ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ବସ୍ତି ଭୋଟ ପାଇଁ କସରତ

୨୦୧୪ରେ ୪୫%, ୨୦୦୮ରେ ୩୯.୬% ମତଦାନ
ବସ୍ତି ଭୋଟରଙ୍କ ମତଦାନ ହାର ୮୦% ରହୁଛି

ଭୁବନେଶ୍ବର : ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ। ନିଜ ସପକ୍ଷରେ ଭୋଟ୍‌ ହାତେଇବା ପାଇଁ ଦିନରାତି ଏକ କରିଦେଇଛନ୍ତି। ଗତ ଦୁଇ ଦିନ ହେଲା ମେୟର ପ୍ରାର୍ଥୀମାନେ ଦିନକୁ ୧୦ରୁ ୧୨ଘଣ୍ଟା ପ୍ରଚାରରେ କାଟୁଛନ୍ତି। କେଉଁ ଅଞ୍ଚଳରେ କେତେ ଭୋଟର ଅଛନ୍ତି, କେଉଁ ବର୍ଗର ଅଛନ୍ତି ତାହାର ତାଲିକା ଧରି ପ୍ରଚାର କରୁଛନ୍ତି। ଭୁବନେଶ୍ବରରେ ମତଦାନ ହାର କମ୍‌ ରହୁଥିବାରୁ ପ୍ରାର୍ଥୀଙ୍କ ଟାର୍ଗେଟରେ ଏବେ ବସ୍ତି ଭୋଟର ରହିଛନ୍ତି। ୬୭ଟି ୱାର୍ଡରେ ପ୍ରାୟ ଅଢ଼େଇ ଲକ୍ଷ ବସ୍ତି ଭୋଟର ଥିବାରୁ ସବୁ ପ୍ରାର୍ଥୀଙ୍କର ନଜର ଏବେ ଏମାନଙ୍କ ଉପରେ ରହିଛି।

ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୱାର୍ଡଗୁଡ଼ିକରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଓ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଜଣ ଅନ୍ୟାନ୍ୟ ବର୍ଗର ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ ଭୋଟର କେବଳ ବସ୍ତି ଅଞ୍ଚଳରେ ରହୁଛନ୍ତି। ଏମିତିରେ ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ୍‌। ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ମାତ୍ର ୪୫% ରହିଥିଲା। ସେଥିମଧ୍ୟରୁ ଅଧିକାଂଶ ଭୋଟର ବସ୍ତି ଅଞ୍ଚଳର। ୨୦୧୪ ପୌର ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ପାଖାପାଖି ୪୫% ଥିବାବେଳେ ୨୦୦୮ରେ ଏହା ୩୯.୬% ରହିଥିଲା। ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ପ୍ରାର୍ଥୀଙ୍କ ଭରସା ଏବେ କେବଳ ବସ୍ତିବାସିନ୍ଦାଙ୍କ ଉପରେ। ବସ୍ତି ଭୋଟରଙ୍କ ମତଦାନ ହାର ୮୦%ରୁ ଅଧିକ ରହୁଥିବାରୁ ଏବେ ପ୍ରାର୍ଥୀମାନେ ବସ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଦିନକୁ ଯେତୋଟି ଶୋଭାଯାତ୍ରା, ସାଧାରଣ ସଭା ହେ‌ଉଛି ସେଥିରୁ ଦୁଇରୁ ତିନିଟି ବସ୍ତି କିମ୍ବା ନିକଟବର୍ତୀ ଅଞ୍ଚଳରେ କରୁଛନ୍ତି। କେମିତି ବସ୍ତି ଭୋଟରଙ୍କୁ ହାତେଇବେ ସେଥିପାଇଁ ପ୍ରାର୍ଥୀମାନେ ବିଭିନ୍ନ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ସବୁ ଦଳର ମେୟର ପ୍ରାର୍ଥୀ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର, ଜମି ପଟ୍ଟା, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପିଇବା ପାଣି, ଚକାଚକ୍ ରାସ୍ତା, ସରକାରୀ ଭତ୍ତା ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛନ୍ତି। ବସ୍ତି ନିକଟରେ ଥିବା ଚା’ ଦୋକାନ ଖଟିରେ ବସି ଆଲୋଚନା କରୁଛନ୍ତି। ଏପରିକି ବସ୍ତିବାସିନ୍ଦାଙ୍କୁ କୁ‌ଣ୍ଢେଇ ଧରି ତାଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି। କେବଳ ଯେ ମେୟର ପ୍ରାର୍ଥୀ ବସ୍ତି ଅଞ୍ଚଳକୁ ଫୋକସ୍‌ କରୁଛନ୍ତି ତାହା ନୁହେଁ। ବରଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ ମଧ୍ୟ ଏବେ ବସ୍ତି ଭରସାରେ ରହିଛନ୍ତି। ଜଣେ କର୍ପୋରେଟର ପ୍ରାର୍ଥୀ କହିଛନ୍ତି ଯେ ମୋ ୱାର୍ଡରେ ୭ ହଜାର ଭୋଟର ରହିଛନ୍ତି। ସେଥିମଧ୍ୟରୁ ମାତ୍ର ୫ ହଜାର ଭୋଟରଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରିଛୁ। ବାକି ଦୁଇ ହଜାର ଭୋଟ କେଉଁ ଅଞ୍ଚଳର ଖୋଜି ପାଉ ନାହୁଁ। ସେମାନେ ଅନ୍ୟ ୱାର୍ଡରେ ରହୁଥିବା ଅନୁମାନ କରୁଛୁ। ‌ତେଣୁ ଏବେ କେବଳ ବସ୍ତି ଭୋଟରଙ୍କ ଉପରେ ହିଁ ଭରସା କରି ଆଗକୁ ବଢ଼ୁଛୁ।

ଭୁବନେଶ୍ବରରେ ପଞ୍ଜୀକୃତ ୪୩୬ ବସ୍ତି ସମେତ ଅଣପଞ୍ଜୀକୃତ ପ୍ରାୟ ୬୦ ବସ୍ତିକୁ ମିଶାଇଲେ ପ୍ରାୟ ୫୦୦ ବସ୍ତି ରହିଛି। ଏଠାରେ ପ୍ରାୟ ସାଢ଼େ ୩ଲକ୍ଷ ଲୋକ ରହୁଥିବା ବେଳେ ୭୦% ହେଉଛନ୍ତି ମତଦାତା। ଏହି ହିସାବରେ ୨ଲକ୍ଷ ୪୫ହଜାର ଭୋଟର କେବଳ ବସ୍ତିରେ ଅଛନ୍ତି। ଏଥିରୁ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ ୨୪ ୱାର୍ଡରେ ସର୍ବାଧିକ ୧ଲକ୍ଷ ୩୫ହଜାର ବସ୍ତି ଭୋଟର ଥିବାବେଳେ, ମଧ୍ୟ ଭୁବନେଶ୍ବରରେ ୬୦ହଜାରରୁ ଅଧିକ ବସ୍ତି ଭୋଟର ଅଛନ୍ତି। ଭୁବନେଶ୍ବର ଏକାମ୍ରରେ ପ୍ରାୟ ୪୦ହଜାର ବସ୍ତି ଭୋଟର ଥିବା ପ୍ରାର୍ଥୀମାନେ ହିସାବ କରିଛନ୍ତି। ଏହାକୁ ନଜରରେ ରଖି ପ୍ରଚାର କରିବା ସହ ସେହି ଅନୁଯାୟୀ ପ୍ରତିଶ୍ରୁତି ‌ବି ଦେଉଛନ୍ତି।

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରଚାର ସମୟରେ ସାଙ୍ଗରେ କର୍ପୋରେଟର ପ୍ରାର୍ଥୀଙ୍କୁ ନେଇ ଯାଉଛନ୍ତି। ବିଧାୟକମାନେ ମଧ୍ୟ ସାମିଲ ହୋଇ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ କହୁଛନ୍ତି। ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଅଧା ରହିଯାଇଥିବା କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସେମାନଙ୍କୁ ଭୋଟ୍‌ ଦେଇ ଜିତାଇବାକୁ କହୁଛନ୍ତି। ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କ ସହ ୱାର୍ଡର କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି। ୨୨ବର୍ଷ‌ର ସରକାର ବସ୍ତିବାସିନ୍ଦାଙ୍କ ବିକାଶ କରିପାରି ନାହାନ୍ତି। ମୌଳିକ ସୁବିଧାସୁଯୋଗ ଦେଇପାରି ନାହାନ୍ତି। ଆଉ କେତେଦିନ ଅପେକ୍ଷା କରିବ। ଏଥର ପରିବର୍ତ୍ତନ ହେବା ଦରକାର। କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ବସ୍ତି ଭୋଟରଙ୍କ ଉପରେ ଆଖି ପକାଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିକାଶ ପାଇଁ କଂଗ୍ରେସକୁ ଭୋଟ ଦେବାକୁ କହୁଛନ୍ତି।

ସମ୍ବନ୍ଧିତ ଖବର