ଛାତ୍ରୀନିବାସରେ ଉଇହୁଙ୍କା: ବନମାଳୀପୁର ହାଇସ୍କୁଲ ଛାତ୍ରୀନିବାସ, ନିର୍ମାଣ ପରଠାରୁ ତାଲା ଝୁଲୁଛି

ପାଖରେ ଦେଶୀ ମଦ ଦୋକାନ, ମୁହଁ ଫେରାଉଛନ୍ତି ଅଭିଭାବକ

ବାଲିପାଟଣା: ବନମାଳୀପୁର ହାଇସ୍କୁଲ ପରିସରରେ ଥିବା ଆଦିବାସୀ ହରିଜନ ଛାତ୍ରୀ ନିବାସରେ ଦୀର୍ଘ ୪ ବର୍ଷ ହେଲା ତାଲା ଝୁଲୁଛି। ନିର୍ମାଣ ହେବାଠାରୁ ତାଲା ଝୁଲୁଛି। ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଏହି ଛାତ୍ରୀନିବାସର ଭିତରେ ଓ ବାହାରେ ସବୁଆଡ଼େ ଉଇହୁଙ୍କା ମାଡ଼ିଗଲାଣି। ପାଚେରି ନଥିବାବ‌େଳେ ପାଖକୁ ଲାଗି ଏକ ସରକାରୀ ଦେଶୀ ମଦ ଦୋକାନ ଥିବାରୁ ଅଭିଭାବକମାନେ ଏଠାରେ ପିଲାଙ୍କୁ ଛାଡ଼ିବାକୁ ଭୟ କରୁଛନ୍ତି। ତେଣୁ ଏହି ଛାତ୍ରୀନିବାସ ପାଇଁ ବ୍ୟୟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଛି ବୋଲି ଆଲୋଚନା ହେଉଛି। ପାଚେରି ନିର୍ମାଣ କରିବା ଓ ପାଖରୁ ମଦ ଦୋକାନ ହଟାଇବା ଦିଗରେ ପ୍ରଶାସନର ଅବହେଳା କାରଣରୁ ଏହି ଛାତ୍ରୀନିବାସ ପରିତ୍ୟକ୍ତ ହୋଇ ପଡ଼ିଛି ବୋଲି ଅଭିଯୋଗ ‌ହେଉଛି।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ବାଲିପାଟଣା ଓ ବନମାଳୀପୁର ହାଇସ୍କୁଲ୍‌ରେ ଦୁଇଟି ଛାତ୍ରୀନିବାସ ନିର୍ମାଣ କରାଯାଇଥିଲା। ରାଜ୍ୟର ଆଦିବାସୀ ଓ ହରିଜନ ଛାତ୍ରୀମାନଙ୍କୁ ଏଠାରେ ରଖାଯାଇ ମାଗଣାରେ ଶିକ୍ଷାଦାନ କରାଯିବା ଲକ୍ଷ୍ୟରେ ଏହି ଛାତ୍ରୀନିବାସ ନିର୍ମାଣ କରାଯାଇଥିଲା। ୫୫ ଲକ୍ଷ ଟଙ୍କା ଲେଖାଏ ବ୍ୟୟ କରାଯାଇ ପ୍ରତି ଛାତ୍ରୀନିବାସରେ ୭୦ ଲେଖାଏଁ ଶଯ୍ୟା ରହିଛି। ଦୁଇଟିଯାକ ଛାତ୍ରୀନିବାସ ୨୦୧୮ ମସିହାରୁ ସ୍କୁଲକୁ ହସ୍ତାନ୍ତର କରାଯାଇଛି। ସ୍କୁଲକୁ ହସ୍ତାନ୍ତର ହେବା ପରେ ଏଠାରେ ୱାର୍ଡେନ୍‌ ନିଯୁକ୍ତି ମଧ୍ୟ ହୋଇଥିଲା। ତେବେ ବାଲିପାଟଣା ସ୍କୁଲ୍‌ ଛାତ୍ରୀନିବାସଟି ଆରମ୍ଭରୁ କାର୍ଯ୍ୟକ୍ଷମ ହୋଇପାରିଛି। ଏଠାରେ ପାଖାପାଖି ୪୫ ଛାତ୍ରୀ ରହୁଛନ୍ତି। କିନ୍ତୁ ବନମାଳୀପୁର ଛାତ୍ରୀନିବାସଟି ସେମିତି ତାଲା ପଡ଼ି ବନ୍ଦ ରହିଛି। ଏଠାରେ ନିଯୁକ୍ତି ପାଇଥିବା ୱାର୍ଡେନ୍‌ ପ୍ରିୟତମା ସ୍ବାଇଁ ବସି ବସି ୩ ମାସ ପରେ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି। ସୂଚନାନୁସାରେ ଗତ ୩ ବର୍ଷ ଭିତରେ ବହୁ ଅଭିଭାବକ ଏହି ଛାତ୍ରୀନିବାସକୁ ବୁଲି ଦେଖିଛନ୍ତି। କିନ୍ତୁ ଏଠାରେ ପିଲା ଛାଡ଼ିବାକୁ ଭୟ କରି ମୁହଁ ଫେରାଇ ନେଇଛନ୍ତି। ପ୍ରଥମତଃ ପାଚେରି ନିର୍ମା‌ଣ ହୋଇନଥିବାରୁ ଖୋଲାରେ ଥିବା ଏହି କୋଠା ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ଦ୍ବିତୀୟତଃ ଏହି କୋଠା ପାଖକୁ ଲାଗି ଏକ ସରକାରୀ ଦେଶୀ ମଦ ଦୋକାନ ରହିଛି। ତେଣୁ ଉଭୟ ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଏହି ଅସୁରକ୍ଷିତ ଛାତ୍ରୀନିବାସକୁ ଦେଖୁ ଦେଖୁ ନାପସନ୍ଦ କରୁଛନ୍ତି।

ଏହି କୋଠା ପାଇଁ ପାଚେରି ନିର୍ମାଣ କରିବାକୁ ବିଧାୟକ ଅରବିନ୍ଦ ଢାଲି ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁଚରଣ ପାତ୍ର କହିଛନ୍ତି। ସେହିଭଳି ଛାତ୍ରୀନିବାସ ପରିଚାଳନା ପାଇଁ ବିଦ୍ୟାଳୟକୁ ୨ ଲକ୍ଷ ଟଙ୍କା ମିଳିଛି। ଉକ୍ତ ଅର୍ଥ ସେମିତି ବିଦ୍ୟାଳୟ ଆକାଉଣ୍ଟରେ ପଡ଼ି ରହିଛି। ଏହି ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ଆସିଥିବାରୁ ଛାତ୍ରୀନିବାସର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର