ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ମିଳିତ ପରେଡ୍ ଅଭ୍ୟାସ କରାଯିବ। ୧୩ ତାରିଖ ସକାଳ ୮ଟାରେ ବିଧାନସୌଧ ନିକଟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସାମୂହିକ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ସନ୍ଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ। ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନକୁ ସାମିଲ କରାଯିବ।
ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ। ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ବରର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟାଦା ସହ ପାଳନ କରିବାକୁ ଉନ୍ନୟନ କମିସନର ଶ୍ରୀ ଜେନା କହିଥିଲେ। ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ବର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ-ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ।