ବଜାଜର ବିଏସ୍‌-୬ ତିନି ଚକିଆ ଯାନ

ଭୁବନେଶ୍ବର: ବଜାଜ ଅଟୋ ପକ୍ଷରୁ ତିନି ଚକିଆ ଯାନଗୁଡ଼ିକର ବିଏସ୍‌-୬ ମଡେଲ୍‌ଗୁଡ଼ିକୁ ଉନ୍ମୋଚନ କରାଯାଇଛି। କଂପାନିର ଡିଭିଜନାଲ୍ ମ୍ୟାନେଜର (ବିକ୍ରି ଓ ବିପଣନ) ହରୀଶ କୌଶିକ ଓ ଡିଭିଜନାଲ୍ ମ୍ୟାନେଜର୍‌ ସେବା (ସର୍ଭିସ୍‌) ଚନ୍ଦ୍ରଶେଖର କେନ୍ଦୁରକର ନୂଆ ମଡେଲ୍‌ଗାଡ଼ିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ କୌଶିକ କହିଛନ୍ତି, ଓଡ଼ିଶାରେ ବିକ୍ରି ହେଉଥିବା ପ୍ରତି ଦ୍ବିତୀୟ ତିନି ଚକିଆ ଗାଡ଼ି ହେଉଛି ବଜାଜ ଅଟେ କଂପାନିର। ରାଜ୍ୟରେ ମାସକୁ ୧୫୨୦ପାଖାପାଖି ତିନି ଚକିଆ ଗାଡ଼ି ବିକ୍ରି ହେଉଥିବା ବେଳେ କେବଳ ବଜାଜ ଅଟୋ ୭୧୭ରୁ ଅଧିକ ଗାଡ଼ି ବିକୁଛି। ଏହା ପାସେଞ୍ଜର୍‌, କାର୍ଗୋ ଓ ସିଏନ୍‌ଜି ଗାଡ଼ି ବିକ୍ରି କରୁଛି। ବିଏସ୍‌-୪ ତୁଳନାରେ ବିଏସ୍‌-୬ ମଡେଲ୍‌ର ଗାଡ଼ିଗୁଡ଼ିକ ଦାମ୍ ୨୦% ଅଧିକ ରହିବ ବୋଲି ସେ କହିଛନ୍ତି। ତେବେ ସିଏନ୍‌ଜି ମଡେଲ୍‌ର ବିଏସ୍‌-୬ ଗାଡ଼ି ଦାମ୍ ୧୦% ଅଧିକ ହେବ। ବିଏସ୍‌-୬ ଗାଡ଼ି ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହା ପଛର କାରଣ ସଂକ୍ରାନ୍ତରେ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଥିବ‌ା ମୋଟ୍ ତିନିଚକିଆ ଗାଡ଼ିଗୁଡ଼ିକ ମଧ୍ୟରୁ ୩୦-୪୦% ହେଉଛି ବିଏସ୍‌ ୨ ଓ ବିଏସ୍‌-୩ ଗାଡ଼ି। ସେମାନେ ବିଏସ୍‌-୬ ମଡେଲ୍‌କୁ ଅପ୍‌ଗ୍ରେଡ୍‌ ହେବାକୁ ଉଦ୍ୟମ କରିବେ। ତାହା ଆମର ବିକ୍ରି ବଢ଼ାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ୧୫ଟି ଡିଲର୍‌ ଜରିଆରେ ବଜାଜ୍ ଅଟୋ ଏହାର ତିନିଚକିଆ ବିକ୍ରି କରୁଛି।

ସମ୍ବନ୍ଧିତ ଖବର