ବିଡିଏର ଜବରଦଖଲ ଉଚ୍ଛେଦ ଅଭିଯାନ, ୩ ପର୍ଯ୍ୟାୟରେ ୯ ଦୋକାନ ଭାଙ୍ଗିଲା

ଖଣ୍ଡଗିରି: ଗୁରୁବାର ବିଡିଏ ଓ ବିଏମ୍‌ସି ପକ୍ଷରୁ ହୋଇଥିବା ଜବରଦଖଲ ଉଚ୍ଛେଦରେ ୯ଟି ଦୋକାନ ଘର ଭଙ୍ଗାଯିବା ସହ ବଡ଼ ବଡ଼ ପ୍ଲଟକୁ ଘେରାବନ୍ଦୀ କରିଥିବା ୪/୫ଟି ପାଚେରି ଭଙ୍ଗା ଯାଇଛି। ପାତ୍ରପଡ଼ାରୁ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ମୋଟ ୩ ପର୍ଯ୍ୟାୟରେ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟ ଶାନ୍ତିଶୃଙ୍ଖଳାରେ ସମାହିତ ହୋଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ ପ୍ରଥମେ ପାତ୍ରପଡ଼ା ମୌଜାରେ ଖାତା ନଂ-୩୩୭ରେ ଥିବା ସରକାରୀ ଜମି(ରାଜପଥ ପାର୍ଶ୍ବ)ରେ ଥିବା ୩ଟି ଦୋକାନ ଘରକୁ ଭାଙ୍ଗି ଦିଆଯାଇଥିଲା। ଏହି ଜବରଦଖଲ ପାଇଁ ୨୦୦୨ ମସିହାରୁ ଜନୈକ ଜବରଦଖଲକାରୀଙ୍କ ବିରୋଧରେ ୟୁଏପି କେସ୍ ଚାଲିଥିଲା ଓ ୨୦୦୯ ମସିହାରେ ଉକ୍ତ ଜମିରୁ ଘର ଭାଙ୍ଗି ଜବରଦଖଲମୁକ୍ତ କରିବାକୁ ନିର୍ଦେଶ ଜାରି ହୋଇଥିଲା। ଏହି ପ୍ଲଟକୁ ଜବରଦଖଲମୁକ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଆଜି ଖଣ୍ଡଗିରି ଥାନା ପୁଲିସ ଏକ ପ୍ଲାଟୁନ୍‌ ପୁଲିସ ବଳ ଓ ଏକ ସେକ୍ସନ ମହିଳା ପୁଲିସ କର୍ମଚାରୀ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେହିଭଳି ଚନ୍ଦ୍ରଶେଖରପୁର କୈଳାସ ବିହାର ସଂଲଗ୍ନ ଜିଏ ପ୍ଲଟ ୧୮୩ ଓ ୧୮୪ରେ ଜବରଦଖଲ ହୋଇଥିବା ଜମିରୁ ୪ଟି ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି। ଏଠାରେ ଓଇଆର୍‌ସି ବିଲ୍ଡିଂ ନିକଟରେ ସରକାରୀ ଜମିରେ ହୋଇଥିବା ଏକ ସିମେଣ୍ଟ ଗୋଦାମର ୨ଟି ଘର ଭାଙ୍ଗି ଦିଆଯାଇଛି। ଚନ୍ଦ୍ରଶେଖରପୁରରେ ମୋଟ୍ ୩ ହଜାର ବର୍ଗଫୁଟ ସରକାରୀ ଜମି ମୁକୁଳିଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ବିଡିଏ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସହିତ ବିଏମ୍‌ସିର ଅଧିକାରୀ ଓ କର୍ମଚାରୀମାନେ ଏହି ଅଭିଯାନରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର