ଭୁବନେଶ୍ବର: ନବୀନ ବସ୍ତିରେ ହନ୍ତସନ୍ତ ଦୃଷ୍ଟିବାଧିତ ପରିବାର

ଭୁବନେଶ୍ବର: ମାର୍କେଟ ବିଲ୍‌ଡିଂ କିମ୍ବା ରେଳ ପ୍ଲାଟଫର୍ମରେ ଓଜନ ମେସିନ୍‌ ପକେଇ ବସିଲେ ତାଙ୍କ ଗୁଜୁରାଣ ମେଣ୍ଟୁଥିଲା। ଦିନକୁ ଯାହା କିଛି ଆୟ କରୁଥିଲେ, ସେଇଥିରେ କଷ୍ଟେମଷ୍ଟେ ସେମାନଙ୍କ ପରିବାର ଚଳି ଯାଉଥିଲା। ହେଲେ କରୋନା ପାଇଁ ଏବେ ସେଇ ସ୍ବଳ୍ପ ରୋଜଗାରର ବାଟଟି ମଧ୍ୟ ବନ୍ଦ ହୋଇଗଲା। ଫଳରେ ଗୁଜୁାରଣ ମେଣ୍ଟାଇବା ପାଇଁ ଦହଗଞ୍ଜ ହେଉଛନ୍ତି ସତ୍ୟନଗର ନବୀନ ବସ୍ତିରେ ରହୁଥିବା ୬ ଦୃଷ୍ଟିବାଧିତ ପରିବାର। ଏମିତିକି ସେମାନଙ୍କୁ ଦୃଷ୍ଟିହୀନ ଭତ୍ତା ମଧ୍ୟ ମିଳି ନଥିବାରୁ କେମିତି ଚଳିବେ, ସେନେଇ ସେମାନେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ସମ୍ପୃକ୍ତ ବସ୍ତିରେ ରହୁଥିବା ଦୃଷ୍ଟିବାଧିତ ବଂଶୀଧର ପ୍ରଧାନଙ୍କ କହିବା ମୁତାବକ, କରୋନା ପାଇଁ ‌ଯେବେଠୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି, ସେବେଠୁ ଯାହା ୫୦-୬୦ ଟଙ୍କା ରୋଜଗାର ହେଉଥିଲା, ତାହା ବନ୍ଦ ହୋଇଯାଇଛି। କିଛି ବ୍ୟବସାୟୀ କ୍ୟାଲେଣ୍ଡର କିମ୍ବା ଛୋଟ ସାମଗ୍ରୀ ବିକି କିଛି ଟଙ୍କା ରୋଜଗାର କଲେ, କାହାର ୪ ପ୍ରାଣୀ ତ କାହାର ୫ପ୍ରାଣୀ ପରିବାର ଚଳୁଥିଲା। ତା’ସହ ଦିବ୍ୟାଙ୍ଗ ଭତ୍ତା ବାବଦରେ ମିଳୁଥିବା ୭ ଶହ ଟଙ୍କା ମଧ୍ୟ ବହୁତ ଉପାଦେୟ ହେଉଥିଲା। ମାତ୍ର ତାହା ୧୫ ତାରିଖରୁ ମିଳିବାର ଥିଲେ ହେଁ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ଏ ନେଇ ଏ ଅସମୟରେ କୁଆଡ଼େ ଯାଇ କାହାକୁ ଅଭିଯୋଗ କରିବାକୁ ମଧ୍ୟ ବାଟ ବନ୍ଦ। ତେଣୁ ଆମ ପ୍ରତି ପ୍ରଶାସନ ଓ ସରକାରଙ୍କର ଦୃଷ୍ଟି ପଡ଼ୁ ବୋଲି ଶ୍ରୀ ପ୍ରଧାନ କହିବା ସହ ସାହାଯ୍ୟ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର