ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଘନଉଛି ବିଜେଡି ବିବାଦ। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିରୋଧ ଜାରି ରହିଛି। ଗତ ୨୧ ତାରିଖରେ ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷା ଭାଲେଣ୍ଟିନା ରାଉତଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ନ୍ୟାୟ ସରପଞ୍ଚ ବିଧାୟକଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ଆଜି ଭୁବନେଶ୍ବର ବ୍ଲକର କଳାରାହାଙ୍ଗ ପଞ୍ଚାୟତରେ ପୁଣି ଶୁଭିଛି ବିରୋଧର ସ୍ବର। ପଞ୍ଚାୟତର ପଦ୍ମକେଶରୀପୁରଠାରେ ହଜାରରୁ ଅଧିକ ପୁରୁଷ, ମହିଳା ଶୋଭାଯାତ୍ରା କରି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ସହ ବିଧାୟକଙ୍କ ବିରୋଧରେ ନାରାବାଜି ଦେଇ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆନ୍ଦୋଳନର ନେତୃତ୍ବ ନେଇଥିବା କଳାରାହାଙ୍ଗପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ଭୁବନେଶ୍ବର ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାଥ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ସମୟରେ ବିଧାୟକଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲୁ। ପଞ୍ଚାୟତର ବିକାଶ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେ ସମସ୍ତ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ପଦ୍ମକେଶରୀପୁରରେ ସୋଲାର ଲାଇଟ୍ ପ୍ରୋଜେକ୍ଟ, ମଡେଲ୍ ଭିଲେଜ୍ କରିବା, ସାପୁଆ କେଳାଙ୍କ ଗାଁ ପଦ୍ମକେଶରୀପୁରରେ ସ୍ନେକ୍ ପାର୍କ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କରିନାହାନ୍ତି। ପଞ୍ଚାୟତରେ ଡ୍ରେନେଜ୍ ଓ ସମୂହ ଶୌଚାଳୟ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଦଳୀୟ କର୍ମୀଙ୍କୁ ସାଙ୍ଗରେ ନ ନେଇ ଠିକାଦାରଙ୍କୁ ଧରି ବିଧାୟକ ଶ୍ରୀ ମିଶ୍ର କାମ କରୁଛନ୍ତି। ଏହାଦ୍ବାରା ନିର୍ବାଚନମଣ୍ଡଳୀରେ ଦଳର ସଙ୍ଗଠନ ଦୁର୍ବଳ ହେଉଛି। ବିଧାୟକ ଶ୍ରୀ ମିଶ୍ରଙ୍କ ବିରୋଧରେ ଶୋଭାଯାତ୍ରା ହେବାର ୬ ଘଣ୍ଟା ନ ପୂରୁଣୁ ସନ୍ଧ୍ୟାରେ ବିଧାୟକଙ୍କ ସମର୍ଥକମାନଙ୍କ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା। ସେମାନେ କହିଥିଲେ ଗତ ୧୪ ବର୍ଷରେ ନିର୍ବାଚନମଣ୍ଡଳୀରେ ଯାହା ହୋଇନଥିଲା, ଗତ ୪ ବର୍ଷରେ ତାହା ଫଳପ୍ରଦ ହୋଇଛି। ବିଧାୟକଙ୍କ ନେତୃତ୍ବରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ବଦନାମ କରିବାକୁ କିଛି ଲୋକ ଷଡ଼ଯନ୍ତ୍ର କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ବୁଧବାର ମଣ୍ଡପ ବସ୍ତିରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବିଧାୟକ ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁମାନେ ପୂର୍ବାହ୍ନରେ ଶୋଭାଯାତ୍ରା କରୁଥିଲେ, ସେମାନେ ବିଜେଡିର କର୍ମୀ ନୁହଁନ୍ତି। ମୋତେ ବଦନାମ କରିବା ପାଇଁ ବିଜେପି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ବାରା ଏହା ପ୍ରାୟୋଜିତ ଶୋଭାଯାତ୍ରା ଥିଲା। ଏଥିରେ ବିଜେଡି କର୍ମୀ ନ ଥିଲେ। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଚାଲିଛି। ଆଗକୁ ବି ଜାରି ରହିବ।
ପୂର୍ବବର୍ତ୍ତୀ ଖବର
କର୍ମକର୍ତାମାନଙ୍କୁ ଜିଲ୍ଲା ଓ ସ˚ଗଠନ ଦାୟିତ୍ବ ନ୍ୟସ୍ତ କଲେ ପିସିସି ସଭାପତି
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର