ରିମାଣ୍ଡରେ ଆସିଲେ ଗାଡ଼ି ଚୋର

ଭୁବନେଶ୍ୱର : ଖାରବେଳ ନଗର ଥାନା ପୁଲିସ ଗାଡ଼ି ଚୋର ରୢାକେଟ୍‌ର କିଙ୍ଗପିନ୍‌ ସମେତ ଅନ୍ୟତମ ସହଯୋଗୀକୁ ରିମାଣ୍ଡରେ ଆଣିଛି। ୬ ଦିନ ପାଇଁ ରିମାଣ୍ଡ ଆବେଦନ ହୋଇଥିଲେ ମଧ୍ୟ କୋର୍ଟ ୪ ଦିନ ମଞ୍ଜୁର କରିଛନ୍ତି। ରିମାଣ୍ଡରେ ଆସିବା ପରେ ଉଭୟଙ୍କୁ ମୁହାଁମୁହିଁ ଓ ଭିନ୍ନଭିନ୍ନ ଜାଗାରେ ମାରାଥନ୍‌ ଜେରା ଚାଲିଛି। ଜେରା ବେଳେ ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ସେମାନଙ୍କ ବୟାନକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଧରି ମେଦିନାପୁର ଯିବ ବୋଲି ଜଣାପଡ଼ିଛି। ସେଠାରେ ଆହୁରି ୫୦ରୁ ଊର୍ଦ୍ଧ୍ବ ଗାଡ଼ି ଉଦ୍ଧାର ହେବ ବୋଲି ପୁଲିସ ଆଶା ବାନ୍ଧିଛି। ତା’ ସହିତ ଏମାନଙ୍କର ଆଉ କିଛି ସହଯୋଗୀ ମଧ୍ୟ ଠାବ ହୋଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି। ଏହି ଅନ୍ତଃରାଜ୍ୟ ଗାଡ଼ି ଚୋର ରୢାକେଟ୍‌ର ଧରା ପଡ଼ିଥିବା ୩ ଜଣଙ୍କ ମଧ୍ୟରୁ ୟୁନିଟ-୩ ଖାରବେଳ ନଗରରେ ରହୁଥିବା ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ପଞ୍ଚକୁଲା ଥାନା ଅଧୀନ ସୋଦୁଅପଟାର ସେକ୍‌ ରୁଲାମିନ୍‌ ଓ ଦାଲ୍‌ବାଦ୍‌ ରତୁଲିଆର ସେକ୍‌ ମୁଜୁବରଙ୍କୁ ରିମାଣ୍ଡରେ ଅଣାଯାଇଛି। ଭୁବନେଶ୍ବରରେ ରହୁଥିବା ସେକ୍‌ ରୁଲାମିନ୍‌ ଏହି ରୢାକେଟ୍‌ର କିଙ୍ଗପିନ୍‌ ବୋଲି ପୁଲିସ କହିଛି। ଉଭୟଙ୍କୁ ଜେରା ବେଳେ ମିଳିଥିବା ତଥ୍ୟ ମୁତାବକ, ଚୋରା ଗାଡ଼ି ବିକିବା ପାଇଁ ଏମାନେ ଏକ ନୂଆ ଫର୍ମୁଲା ବ୍ୟବହାର କରୁଥିଲେ। ପଶ୍ଚିମବଙ୍ଗ ଗାଡ଼ି ଏଠାରେ ବିକ୍ରି କରୁଥିବା ବେଳେ ଓଡ଼ିଶା ଗାଡ଼ି ପଶ୍ଚିମବଙ୍ଗରେ ବିକ୍ରି କରୁଥିଲେ। ଓଡ଼ିଶାରୁ ଯାଉଥିବା ଚୋରା ଗାଡ଼ିକୁ ସେକ୍‌ ମୁଜୁବର ଖଡ଼ଗପୁର ଅଞ୍ଚଳରେ ବିକ୍ରି କରୁଥିଲା। ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିକୁ ରୁଲାମିନ୍‌ ଭୁବନେଶ୍ବର ସମେତ କାକଟପୁର, ଖୋର୍ଦ୍ଧା, କଟକ ପ୍ରଭୃତି ଅଞ୍ଚଳରେ ବିକ୍ରି କରୁଥିଲା। ଏମାନେ ଆପାଚି, ୟାମାହା, ବୁଲେଟ୍‌ ଭଳି ଦାମୀ ବାଇକ୍‌ ଚୋରି କରି ୩୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ରାତି ୪ଟାରୁ ଭୁବନେଶ୍ବରରୁ ବାହାରି ୧୦ଟା ସୁଦ୍ଧା ମେଦିନାପୁରରେ ପହଞ୍ଚି ଯାଉଥିଲେ। ଦୀର୍ଘ ଦିନ ଧରି ସୁରୁଖୁରୁରେ ଏହି ବେପାର ଚାଲିଥିଲା। ବ୍ଲକିଂ ବେଳେ ଏକ ଆପାଚି ବାଇକ୍‌ ଧରାପଡ଼ିବା ପରେ ପୁଲିସ ଏହି ରୢାକେଟ୍‌ର ମୂଳରେ ପହଞ୍ଚି ପାରିଥିଲା।

ସମ୍ବନ୍ଧିତ ଖବର