ବିନ୍ଦୁସାଗର ଜଗତି ମରାମତି ଆରମ୍ଭ

ପୁରୁଣା ଭୁବନେଶ୍ୱର: ନୂଆ ରୂପ ନେବ ବିନ୍ଦୁସାଗର ମଝିରେ ଥିବା ଜଗତି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର କାନ୍ଥ ଓ ଚଟାଣରେ ଥିବା ଫାଟକୁ ମରାମତି କରାଯାଉଛି। ଉଠଥିବା ଅନାବନା ଗଛକୁ କଟା ଯାଉଛି। ଏହାପରେ ରଙ୍ଗଦିଆ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବିଏମ୍‌ସି ପକ୍ଷରୁ ଜଗତିର ପୁନରୁଦ୍ଧାର କାମ ଆରମ୍ଭ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ମାତ୍ର କାମ ଆରମ୍ଭ ହୋଇପାରିନଥିଲା। ଏବେ ପ୍ରତ୍ନତତ୍ତ୍ବ ବିଭାଗ ମରାମତି କାମ ପାଇଁ ଅଣ୍ଟା ଭିଡ଼ିଛି। ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରତ୍ନତତ୍ତ୍ବ ବିଭାଗର ଯନ୍ତ୍ରୀ ଶୁଭେନ୍ଦୁ ପୃଷ୍ଟିଙ୍କ କହିବା ଅନୁଯାୟୀ ଯାଞ୍ଚ ବେଳେ ମନ୍ଦିର‌‌ରେ ଫାଟ ଥିବା ଦେଖାଯାଇଥିଲା। ପ୍ରଥମେ ଏହାର ମରାମତି କାମ କରାଯାଉଛି। ଏହା ପରେ ଚଟାଣ ଫାଟ ମରାମତି ହେବ। ସେହିପରି ପାଚେରିରେ ଉଠିଥିବା ଅନାବନା ଗଛ ଉପୁଡ଼ାଯିବ। ସବୁ କାମ ଶେଷ ହେବା ପରେ ରଙ୍ଗ ଦିଆଯିବ। ୩ ବର୍ଷ ତଳେ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବେଳେ ଏହି ଘଟଣା ପଦାକୁ ଆସିଥିଲା। ସେତେବେଳେ ବିଏମ୍‌ସି ଏହାକୁ ମରାମତି କରିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର କାମ ଆରମ୍ଭ ହୋଇ ପାରିନଥିଲା। ଏ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଚନ୍ଦନ ଯାତ୍ରା ପୂର୍ବରୁ କାଁଭାଁ ସ୍ଥାନରେ ସିମେଣ୍ଟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର