ରାଜଭବନସ୍ଥିତ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ : ଗାଡ଼ି ଅଛି ଲୋକ ନାହାନ୍ତି

ଭୁବନେଶ୍ୱର : ରାଜଭବନସ୍ଥିତ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ଟାଙ୍କିକୁ ତେଲ ପକାଇବାକୁ ଆସିଥିବା ବେଳେ ଛାତିଥରା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ କାର୍ ଓ ବାଇକ୍ ସମେତ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ରାସ୍ତାରେ ଭାଙ୍ଗିରୁଜି ପଡ଼ିଥିଲା। ବିସ୍ଫୋରଣର ଭୟାବହତା ଲୋକଙ୍କୁ ଏତେ ମାତ୍ରାରେ ଅନୁଭୂତ ହୋଇଥିଲା ଯେ ଗାଡ଼ିମାଲିକମାନେ ଘଟଣାସ୍ଥଳକୁ ଗାଡ଼ି ନେବା ତ ଦୂରର କଥା ଥରୁଟିଏ ଦେଖିବା ପାଇଁ ବି ଆସିନଥିଲେ। ଆଉ କିଛି ଗାଡ଼ି ଚାଳକ ପେଟ୍ରୋଲ ଟାଙ୍କିକୁ ତେଲ ପକାଇବାକୁ ଆସି ଭୁଲ୍ କରିଦେଲେ ବୋଲି କହୁଥିଲେ। ନୂଆପଲ୍ଲୀର ସୁପ୍ରଭାତ ପାଣିଗ୍ରାହୀ ତାଙ୍କ ଗାଡ଼ି ଭାଙ୍ଗିବାକୁ ନେଇ କିନ୍ତୁ ଚିନ୍ତାରେ ପଡ଼ିଯାଇଥିଲେ। ଗାଡ଼ି ଭଙ୍ଗାକୁ ନେଇ ପ୍ରଶାସନ ପାଖରେ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ।

ବର୍ଷାକୁ ଗୁହାରି କଲେ, ହେଲେ…
ମେଘ ଉଠେଇଥିଲା। ଜୋର୍‌ ବର୍ଷିଯିବ ବୋଲି ହେଉଥିଲା। ହେଲେ ବର୍ଷାର ଆବଶ୍ୟକତା ଥାଇ ମଧ୍ୟ ଆଜି ବିଲ୍‌କୁଲ ବର୍ଷିନଥିଲା। ବିସ୍ଫୋରଣ ସ୍ଥଳେ ୧୦୦ ଫୁଟ ଉଚ୍ଚକୁ ଉଠୁଥିବା ନିଆଁର ଧାସରେ ସମଗ୍ର ଆଖପାଖ ଅଞ୍ଚଳର ଉତ୍ତାପ ବଢ଼ି ଯାଇଥିଲା। କିଛି ଲୋକ ନିଆଁର ଏପରି ଭୟଙ୍କର ରୂପ ଦେଖି, ବର୍ଷା ହେଇଯାଉ ବୋଲି ହାତଯୋଡ଼ି ପ୍ରାର୍ଥନା କରୁଥିଲେ। କିନ୍ତୁ ବାଦ କଲା ଭଳି, ଟୋପେ ବି ବର୍ଷିନଥିଲା। କିଛି ସମୟ ଆକାଶରେ ମେଘ ଘୋଟେଇ ଆସି ଧୂଳି ଝାଡ଼ିବା ଭଳି ବର୍ଷା ହୋଇଥିଲା, କିନ୍ତୁ କିଛି ସମୟ ପରେ ତାହା ବି ବନ୍ଦ ହୋଇଯାଇଥିଲା।

ଛିଡ଼ିଲା ୩୩ କେଭି, ଭାଙ୍ଗିଲା ଏଲ୍‌ଆଇସି କବାଟ
ବିସ୍ଫୋରଣ ସ୍ଥଳରୁ ଏକ ୨୫ କେଜି ଓଜନ ବିଶିଷ୍ଟ ଟାଙ୍କି ୫ଶହ ମିଟର ଦୂରକୁ ଉଡ଼ି ଆସି ଆଇଭିଆର୍‌ କଲୋନିରେ ପଡ଼ିଥିଲା। ଏପରିକି ଟାଙ୍କିଟି ଆସି ସେହି ରାସ୍ତାରେ ଝୁଲିଥିବା ୩୩ କେଭି ତାରରେ ମାଡ଼ ହୋଇଥିଲା। ଫଳରେ ତାରଟି ମେଟାଲ୍‌ରୁ ଖସି ସର୍ଭିସ୍‌ ତାରରେ ଝୁଲି ରହିଥିଲା। ଏଲ୍‌ପିଜି ଟାଙ୍କି ନିକଟରୁ ଲୁହା ପାଇପ୍‌ ସ୍ଥାନୀୟ କଲୋନି ଓ ଆଖପାଖକୁ ଛିଟିକି ଯାଇ ପଡ଼ିବାରୁ ସ୍ଥାନୀୟ ଅଞ୍ଚଳର ଏକ ଖାଦ୍ୟ ମଲ୍‌ର ଦ୍ବାର ଭାଙ୍ଗି ଯାଇଥିଲା। ଏହା ବ୍ୟତୀତ ସ୍ଥାନୀୟ ଅଞ୍ଚଳର ବହୁ ବିଲ୍‌ଡିଂର କାଚ ଝରକା ଭାଙ୍ଗିରୁଜି ଚୂର୍‌ମାର୍‌ ହୋଇଯାଇଛି।

ଆମ୍ବେଦକର ଏନ୍‌କ୍ଲେଭ୍‌ରେ ଛିଡ଼ିଯାଇଥିବା ହାତ
ବିସ୍ଫୋରଣରେ ଶରୀରର କିଛି ଅଙ୍ଗ ପ୍ରତ୍ୟଙ୍ଗ ବହୁ ଦୂରକୁ ଛିଟିକି ପଡ଼ିଥିଲା। ଏପରିକି ଏଲ୍‌ପିଜି ଟାଙ୍କି ଫାଟିବା ସ୍ଥଳରେ ବିସ୍ଫୋରଣରେ ଯୋଗୁଁ ଛିଡ଼ି ଯାଇଥିବା ଏକ ହାତର କିଛି ଅଂଶ ଆମ୍ବେଦକର ଏନ୍‌କ୍ଲେଭ୍‌ରେ ଆସି ପଡ଼ିଥିଲା। ଏଥିସହ ହାଡ଼ ଓ ମାଂସ ସହ ଏକ ଜୋତା ଆସି ଏନ୍‌କ୍ଲେଭ୍‌ ସମ୍ମୁଖରେ ପଡ଼ିଥିଲା। ଏହାକୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିଥିଲା। ଏହା ଦେଖି ଏନ୍‌କ୍ଲେଭ୍‌ର ବାସିନ୍ଦାମାନେ ଭୟ ପାଇଯାଇଥିଲେ। ଖାଲି ହାତର ଆଙ୍ଗୁଠି ନୁହେଁ, ଏକ ସ୍ଥାନରେ ଖପୁରୀର କିଛି ଅଂଶ ଚୁଟି ସହ ଉପୁଡ଼ି ଆସି ପଡ଼ିଥିଲା। ମାଂସ ଖଣ୍ଡଗୁଡ଼ିକ ଏଭଳି ବିଭତ୍ସ ଭାବେ ଏଣେତେଣେ ପଡ଼ିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା କ’ଣ ହୋଇଥିବ ଭାବି ଲୋକେ ଆତଙ୍କିତ ହୋଇ ପଡ଼ୁଥିଲେ।

ସମ୍ବନ୍ଧିତ ଖବର