କମିସନରେଟ୍‌ ପୁଲିସରେ ଅଦଳ ବଦଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି କମିସନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ଏଡିସିପି ଓ ଏସିପି ରୢାଙ୍କର ୫୩ ଜଣ ଅଧିକାରୀ ଓ ୬୭ଜଣ ଏସଆଇଙ୍କର ବଦଳି ହୋଇଛି। ସେଥିମଧ୍ୟରେ ୨୬ଜଣ ଇନ୍ସପେକ୍ଟର ଅଛନ୍ତି। ଭୁବନେଶ୍ବର ଓ କଟକରେ ଦୀର୍ଘ ଦିନ ଧରି ଆସ୍ଥାନ ଜମାଇଥିବା ଅଫିସରମାନଙ୍କୁ ଏପଟ ସେପଟ କରାଯାଇଛି। ଆଉ କିଛି ଅଧିକାରୀଙ୍କୁ ଥାନା ଓ ଜୋନ୍‌ ଦାୟିତ୍ବରୁ ହଟାଇ ଦିଆଯାଇ କମିସନରେଟ ପୁଲିସ ମୁଖ୍ୟାଳୟ ଓ ଡିସିପିଙ୍କ କାର୍ଯ୍ୟାଳୟକୁ, ଆଉ କିଛି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏସିପି ଅସୀମ ପଣ୍ଡା ଓ ରବିନାରାୟଣ ଶତପଥୀଙ୍କୁ ଜୋନ୍‌ ଦାୟିତ୍ବରୁ ହଟାଇ ଦିଆଯାଇଛି। ଅସୀମ ପଣ୍ଡାଙ୍କ ସ୍ଥାନରେ ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କୁ ଜୋନ-୧ ଦାୟିତ୍ବ ମିଳିଛି। କ୍ୟାପିଟାଲ ଥାନା ଇନ୍ସପେକ୍ଟର ଇନଚାର୍ଜ ଏସିପି ମାନସ ଗଡ଼ନାୟକଙ୍କୁ କଟକ ଜୋନ-୧ ଏସିପି ଭାବେ ଦାୟିତ୍ବ ମିଳିଛି। କ୍ୟାପିଟାଲ ଥାନା ଇନ୍ସପେକ୍ଟର ଭାବେ କ୍ରାଇମବ୍ରାଞ୍ଚରୁ ଆସିଥିବା ଗିରିଜା ଚକ୍ରବର୍ତୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ବିବାଦରେ ଥିବା ମଞ୍ଚେଶ୍ବର, ଖାରବେଳନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଓ ମହିଳା ଥାନା ଇନ୍ସପେକ୍ଟରଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି। କହିବାକୁ ଗଲେ ଭୁବନେଶ୍ବରର ଅଧିକାଂଶ ଅଫିସର୍‌ଙ୍କ କଟକ ବଦଳି ହୋଇଥିବା ବେଳେ କଟକର ଅଧିକାଂଶ ଅଫିସର୍‌ଙ୍କ ବଦଳି ଭୁବନେଶ୍ବର ହୋଇଛି। ଏଥିପାଇଁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କମିସନରେଟ ପୁଲିସ ମୁଖ୍ୟାଳୟରେ ମାରାଥନ ବୈଠକ ବସିଥିଲା।

ସମ୍ବନ୍ଧିତ ଖବର