ମାଳିସାହିରେ ଉତ୍ତେଜନା: ପିଲା ଚୋର ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

ମହିଳାଙ୍କୁ ଉଦ୍ଧାର କରି ଆଶ୍ରୟ ଗୃହରେ ଛାଡ଼ିଲା ପୁଲିସ

ଭୁବନେଶ୍ବର : ପିଲା ଚୋରି ଅଭିଯୋଗରେ ଗୁରୁବାର ଅପରାହ୍ନରେ ମାଳିସାହିରେ ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିଛନ୍ତି। ମହିଳାଙ୍କୁ ଉଦ୍ଧାର କରି ପୁଲିସ ଥାନାକୁ ନେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମହିଳା ଜଣଙ୍କ ମାନସିକ ବିକୃତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଆଶ୍ରୟ ଗୃହରେ ଛଡ଼ା ଯାଇଥିବା ପୁଲିସ କହିଛି।

ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ଗୁରୁବାର ଅପରାହ୍ନରେ ମାଳିସାହିରେ ଏକ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ନେଇ ଯାଉଥିଲେ। ସ୍ଥାନୀୟ ଲୋକ ଏ କଥା ଜାଣିବା ପରେ ମହିଳାଙ୍କୁ ଅଟକାଇଥିଲେ। ତାଙ୍କ ପାଖରେ ଥିବା ଶିଶୁଟିକୁ ମଧ୍ୟ ଉଦ୍ଧାର କରିଥିଲେ। ଏହା ପରେ ତାଙ୍କୁ ଅଟକ ରଖି ପିଲା ଚୋରି କରୁଥିବା ଅଭିଯୋଗରେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇ ଆସିଥିଲା। ଲୋକ ଏ କଥା ଜାଣିବା ପରେ ଥାନା ଆଗରେ ହୋହଲ୍ଲା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଯଦି ମହିଳା ଜଣଙ୍କ ମାନସିକ ବିକାରଗ୍ରସ୍ତ ତାହେଲେ କାହିଁକି ଶିଶୁଟିକୁ ଧରି ଯାଉଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ପ୍ରାୟ ମାସକ ତଳେ ଏକ ଦମ୍ପତି ଜଣେ ମହିଳାଙ୍କୁ ଶିଶୁପୁତ୍ର ବିକ୍ରି କରିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର