ବାଲିପାଟଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଭୂତକୋଠି

ବାଲିପାଟଣା: ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୋନ-୨ର ବାଲିପଟଣା ସେକ୍ସନ କାର୍ଯ୍ୟାଳୟ ଏବେ ଭୂତକୋଠି ପାଲଟିଛି। ଦୀର୍ଘ ୩/୪ ମାସ ହେବ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କ ଦର୍ଶନ ମିଳୁନାହିଁ। ଅନ୍ୟପକ୍ଷରେ ୱାର୍କ ସରକାରଙ୍କର ଅବସର ପରେ ସେହି ପଦବି ଖାଲି ପଡ଼ିଛି। ଅଫିସ କେତେବେଳେ ଖୋଲା ହେଉଛି ଏବଂ କେତେବେଳେ ବନ୍ଦ ହେଉଛି ସ୍ଥାନୀୟ ବାସିନ୍ଦା ଜାଣିପାରୁ ନଥିବା କହିଛନ୍ତି। ବିଭାଗୀୟ ଯନ୍ତ୍ରୀ ସମ୍ବିତ ମହାନ୍ତି କହିଛନ୍ତି, ବାଲିପାଟଣାରେ କ୍ୟାମ୍ପ ଅଫିସ। ସେଠାରେ କାମ ପଡ଼ିଲେ ଯିବାକୁ ହୁଏ। ଏବେ କିଛି କାମ ନାହିଁ ତେଣୁ ସେଠାକୁ ଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ୨୦୧୨ ମସିହାରେ ବାଲିପାଟଣା ଠାରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି କାର୍ଯ୍ୟାଳୟ ପରିସରରେ ଅଫିସ ଗୃହ ସହ ଏକାଧିକ କ୍ବାର୍ଟର ଅଛି। ଲକ୍ଷାଧିକ ଟଙ୍କାରେ ନିର୍ମିତ କ୍ବାର୍ଟର ଗୁଡ଼ିକ ଦୀର୍ଘ ଦିନ ହେବ ଖୋଲା ହୋଇନଥିବା ଜଣାପଡ଼ିଛି। ବାତ୍ୟା ଫନିରେ ପରିସର ଭିତରେ ଗଛ ଭାଙ୍ଗି ଏବେବି ପଡ଼ି ରହିଛି। ଅନାବନା ଗଛ ଲତା ମାଡ଼ି ଗଲାଣି। କାର୍ଯ୍ୟାଳୟ ପରିସର ବିଭିନ୍ନ ପ୍ରକାରର ବିଷଧର ଜନ୍ତୁଙ୍କ ଚରାଭୂଇଁ ପାଲଟିଛି। ଭିତରେ ଗୋରୁ ଅବାଧରେ ବୁଲୁଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କାର୍ଯ୍ୟାଳୟ ତିଆରି ହୋଇଥିବା ବେଳେ ଲୋକଙ୍କ ସେବାରେ ଲାଗିବା ବଦଳରେ ଏବେ ଭୂତକୋଠି ପାଲଟି ଯାଇଛି।

ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ବାଲିପାଟଣା ସେକ୍ସନ କାର୍ଯ୍ୟାଳୟ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ମତରେ ମାର୍ଚ୍ଚ ମାସଠାରୁ ବିଭାଗର ଆଲଟମେଣ୍ଟ ହୋଇନାହିଁ। ଠିକାଦାର ମାନଙ୍କର ଲକ୍ଷାଧିକ ଟଙ୍କା ବାକି ପଡ଼ିଛି। ବାତ୍ୟା ଫନିରେ ରାସ୍ତା ସଫା ପାଇଁ ସରକାର ନିର୍ଦେଶ ଦେଇଥିଲେ। ବିଭାଗୀୟ ଯନ୍ତ୍ରୀ ଠିକାଦାରଙ୍କ ସହାୟତାରେ ରାସ୍ତା ସଫା କରାଇଲେ। କିନ୍ତୁ ଏ ଯାବତ୍ ସେ ବାବଦ ଅର୍ଥ ମିଳିନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବାଲିପାଟଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ଦେଇ ପ୍ରତ୍ୟେକ ଦିନ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର