ବିରାଜିବେ ଗଜଲକ୍ଷ୍ମୀ, ୫୪ ବର୍ଷରେ ବାପୁଜୀନଗର ଲକ୍ଷ୍ମୀପୂଜା

୫୪ ବର୍ଷରେ ବାପୁଜୀନଗର ଲକ୍ଷ୍ମୀପୂଜା

ବାପୁଜୀ ନଗରରେ ଆୟୋଜିତ ପୂଜା ରାଜଧାନୀର ସବୁଠୁ ପୁରୁଣା ପୂଜା ଭାବେ ପରିଗଣିତ ହେଉଥିବା ବେଳେ ପୂଜା ପେଣ୍ଡାଲ୍‌ର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ରାଜଧାନୀବାସୀଙ୍କୁ ଆକର୍ଷିତ କରେ। ୫୪ ବର୍ଷରେ ପଦାର୍ପଣ କରିଥିବା ବାପୁଜୀ ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ମା’ଙ୍କ ଅବସ୍ଥାନ ପାଇଁ ରତ୍ନ ଭଣ୍ଡାରର ସିନ୍ଦୁକ ପ୍ରସ୍ତୁତ କରାଯାଉଛି। ଏଥିସହ ମା’ଙ୍କ ଐଶ୍ବର୍ଯ୍ୟ କଳସ ପୂଜା ହିଁ ଆକର୍ଷଣ ସାଜିବ। ୫ଶହ ଟଙ୍କା ଦେଇ ଭକ୍ତମାନେ ମନସ୍କାମନା ପୂରଣ ପାଇଁ କଳସ ସ୍ଥାପନର ବନ୍ଦୋବସ୍ତ କରାଯାଇଛି ବୋଲି ଆସୋସିଏସନ୍‌ର ସମ୍ପାଦକ ଆଶିଷ ପଟ୍ଟନାୟକ କହିଛନ୍ତି। ମା’ଙ୍କ ପାଇଁ ସ୍ବତନ୍ତ୍ର ଖିରି ଭୋଗ ହେବାର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ଦିନରେ ମଣ୍ଡା, କାକରା, ମାଲପୁଆ ଆଦି ଭୋଗ କରାଯିବ। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଭଜନ, ଓଡ଼ିଶୀ, ଗୋଟିପୁଅ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ।

ସୁନା ଥାଳିରେ ଖାଇବେ, ରୁପା ଅଳଙ୍କାରରେ ସଜେଇ ହେବେ
ୟୁନିଟ-୯ ଭୁବନେଶ୍ବର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଆୟୋଜିତ ପୂଜା ଚଳିତ ବର୍ଷ ୩୯ ବର୍ଷରେ ପଦାର୍ପଣ କରିଥିବା ବେଳେ ଧନଲକ୍ଷ୍ମୀଙ୍କୁ ୩ କେଜି ରୁପା ଗହଣାରେ ସଜାଯିବ। ଷୋଡ଼ଶ ଉପଚାର ପୂଜା ସହ ୧୦ ଦିନ ଧରି ପୂଜା ଅନୁଷ୍ଠିତ ହେବ। ମା’ଙ୍କୁ ଖିରି, ଖେଚୁଡ଼ି, ‌ଦହିପଖାଳ ଭୋଗରେ ଆପାୟିତ କରାଯିବ। ମା’ଙ୍କ ନିକଟରେ ସୁନା ଥାଳିରେ ଭୋଗ ଲାଗିବ। ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କାଳ୍ପନିକ ତୋରଣ ପ୍ରସ୍ତୁତ କରାଯାଉଛି। ମୀନା ବଜାର, ପିଲାଙ୍କ ରେକର୍ଡ ଡ୍ୟାନ୍ସ, ଭଜନ ଓ ମେଲୋଡିର ବନ୍ଦୋବସ୍ତ ହୋଇଛି ବୋଲି ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ବକିଂହାମ୍‌ ପ୍ରାସାଦରେ ବିରାଜିବେ ମା’
ମା’ଙ୍କୁ ଆବାହନ ପାଇଁ ଲକ୍ଷ୍ମୀସାଗର ଓଁ ମା’ ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ୬୫ଫୁଟ ଓସାର ଓ ୭୦ ଫୁଟ ଉଚ୍ଚର ବକିଂହାମ୍ ତୋରଣ ଶୋଭା ପାଇବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ ରୁପା ମୁକୁଟ ଓ ଅଳଙ୍କାରରେ ସଜେଇ ହେବେ। ୧୭ରୁ ଚଇତାଳି, ଭଜନ, ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଏଥର ଲଟେରି ବ୍ୟବସ୍ଥା ଆୟୋଜନ କରାଯିବ ନାହିଁ ବୋଲି ପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଜୟରାମ ସାହୁଙ୍କ ସମେତ ସମସ୍ତ ସଦସ୍ୟ ନିବେଦନ କରିଛନ୍ତି।

ବିନା ଚାନ୍ଦାରେ ପୂଜା
ଓୟୁଏଟି, କୃଷିବିହାର ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ୧୪ ବର୍ଷରେ ପଦାର୍ପଣ କରିଥିବା ବେଳେ ବିଶେଷତ୍ବ ହେଉଛି, ଏଠାରେ ବିନା ଚାନ୍ଦାରେ ପୂଜା କରାଯାଇ ଆସୁଛି। ପୂଜାର ସମସ୍ତ ଖର୍ଚ୍ଚ କମିଟିର ସଦସ୍ୟମାନେ ବହନ କରୁଛନ୍ତି। ପୂଜା କମିଟିର ପ୍ରିୟବ୍ରତ ମଲ୍ଲିକଙ୍କ କହିବା ମୁତାବକ, ୧୮ ତାରିଖ ଦିନ ଆୟୋଜିତ ହେବାକୁ ଯାଉଥିବା କୁଆଁରୀ ପୂଜା ଆକର୍ଷଣ ସାଜିବ। ୩୦ରୁ ଅଧିକ କୁନି ଝିଅଙ୍କୁ ପ୍ରତୀକାତ୍ମକ ଭାବେ ପୂଜା କରାଯିବ। ସନ୍ଧ୍ୟା ଆଳତି ପ‌େର ମା’ମାନେ ତାଙ୍କ ଝିଅଙ୍କୁ ଅଳତା, ନୂଆବସ୍ତ୍ର, ଚନ୍ଦନ, ଚୁଡ଼ି ଓ ଦକ୍ଷିଣା ଦେଇ ପୂଜା କରିବେ। ୪ ଦିନ ମେଲୋଡି ଅନୁଷ୍ଠିତ ହେବା ସହ ୧୭ ତାରିଖରେ ପୂଜା କମିଟି ପକ୍ଷରୁ ମଙ୍ଗଳା ମଣ୍ଡପରେ ପ୍ରସାଦ ସେବନ ହେବ।

ରାଜସ୍ଥାନୀ ମନ୍ଦିରରେ ‌ଦର୍ଶନ ଦେବେ ମା’
ନୂଆପଲ୍ଲୀ ଯୁବ ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ୧୪ତମ ଗଜଲକ୍ଷ୍ମୀ ପୂଜାରେ ରାଜସ୍ଥାନୀ ମନ୍ଦିର ସଦୃଶ ତୋରଣ ଶୋଭା ପାଇବ। ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ତୋରଣକୁ କୋଲକାତାର କାରିଗରମାନେ ନିର୍ମାଣ କରିଛନ୍ତି। ଏଥିସହ ମା’ ରୁପା ମୁକୁଟ, ମଥାମଣି ଓ ହାରରେ ସଜେଇ ହେବେ। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଷଦର ସଭାପତି ନିଖିଳ କୁମାର ବଳବନ୍ତରାୟ, ସମ୍ପାଦକ ଦୀପକ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଚନ୍ଦନ ସାମନ୍ତରାୟ ସୂଚନା ଦେଇଛନ୍ତି।

ପୂଜାରେ ଜଳ ସଂରକ୍ଷଣ ସଚେତନତା
ବିଜେବି ନଗର ଯୁବ ପ୍ରତିଭା କ୍ଲବ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ୧୭ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ପ୍ଲାଷ୍ଟିକ୍‌ ବ୍ୟବହାର ବାରଣ, ଟ୍ରାଫିକ୍ ନିୟମ ସଚେତନତା ସହ ୭ଦିନ ଧରି ଜଳ ସଂରକ୍ଷଣ ସଚେତନତା କରାଯିବ। ବୃକ୍ଷରୋପଣ ସହ ଚାରା ମଧ୍ୟ ବଣ୍ଟନ ହେବ। ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦ତାରିଖରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। କ୍ଲବର ଉପଦେଷ୍ଟା ସମରେଶ ବେଉରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସଭାପତି ସୁଜିତ୍ ଜେନା, ସମ୍ପାଦକ ପି. ରାଜେଶ କୁମାର ରାୟ, ଭବ ଭାସ୍ବତ ହୋତା ପ୍ରମୁଖ ଗଜଲକ୍ଷ୍ମୀ ପୂଜା ସମ୍ପର୍କରେ ସୂଚନା ଦେଇଛନ୍ତି।

ପୁରୁଣା ଭୁବନେଶ୍ୱରରେ ଗଜଲକ୍ଷ୍ମୀଙ୍କ ପୂଜା ପ୍ରସ୍ତୁତି
ଏକାମ୍ର କ୍ଷେତ୍ରରେ ୨୫ଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଇବେ। କେବଳ ପୁରୁଣା ଭୁବନେଶ୍ୱରରେ ୧୫ଟି ସ୍ଥାନରେ ପୂଜା କରାଯିବ। ପୁରୁଣା ଭୁବନେଶ୍ୱରର ବ୍ୟବସାୟୀ ସଂଘ, ବଡ଼ୁ ସାହି, ତିନି ମୁଣ୍ଡିଆ ଛକ, ଗୋସାଗରେଶ୍ୱର ଛକ, ରାମେଶ୍ୱର ପାଟଣା ଛକ, ବଣିଆ ସାହି, ହାଟ ସାହି, ଯମେଶ୍ୱର ପାଟଣା, ପୁନାମା ଗେଟ୍‌‍ ଛକ, ମହତାବ ରୋଡ଼୍‍, ନାଗେଶ୍ୱର ଟାଙ୍ଗି, ରବି ଟକିଜ୍‍ ଛକ, ସାମନ୍ତରାପୁର, ଗ୍ୟାରେଜ୍‍ ଛକ, ବଡ଼ଗଡ଼, ସୁନ୍ଦରପଦାରେ ଗଜଲକ୍ଷ୍ମୀ ପୂଜା ପାଇବେ। ପୂଜା ବେଳେ ଆଇନ ଶୃଙ୍ଖଳା ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ଭୀମଟାଙ୍ଗି ଫେଜ୍‌ ୧ରେ ଆୟୋଜିତ ପୂଜାରେ ଟ୍ରାଫିକ୍‌ ନିୟମ ସଚେତନତା ଓ ବୃକ୍ଷରୋପଣ କରାଯିବ ବୋଲି ବରିଷ୍ଠ ସଦସ୍ୟ ରତ୍ନାକର ମହାକୁଡ଼ କହିଛନ୍ତି।

ପୂଜାରେ ‘ଝୁମ୍‌ ପୋଖରୀପୁଟ୍‌ ଝୁମ୍‌’
ପୋଖରୀପୁଟ୍‌ସ୍ଥିତ ମା’ ‘ଭୁଆସୁଣି ୟୁଥ୍ ଟ୍ରଷ୍ଟ ଗଜଲକ୍ଷ୍ମୀ ପୂଜା କମିଟି’ ପକ୍ଷରୁ ଅନନ୍ତ ବିହାର ବିଡିଏ କେଲାନିରେ ମା’ ଗଜଲକ୍ଷ୍ମୀ ରୁପା ମୁକୁଟରେ ଶୋଭା ପାଇବେ। ଚଳିତ ବର୍ଷ ମଧ୍ୟ ପୂଜା ୭ଦିନ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝୁମ୍ ପୋଖରୀପୁଟ୍ ଝୁମ୍’ ଅନୁଷ୍ଠିତ ହେବ। ପୂଜ୍ୟପୂଜାକୁ ସମ୍ମାନ ପୂର୍ବକ ପୂଜା ପରିପ୍ରେକ୍ଷୀରେ ୨୦ ତାରିଖରେ ୭ଜଣ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯିବ ବୋଲି ଟ୍ରଷ୍ଟ୍‌ର ଉପଦେଷ୍ଟା ହୃଦୟ ବଲ୍ଲଭ ସାମନ୍ତରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର