ବିଜୟ ମହାନ୍ତିଙ୍କ ଅଭିନୀତ ୧୯୭୮ର ଚଳଚ୍ଚିତ୍ର ‘ପତି ପତ୍ନୀ’ର ପ୍ରିଣ୍ଟ ଉଦ୍ଧାର

କରୋନା ସଂକଟ ଟଳିବା ପରେ ସ୍ମୃତିଛାୟାରେ ପ୍ରଦର୍ଶିତ ହେବ

ଭୁବନେଶ୍ବର,: ଓଡ଼ିଆ ସିନେ ଜଗତ କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କୁ ହରାଇନି ଯେ ତାଙ୍କ ଅଭିନୟର ସ୍ବାକ୍ଷର ବହନ କରୁଥିବା କିଛି ଚଳଚ୍ଚିତ୍ରକୁ ବି ହରାଇ ଦେଇଛି। ଏବେ ବି ବିଜୟ ମହାନ୍ତିଙ୍କ ଅଭିନୀତ ଚଳଚ୍ଚିତ୍ର କିଏ ଜିତେ କିଏ ହାରେ, ନଳ ଦମୟନ୍ତୀ, ମମତା ମାଗେ ମୂଲ, ସଂସ୍କାର ଭଳି ଚଳଚ୍ଚିତ୍ରର ପ୍ରିଣ୍ଟ୍‌ ଆଉ ମିଳୁନାହିଁ। ଏସବୁ ନିରାଶା ଭିତରେ ଆଶାର ଦୀପଟିଏ ଜାଳିଛି ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ ଫୋରମ୍‌ (ଏଫ୍‌ଜେଏଫ୍)। ୧୯୭୮ ମସିହାରେ ସୁଭଦ୍ରା ଆର୍ଟ ପିକ୍‌ଚର୍ସ ଦ୍ବାରା ନିର୍ମିତ ବିଜୟ ମହାନ୍ତିଙ୍କ ଅଭିନୀତ ‘ପତି ପତ୍ନୀ’କୁ ଏଫ୍‌ଜେଏଫ୍ ଉଦ୍ଧାର କରିଛି। କଟକର ଜଣେ ବିତରକଙ୍କ ନିକଟରୁ ଏହି ଫିଲ୍ମର ପ୍ରିଣ୍ଟ୍‌ ସଂଗ୍ରହ କରାଯାଇଛି। ଏଫ୍‌ଜେଏଫ୍ ପକ୍ଷରୁ ଏହି ଫିଲ୍ମକୁ ‘ସ୍ମୃତିଛାୟା’ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବାକୁ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ସ୍ଥିତିରେ ସୁଧାର ଆସି ଜନଜୀବନ ସ୍ବାଭାବିକ ହେବା ପରେ ବିଜୟ ମହାନ୍ତିଙ୍କୁ ସ୍ମୃତିରେ ଏହି ଚଳଚ୍ଚିତ୍ରକୁ ସମର୍ପିତ କରାଯାଇ ପ୍ରଦର୍ଶିତ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଏଫ୍‌ଜେଏଫ୍‌ର ସୂର୍ଯ୍ୟ ଦେଓ କହିଛନ୍ତି।

ଅହଲ୍ୟା ଦେବୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଦକ୍ଷିଣ ଭାରତୀୟ ନିର୍ଦେଶକ ଏମ୍‌ଏସ୍‌କେ ରେଡ୍ଡୀ। ବିଜୟ ମହାନ୍ତିଙ୍କ ସମେତ ଶରତ ପୂଜାରୀ, ଉତ୍ତମ ମହାନ୍ତି, ମହାଶ୍ବେତା ଓ ତନ୍ଦ୍ରା ରାୟ ଏଥିରେ ଅଭିନୟ କରିଛନ୍ତି। ସଂଗୀତ ନିର୍ଦେଶକ ରମେଶ ନାଇଡ଼ୁ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ସଂଳାପ ଓ ଗୀତ ଲେଖିଛନ୍ତି ବୃନ୍ଦାବନ ଜେନା। ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଓ ବାଣୀ ଜୟରାମ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି।

ସମ୍ବନ୍ଧିତ ଖବର