ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ସରକାରଙ୍କ ଜବାବ ଦାଖଲ

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସତ୍ୟପାଠ ମାଧ୍ୟମରେ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଛି ଯେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ୬ରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସପିଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ଦିଆଯାଇଛି। ଜଣେ ଅତିରିକ୍ତ ଏସ୍‌ପି, ତିନିଜଣ ମହିଳା ଇନ୍ସପେକ୍ଟର୍‌ ଓ ସାଇବର ସେଲ୍‌ର ଜଣେ ଇନ୍ସପେକ୍ଟର୍‌ ତଦନ୍ତରେ ସହଯୋଗ କରୁଛନ୍ତି। ଏତଲାରେ ରହିଥିବା ତଥ୍ୟ ଅନୁସାରେ, ଏହି ଘଟଣା ୨୦୨୦, ଏପ୍ରିଲ ମାସରେ ହୋଇଥିବା ବେଳେ ଅଗଷ୍ଟ ୩୦ରେ ଏ ନେଇ ଅଭିଯୋଗ ରୁଜୁ ହୋଇଥିଲା। ଘଟଣାର ଚାରି ମାସ ପରେ ଏତଲା ରୁଜୁ ହୋଇଥିବାରୁ ବାୟୋଲୋଜିକାଲ୍ ଏଭିଡେନ୍ସ ପାଇବାରେ ତଦନ୍ତକାରୀ ସଂସ୍ଥା ପାଇଁ ସମସ୍ୟା ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ଅଭିଯୁକ୍ତଙ୍କୁ ଜେରା କରାଯାଇଛି। ଅଭିଯୁକ୍ତଙ୍କ ବୟାନର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସଏଫଏସଏଲରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏଥିପାଇଁ ଅଭିଯୁକ୍ତଙ୍କ ସମ୍ମତି ମଧ୍ୟ ନିଆଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି।

କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ବେଳେ ସତ୍ୟ ଉନ୍ମୋଚନ କରିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି। ଏହି ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ତତ୍‌କ୍ଷଣାତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସହ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାୟର କରିଥିବା ଜନସ୍ବାର୍ଥ ଆବେଦନର ମଧ୍ୟ ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି। ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ଜନସ୍ବାର୍ଥ ଆବେଦନରେ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ବୋଲି ଦର୍ଶାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଏତଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ କମିସନରେଟ୍ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ। ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବା ବେଳେ ଏବେ ଏହାକୁ ରାଜନୈତିକ ରଙ୍ଗ ମଧ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ତଦନ୍ତକୁ ପ୍ରଭାବିତ କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନାହିଁ। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସିବିଆଇ ଭଳି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର