ମୃତ୍ୟୁ ସହ ସଂଗ୍ରାମ କରୁଛି ବିନୋଦ: ସାହାଯ୍ୟ ପାଇଁ ବାପା ମା’ଙ୍କ ଆକୁଳ ନିବେଦନ

ଭୁବନେଶ୍ବର: ବିନୋଦ କୁମାର ନନ୍ଦୀ। ବୟସ ୨୯ ବର୍ଷ। ଯୁକ୍ତ ତିନି ପାସ୍‌ କରିବା ପରେ ଚାକିରି ପଛରେ ଧାଇଁ ସମୟ ନଷ୍ଟ କରି ସେ ବ୍ୟବସାୟରେ ମନ ବଳାଇଥିଲେ। ମାତ୍ର ଭାଗ୍ୟର ଗତି ଥିଲା ଭିନ୍ନ। ବ୍ୟବସାୟ ବଢ଼ି ଆସିବା ବେଳକୁ କରୋନା ମାଡ଼ ହେଲା। ବ୍ୟବସାୟ ମାନ୍ଦା ହୋଇଗଲା। କିନ୍ତୁ ଦୁର୍ଭାଗ୍ୟ ସେତିକିରେ ଅଟକିନଥିଲା। ହଠାତ୍ ତାଙ୍କର ଦୁଇଟି ଯାକ କିଡ୍‌ନି ଖରାପ ହୋଇଯାଇଥିବା ଜଣାପଡ଼ିଲା। ଏବେ ସେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ।

କନ୍ଦରପୁରବାସିନ୍ଦା ରତ୍ନାକର ନନ୍ଦି ଓ ବିଷ୍ଣୁପ୍ରିୟାଙ୍କ ବଡ଼ ପୁଅ ବିନୋଦ। ରତ୍ନାକର ଜଣେ ଭଲ ଯାତ୍ରା କଳାକାର। ମଞ୍ଚରେ ସେ ଲୋକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି। ହେଲେ ଆଜି ବଡ଼ ପୁଅର ଦୁର୍ଦ୍ଦଶା ତାଙ୍କ ଆଖିର ଲୁହ ଶୁଖିବାକୁ ଦେଉନାହିଁ। କରୋନା ପରଠୁ ତାଙ୍କ ରୋଜଗାର ବି ଠପ୍‌ ହେବା ଅବସ୍ଥାରେ। ଜଗତସିଂହପୁର ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପାସ୍ କରିବା ପରେ ବିନୋଦ କନ୍ଦରପୁର ବଜାରରେ ଏକ ଚପଲ ଦୋକାନ କରିଥିଲେ। ଛୋଟ ଦୋକାନ ହେଲେ ବି ଭଲ ବେପାର ହେଉଥିଲା। ବେପାର ବଢ଼ିବଢ଼ି ଚାଲିଥିଲା।

ହେଲେ ଭାଗ୍ୟର ବିଡ଼ମ୍ବନା, କରୋନା ମହାମାରୀ ଆସିବା ପରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ବିନୋଦଙ୍କ ଦୋକାନ ଓ ରତ୍ନାକରଙ୍କ ଯାତ୍ରା ପରିବେଷଣ ବନ୍ଦ ହୋଇଗଲା। ଫଳରେ ପରିବାରର ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରୁଥିଲା। ଠିକ୍‌ ଏହି ସମୟରେ ବିନୋଦ କିଡ୍‌ନି ରୋଗର ପୀଡ଼ିତ ହେଲେ। ପରୀକ୍ଷା ପରେ ତାଙ୍କର ଦୁଇଟିଯାକ କିଡ୍‌ନି ଖରାପ ହୋଇ ଯାଇଥିବା ଜଣାପଡ଼ିଥିଲା। ଏହି ଖବର ଜଣାପଡ଼ିବା ପରେ ରତ୍ନାକର ଓ ବିଷ୍ଣୁପ୍ରିୟାଙ୍କ ମୁଣ୍ଡ କାମ କରିନଥିଲା। ହଠାତ୍ ଘରର ରୋଜଗାରିଆ ପୁଅର ଏଭଳି ଅବସ୍ଥା ସେମାନଙ୍କୁ ବ୍ୟଥିତ କରିଥିଲା। ସେହିଦିନରୁ ଚାଲିଛି ଡାଏଲିସିସ୍। ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂର୍ଘଷ କରୁଛନ୍ତି ବିନୋଦ। ତୁରନ୍ତ କିଡ୍‌ନି ପ୍ରତିରୋପଣ ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି। ଏଣେ ବାପା, ମା’ ଓ ନିଜ ଲୋକମାନେ କିଡ୍‌ନି ଦେବାକୁ ଇଚ୍ଛା କରୁଥିଲେ ମଧ୍ୟ ବ୍ଲଡ୍‌ ଗ୍ରୁପ୍‌ ମ୍ୟାଚ୍‌ କରୁନାହିଁ।

ରତ୍ନାକରଙ୍କ କହିବା କଥା ଜମିବାଡ଼ି ବିକି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ବନ୍ଧୁବାନ୍ଧବ ଓ ବିନୋଦଙ୍କ ସାଙ୍ଗସାଥୀମାନେ ବି ସହଯୋଗ କରିଛନ୍ତି। ଆଉ ପାଖରେ ସମ୍ବଳ ନାହିଁ। ସରକାରୀ ଡାକ୍ତରଖାନାରେ ଅନେକ ରୋଗୀ ଅପେକ୍ଷା କରିଛନ୍ତି। ତେଣୁ ଲାଇନ୍‌ରେ ଏଠି ଅପେକ୍ଷା କଲେ ବିନୋଦକୁ ବଞ୍ଚାଇବା କାଠିକର ହୋଇପଡ଼ିବ। ତେଣୁ ଯଦି କେହି ସହୃଦୟ ବ୍ୟକ୍ତି କିଡ୍‌ନି ଦାନ କରି ପାରିବେ, ବିନୋଦ ବଞ୍ଚିଯିବ। କିମ୍ବା ସହୃଦୟ ବ୍ୟକ୍ତିମାନେ ଆର୍ଥିକ ସହଯୋଗ କଲେ, ଅନ୍ୟ ବଡ଼ ହସ୍ପିଟାଲକୁ ନେଇ କିଛି କରାଯାଇପାରିବ ବୋଲି ସେ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି।

ଅନ୍ୟପଟେ ବିନୋଦର ଏସ୍‌ଭିଏମ୍‌ କଲେଜ ହଷ୍ଟେଲ୍‌ ବନ୍ଧୁମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ବିନୋଦକୁ ସହଯୋଗ କରିବାକୁ ଚାହୁଁଥିଲେ, ଏସ୍‌ବିଆଇ ଆକାଉଣ୍ଟ ନମ୍ବର-୩୧୪୪୦୨୮୫୩୮୧, ଆଇଏଫ୍‌ଏସ୍‌ସି କୋଡ୍-ଏସ୍‌ବିଆଇଏନ୍‌ ୦୦୧୩୫୭୪ରେ ଦାନ କରିବାକୁ ସେମାନେ ନିବେଦନ କରିଛନ୍ତି। ସେହିଭଳି ଯୋଗାଯୋଗ ଓ ଫୋନ୍‌ ପେ’ କରିବାକୁ ଚାହୁଁଥିଲେ, ୮୯୦୮୨୬୧୧୩୫ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର