁଏ। ଏହି ନିଯୋଗ ଭାଙ୍ଗିଗଲେ ପୂଜା ପରମ୍ପରା ବାଧା ଉପୁଜିବା ଆଶଙ୍କା ରହିଛି। ନିଯୋଗ ସମ୍ପର୍କରେ ପ୍ରଶାସନ ଆଲୋଚନା କରିଛି। କିଛି ନିଷ୍କର୍ସ ବାହାରି ନାହିଁ। ତେବେ ବିଏମ୍‌ସି, ବିଡିଏ, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ଟିମ୍ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଶୁଝା କରି ସରକାରୀ ପ୍ୟାକେଜ୍ ଦେବା କାମ ଆରମ୍ଭ କରିଥିଲେ ମଧ୍ୟ ବଡ଼ୁ ନିଯୋଗ ଦ୍ବନ୍ଦ୍ବ ନ ଛିଡ଼ିଲେ ସରକାର ପଦକ୍ଷେପ ନେବା କଷ୍ଟ ହେବ ବୋଲି ଜଣାପଡ଼ିଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ କୌଣସି ମତାମତ ଦେଇନାହାନ୍ତି।

ସମ୍ବନ୍ଧିତ ଖବର