ଭୁବନେଶ୍ୱର ରେଳ ଷ୍ଟେସନ ଅଗ୍ରଗତିର ସମୀକ୍ଷା କଲେ ରେଲୱେ ବୋର୍ଡ ଅଧ୍ୟକ୍ଷ: ବିଶ୍ୱସ୍ତରୀୟ ସ୍ୱପ୍ନ ସାକାର ହେବ ତ?

ଭୁବନେଶ୍ୱର ନ୍ୟୁ ଷ୍ଟେସନ ହେବ ଉପ-ଟର୍ମିନାଲ
ରେଳବାଇ ବିଡିଏ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି

ଭୁବନେଶ୍ଵର : ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯେଉଁସବୁ ପ୍ରକଳ୍ପ ହାତକୁ ନିଆ ଯାଇଥିଲା, ସେସବୁ ଇତିମଧ୍ୟରେ ଧିମେଇ ଯାଇଛି। ଫଳରେ ବିଶ୍ବସ୍ତରୀୟ ସ୍ବପ୍ନ ସାକାର ହେବ କି ନାହିଁ, ତାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏମିତି ସମୟରେ ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମା ଦିନିକିଆ ଭୁବନେଶ୍ବର ଗସ୍ତରେ ଆସି ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବାରୁ ଏହି କାର୍ଯ୍ୟ ଆଗକୁ ବଢ଼ିବା ନେଇ ଆଶାର ସଞ୍ଚାର ହୋଇଛି।

ରେଳଷ୍ଟେସନର ନିରୀକ୍ଷଣ ସମୟରେ ଶ୍ରୀ ଶର୍ମା ଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶର୍ମା କହିଥିଲେ ଯେ ଯାତ୍ରୀଙ୍କ ସୁବିଧା ପାଇଁ ଥିବା ବ୍ୟବସ୍ଥାଗୁଡ଼ିକର ପୁନଃବିକାଶ କରାଯାଇଛି। ଆଉ କିଛି ବିକାଶ ପ୍ରକ୍ରିୟା ଏବେ ବି ଜାରି ରହିଛି। ରେଳବାଇର ଚଳପ୍ରଚଳ ବିସ୍ତୃତ ସ୍ଥାନ, ପ୍ଲାଟଫର୍ମ ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ, ଏସ୍କାଲେଟର, ଲିଫ୍ଟ ଓ ଯାତ୍ରୀଙ୍କ ଆରାମ ଦେବା ପାଇଁ ଆବଶ୍ୟକ ସୁବିଧାଗୁଡ଼ିକ ପ୍ରତି ପ୍ରାଥମିକତା ଦିଆଯାଉଛି। ଶ୍ରୀ ଶର୍ମା ଆହୁରି କହିଥିଲେ ଯେ ଭୁବନେଶ୍ୱର ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ। ରେଲୱେ ବିଡିଏ ସହ ସମନ୍ୱୟ ରକ୍ଷା କରି ଏକ ମିଳିତ ଯୋଜନା କାର୍ଯ୍ୟକ୍ଷମ ହେଉଛି। ବିକାଶ ମୂଳକ କାର୍ଯ୍ୟର ରେଳବାଇ ଅଂଶର କାମ ରେଳ ଜମି ବିକାଶ ପ୍ରାଧିକରଣ(ଆରଏଲଡିଏ) କରିବ। ବାକି କାମ ବିଡିଏ ଦ୍ୱାରା କରାଯିବ। ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପ୍ରୋଜେକ୍ଟରେ ଗୋଟିଏ ପ୍ଲାଟଫର୍ମ ଓ ଦୁଇଟି ଅତିରିକ୍ତ ଲାଇନ୍‌ ଯୋଗ କରାଯିବ। ଭୁବନେଶ୍ୱର ନୂତନ ରେଳ ଷ୍ଟେସନକୁ ମୁଖ୍ୟ ଷ୍ଟେସନର ଉପ-ଟର୍ମିନାଲ ଷ୍ଟେସନ ଭାବେ ବିକଶିତ କରାଯାଉଛି। ଓଡ଼ିଶାରେ ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି। ରେଳବାଇ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ଆନୁସଙ୍ଗିକ ବିଷୟ କାର୍ଯ୍ୟକାରୀ କରାଯାଉଛି। ପ୍ରକଳ୍ପଗୁଡିକ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କଠାରୁ ସହାୟତା ନେଉଥିବା ନେଇ ଶ୍ରୀ ଶର୍ମା କହିଛନ୍ତି। ଏହି ଅବସରରେ ରେଳବାଇ ପ୍ରତୀକ୍ଷା ଗୃହରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ସହ ଶ୍ରୀ ଶର୍ମା ଆଲୋଚନା କରି ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସମୀକ୍ଷା ବୈଠକ ସମୟରେ ଶ୍ରୀ ଶର୍ମା ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ପୂର୍ବତଟ ରେଳପଥକୁ ପ୍ରଶଂସା କରି କହିଥିଲେ ଯେ ରେଳବାଇରେ ଆମର କାର୍ଯ୍ୟ ପ୍ରତି ଆମର ମନୋଭାବ ଓ ଅଖଣ୍ଡତା ପାଇଁ ଗର୍ବ କରିବା ଉଚିତ। ସମସ୍ତ କର୍ମଚାରୀଙ୍କ ଯତ୍ନ ନେଇ ସେମାନଙ୍କୁ ଉତ୍ସାହିତ କରିବା ଦରକାର। ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ ସେବା ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ସୁରକ୍ଷା ଉପରେ ଧ୍ୟାନ ଦେବା, ଟର୍ମିନାଲ ବନ୍ଦୋବସ୍ତକୁ ହ୍ରାସ କରିବା, ମଧ୍ୟବର୍ତ୍ତୀ ବ୍ଲକ ସିଗନାଲିଂ ମାଧ୍ୟମରେ ଲାଇନ କ୍ଷମତା ବୃଦ୍ଧି, ସ୍ୱୟଂଚାଳିତ ବ୍ଲକ ସଙ୍କେତ ପ୍ରଣାଳୀ ଓ ଆନୁସଙ୍ଗିକ କର୍ମଚାରୀମାନଙ୍କର ସଠିକ ପରିଚାଳନା ତଥା ପରାମର୍ଶ ପାଇଁ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ। ଭାରତୀୟ ରେଳବାଇର ସମସ୍ତ ପଣ୍ୟ ବୋଝେଇ ଜୋନ୍ ମଧ୍ୟରେ ପୂର୍ବତଟ ରେଳପଥ କ୍ରମାଗତ ଭାବେ ଶୀର୍ଷ ସ୍ଥାନ ବଜାଇ ରଖିଥିବାରୁ ଶ୍ରୀ ଶର୍ମା ଅଭିନନ୍ଦନ ଜଣାଇଥିଲେ।

ଏହାପରେ ଶ୍ରୀ ଶର୍ମା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ରେଳବାଇର ବିଭିନ୍ନ ଶାଖାଗୁଡ଼ିକର ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ଓ ମଣ୍ଡଳ ରେଳବାଇ ପ୍ରବନ୍ଧକମାନଙ୍କ ସହ ରେଳ ସଦନଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର