ରାଜଧାନୀର ଜଳବନ୍ଦୀ ସମସ୍ୟା-୨ : ହଜାରେ କୋଟିର ପ୍ୟାକେଜ୍ ଉଭାନ୍‌

ଘୋଷଣା କଲେ, ଦେଲେନି, ୧୦ମାସରେ ମିଳିଛି ୬୦କୋଟି

ଭୁବନେଶ୍ବର, (ବିଶ୍ବଜିତ ଦାଶ): ରାଜଧାନୀରେ ଜଳବନ୍ଦୀ ସମସ୍ୟା ସାଂଘାତିକ ରୂପ ନେଉଥିବାରୁ ଏହାର ସମାଧାନ ପାଇଁ ମାର୍ଚ୍ଚ, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜାରେ କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ। ରାଜଧାନୀର ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବା ପାଇଁ ବିଏମ୍‌ସି ଏହି ହଜାରେ କୋଟି ଖର୍ଚ୍ଚ କରିଥାନ୍ତା। ହଜାରେ କୋଟି କେଉଁ କେଉଁ ବାବଦକୁ ଖର୍ଚ୍ଚ ହେବ, ତା’ର ରିପୋର୍ଟ ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ବି ମାଗିଲା। ବିଏମ୍‌ସି ଜୁଲାଇ, ୨୦୧୯ରେ ହଜାରେ କୋଟି କେଉଁ କେଉଁ ବାବଦକୁ କିପରି ଖର୍ଚ୍ଚ ହେବ, ତା’ର ତାଲିକା ପ୍ରସ୍ତୁତ କରି ପଠାଇଲା। ହେଲେ ୧୦ ମାସ ଭିତରେ ମିଳିଛି ମାତ୍ର ୬୦କୋଟି। ବର୍ତ୍ତମାନର ସ୍ଥିତି ଯାହା ଏବେ ଏ ବାବଦକୁ ଟଙ୍କାଟେ ବି ମିଳିବାର ନାହିଁ।

ରାଜଧାନୀକୁ ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ବିଏମ୍‌ସି ଯେଉଁ ଯୋଜନା କଲା, ତାହା ଏବେ ଫସର ଫାଟି ଯାଇଛି। ଚଳିତ ବର୍ଷା ଋତୁ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ କରି, ଡ୍ରେନ୍ ପୁନରୁଦ୍ଧାର କରିବାକୁ ଯେଉଁ ସବୁ ଯୋଜନା ହୋଇଥିଲା ତାହା ଫୁସ୍‌ ହୋଇଯାଇଛି। ପାଖରେ ଟଙ୍କା ନଥିବାରୁ ମୁଖ୍ୟ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ଜମି ଅଧିଗ୍ରହଣ ହୋଇପାରୁନି କି ମୁଖ୍ୟ ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ହୋଇପାରୁନି। ଏପରିକି ବହୁ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ପାଇଁ ଯେଉଁ ଯୋଜନା ହୋଇଥିଲା, ତାହା ବି ହୋଇପାରିଲାନି। ସ୍ଥିତି ଏବେ ଯଥା ପୂର୍ବଂ ତଥା ପରଂ। ବିଏମ୍‌ସି, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବେ ନିଜ ନିଜ ଡ୍ରେନ୍‌ ସଫା କରି ବର୍ଷା ଜଳ ନିଷ୍କାସନ ପାଇଁ କିଛି ଉଦ୍ୟମ କରିଥିଲେ ହେଁ ବଡ଼ ବର୍ଷା ହେଲେ ଏ କାମ କିଛି କାମ ଦେବନି। ମୁଖ୍ୟ ଡ୍ରେନ୍‌ରେ ମୂଷଳ ଧାରାରେ ପାଣି ଗଲେ ପୁଣି ଡ୍ରେନ୍‌ ପାଚେରି ଭୁଶୁଡ଼ିବା ଥୟ। ଡ୍ରେନ୍‌ ପାଣି ଉଛୁଳି ଲୋକଙ୍କ ଘରେ ପଶିବା ଥୟ। ୧୯ ଓ ୨୦ ତାରିଖରେ ବାତ୍ୟା ଅମ୍ଫାନ ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏହା ଯେ ରାଜଧାନୀରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ନକରିବ, ତାହା କହିହେବନି। ଯଦି ରାଜ୍ୟ ସରକାର ଘୋଷଣା ମୁତାବକ, ହଜାରେ କୋଟି ଦେଇଥାନ୍ତେ ହୁଏତ ରାଜଧାନୀବାସୀ ବାତ୍ୟା ଅମ୍ଫାନରେ ଜଳବନ୍ଦୀ ହେବାର ଭୟରେ ନଥାନ୍ତେ। କିନ୍ତୁ ରାଜ୍ୟ ସରକାର ଟଙ୍କା ଦେଲେନି ବୋଲି ବିଏମ୍‌ସି ଉପାୟଶୂନ୍ୟ ହୋଇ ବସିଗଲା।

ସୂଚନାଯୋଗ୍ୟ ଯେ ୨୦୧୮ରେ ରାଜଧାନୀ ବାରମ୍ବାର ଜଳବନ୍ଦୀ ହେବାରୁ ତତ୍କାଳୀନ ବିଏମ୍‌ସି କମିସନର କ୍ରିଷନ କୁମାର ବିଏମ୍‌ସି ଅଧିକାରୀଙ୍କୁ ସଙ୍ଗରେ ନେଇ ପ୍ରତ୍ୟେକ ମୁଖ୍ୟ ଡ୍ରେନ୍‌ର ଆରମ୍ଭରୁ ଶେଷ ଯାଏ ଚାଲିଚାଲି ଯାଇଥିଲେ। ଯେଉଁଠି ଜବରଦଖଲ ଯୋଗୁଁ ଜଳପ୍ରବାହ ହେଉ ନଥିଲା ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉଥିଲା। ଏହାପରେ ରାଜଧାନୀର ଡ୍ରେନେଜ୍‌ ବ୍ୟବସ୍ଥା ସଜାଡ଼ିବାକୁ ଯୋଜନା ପ୍ରସ୍ତୁତ ହେଲା। ସମର୍ଥ ବର୍ମା ବିଏମ୍‌ସି କମିସନର ହୋଇ ଆସିବା ପରେ ହଜାରେ କୋଟିର ପ୍ୟାକେଜ୍‌ ପାଇଁ କେମିତି ଟଙ୍କା ଖର୍ଚ୍ଚ ହେବ ତା’ର ତାଲିକା ପ୍ରସ୍ତୁତ ହେଲା। ଆଉ ବର୍ତ୍ତମାନର କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସମୟରେ ନଗର ଉନ୍ନୟନ ବିଭାଗକୁ ହଜାରେ କୋଟିର ତାଲିକା ଦିଆଗଲା। ହେଲେ ମିଳିଛି ମାତ୍ର ୬୦କୋଟି।

କେମିତି ଥିଲା ଯୋଜନା
ବିଏମ୍‌ସିର ହିସାବ ଅନୁଯାୟୀ, ୧୧ଟି ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ୩୦୬ କୋଟି ୫୪ଲକ୍ଷ, ୬୦ଏକର ଜମି ଅଧିଗ୍ରହଣ ପାଇଁ ୬୨୦କୋଟି ୯୫ଲକ୍ଷ ୭୦ହଜାର, ୧୯୭ଟି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୭୨କୋଟି ୫୦ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବ।

ରାଜଧାନୀରେ ଥିବା ୧୦ଟି ମୁଖ୍ୟ ଡ୍ରେନ୍ ଏବଂ ଦୁଇଟି ଶାଖା ଡ୍ରେନ୍‌କୁ ମିଶାଇ ଗୋଟିଏ ମୁଖ୍ୟ ଡ୍ରେନ୍ ଭାବେ ହିସାବ କରାଯାଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଏବେ ଜବରଦଖଲରେ ଥିବା ବେଳେ କେତେକ ସ୍ଥାନରେ ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହାବାଦ୍ ମୁଖ୍ୟ ଡ୍ରେନ୍‌ର ପାଚେରି, ଏହାକୁ ସଂପୂର୍ଣ୍ଣ ସଫା କରିବା ଭଳି କାମ ଅଛି। ମୁଖ୍ୟ ଡ୍ରେନ୍‌ର ଉତ୍ପତ୍ତି ସ୍ଥଳରୁ ଆରମ୍ଭ କରି ଗଙ୍ଗୁଆ, ଦୟାୱେଷ୍ଟ କେନାଲା ଓ ବୁଢ଼ୀ ନାଳରେ ମିଶିବା ପର୍ଯ୍ୟନ୍ତ ଡ୍ରେନ୍‌ର ପୁନରୁଦ୍ଧାର କରାଯିବ। ଟଙ୍କା ମିଳିଲେ ଦୁଇ ବର୍ଷ ମଧ୍ୟରେ ସମସ୍ତ କାମ ଶେଷ କରାଯାଇଥାନ୍ତା। କିନ୍ତୁ ବର୍ଷକରେ ବହୁ କାମ ହୋଇଯାଇଥାନ୍ତା।

୧୧ଟି ଯାକ ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ପ୍ରାୟ ୬୦ଏକର ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏକର ପିଛା ହାରାହାରି ୧୦ କୋଟି ଖର୍ଚ୍ଚ ହେବ। ଯେଉଁ ଅଞ୍ଚଳରେ ଜମିର ବେଞ୍ଚମାର୍କ ମୂଲ୍ୟ ଯେତେ ଥିବ, ସେହି ଅନୁସାରେ ଅର୍ଥ ଦିଆଯିବ।

୧୯୭ଟି ସ‌ମ୍ବେଦନଶୀଳ ସ୍ଥାନ‌ ପାଇଁ ୭୨.୫୦କୋଟି
ମୁଖ୍ୟ ଡ୍ରେନ୍ ପୁନରୁଦ୍ଧାର ହେଲେ ବି ରାଜଧାନୀ ଭିତରେ ଥିବା ବିଏମ୍‌ସି ଡ୍ରେନ୍‌ଗୁଡ଼ିକର ସ୍ଥିତି ବହୁ ସ୍ଥାନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏବଂ ଏହାର ନିର୍ମାଣ ଶୈଳୀରେ ତ୍ରୁଟି ଥିବାରୁ ଏଥିରେ ପାଣି ନିଷ୍କାସନ ହୋଇପାରୁନି। ତେଣୁ ଏଗୁଡ଼ିକୁ ଖୋଳିବା, ଅଧିକ ଓସାର କରିବା, ନୂଆ ଡ୍ରେନ୍ ତିଆରି କରିବାକୁ ଯୋଜନା ହୋଇଛି। ଏଥିପାଇଁ ୧୯୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି। ଏଥିପାଇଁ ୭୨.୫୦କୋଟି ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର