ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

ରୋଗୀଙ୍କୁ ବଞ୍ଚାଇବା ପାଇଁ ଦେବଦୂତ ସାଜିଲେ, ରକ୍ତଦାତାଙ୍କୁ ଏକାଠି କଲା ପରିବର୍ତ୍ତନ ଫାଉଣ୍ଡେସନ୍

ଭୁବନେଶ୍ବର : କାହା ସହ କାହାର ପରିଚୟ ନ ଥିଲା। ରୋଗୀ କିଏ ତାହା ବି କେହି ଜାଣି ନ ଥିଲେ। କିନ୍ତୁ ‌ରକ୍ତ ଦରକାର ଥିବା ଜାଣି ସମସ୍ତେ ଛୁଟି ଆସିଥିଲେ ଭୁବନେଶ୍ବରର ଆପୋଲୋ ହସପିଟାଲକୁ। ଆଉ ଜଣେ ରୋଗୀଙ୍କୁ ବଞ୍ଚାଇବା ପାଇଁ ଦେବଦୂତ ସାଜି ସେମାନଙ୍କ ବିରଳ ରକ୍ତ ଦାନ କରିଥିଲେ। ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ବିରଳ ବମ୍ବେ ଫିନୋଟାଇପ୍‌ ବ୍ଲଡ୍‌ ଗ୍ରୁପ୍‌ର ୪ ରକ୍ତଦାତା ଏକାଥରେ ଜଣେ ରୋଗୀ ପାଇଁ ରକ୍ତଦାନ କରି ଇତିହାସ ସୃଷ୍ଟି କରିଛନ୍ତି। ଗତ ରବିବାର ଦିନ ଭୁବନେଶ୍ବରର ଦୁର୍ଲଭ ସାହୁ ହସ୍ପିଟାଲକୁ ଆସି ରକ୍ତଦାନ କରିଥିବାବେଳେ ଆଜି ରାଉରକେଲାର ଉମାଚରଣ ପରିଡ଼ା ଓ ସିଲ୍‌ଭଷ୍ଟର୍‌ କୁଜୁର୍‌ ଏବଂ ଭୁବନେଶ୍ବରର ମାନସ ରଞ୍ଜନ ପ୍ରଧାନ ରକ୍ତଦାନ କରି ମାନବିକତାର ଏକ ନୂତନ ପରିଭାଷା ସୃଷ୍ଟି କରି ପାରିଛନ୍ତି। ଆ‌ଉ ଏ ସମସ୍ତଙ୍କୁ ଏକାଠି କରି ଏହି ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି ଭୁବନେଶ୍ବରର କିଛି ସ୍ବେଚ୍ଛାସେବୀ ଓ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ।

ଅତି ବିରଳ ବମ୍ବେ ଫିନୋଟାଇପ୍ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୪ ଜଣଙ୍କ ଶରୀରରେ ଦେଖାଯାଇଥାଏ। ମହାରାଷ୍ଟ୍ର ଓ ବମ୍ବେରେ ଏଭଳି ଗ୍ରୁପ୍‌ର ଅଧିକ ଲୋକ ଥିବାବେଳେ ଓଡ଼ିଶା ଭଳି ରାଜ୍ୟରେ ହାତଗଣତି ଅଳ୍ପ କେତେଜଣ ଏହି ଗ୍ରୁପ୍‌ର ବୋଲି ଚିହ୍ନଟ ହୋଇଛନ୍ତି। ତେଣୁ କୌଣସି ରୋଗୀଙ୍କ ଏହି ରକ୍ତ ଦରକାର ହେଲେ ସହଜରେ ମିଳେ ନାହିଁ। ଏଭଳି ସ୍ଥିତିରେ ବମ୍ବେ ଫିନୋଟାଇପ୍‌ ରକ୍ତ ଗ୍ରୁପ୍ ଥିବା ବାଲେଶ୍ବରର ୫୫ ବର୍ଷୀୟ ସନ୍ତୋଷ ବେହେରା ହୃଦ୍‌ରୋଗ ଜନିତ ସମସ୍ୟା ନେଇ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅବସ୍ଥାକୁ ଦେଖି ଡାକ୍ତର ହାର୍ଟ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ତାଙ୍କୁ ୪ ୟୁନିଟ୍‌ ରକ୍ତର ଆବଶ୍ୟକତା ରହିଥିଲା। କିନ୍ତୁ ତାଙ୍କର ବ୍ଲଡ୍‌ ଗ୍ରୁପ୍‌ ବମ୍ବେ ଫିନୋଟାଇପ୍‌ ହୋଇଥିବାକୁ ଏତେ କମ୍‌ ସମୟ ମଧ୍ୟରେ ୪ ୟୁନିଟ୍‌ ରକ୍ତ କେଉଁଠାରୁ ପାଇବେ ତାହା ଡାକ୍ତର ଓ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ହସ୍‌ପିଟାଲ୍‌ କର୍ତୃପକ୍ଷ ରକ୍ତଦାନ ଦିଗରେ କାର୍ଯ୍ୟରତ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ‌ଯୋଗାଯୋଗ କରିଥିଲେ। ଶେଷରେ ସ୍ବେଚ୍ଛାସେବୀ ରାକେଶ କୁମାର ସେଠୀ ଓ ପରିବର୍ତ୍ତନ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ୪ ଜଣ ରକ୍ତଦାତାଙ୍କୁ ଠାବ କରାଯାଇଥିଲା। ଆଉ ଗତ ରବିବାର ଦିନ ଜଣେ ଆସି ରକ୍ତ ଦେଇଥିବାବେଳେ ଆଜି ଆଉ ତିନି ଜଣ ରକ୍ତଦାନ କରିଥିଲେ। ଏହି ୩ ଜଣ ଯୁବକଙ୍କ ମାନବିକତାକୁ ଆପୋଲୋ ହସ୍‌ପିଟାଲ୍‌ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ଆପୋଲୋ ହସ୍‌ପିଟାଲ୍‌ର ଲ୍ୟାବ୍‌ ଡାଇରେକ୍ଟର ଡାକ୍ତର ଦୀପିକା ମହାନ୍ତି, ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସତୀଶ ଚନ୍ଦ୍ର ମିଶ୍ର ଓ ରକ୍ତଭଣ୍ଡାରର ମେଡିକାଲ୍‌ ଅଫିସର ଡାକ୍ତର ବିଜୟ ପଟ୍ଟନାୟକ ପ୍ରମୁଖ ତିନି ଯୁବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପରିବର୍ତ୍ତନ ଫାଉଣ୍ଡେସନର ସଭାପତି ସଫକ୍‌ ଏ ଆଫ୍‌ତାବ୍‌, ରାକେଶ କୁମାର ସେଠୀ ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଉପସ୍ଥିତ ଥିଲେ।

ଉମାରଚରଣ ୩୩ ଥର, ରଞ୍ଜନ ୧୩ ଥର
ରାଉଲକେଲାରୁ ଆସିଥିବା ଉମାଚରଣ କହନ୍ତି, ମୋର ଓ ପଜିଟିଭ୍ ବୋଲି ପ୍ରଥମେ ମୁଁ ଜାଣିଥିଲି। କିନ୍ତୁ ୨୦୦୦ ମସିହାରେ ଦିନେ ମତେ ଜଣେ ରୋଗୀକୁ ରକ୍ତ ଦେବା ପାଇଁ ରାଉରକେଲା ଆଇଜିଏଚ୍‌ ହସ୍‌ପିଟାଲ୍‌ରୁ ଫୋନ୍ ଆସିଲା। ପୂର୍ବରୁ ମୁଁ ଅନେକ ଥର ଏହି ହସ୍‌ପିଟାଲ୍‌ରେ ରକ୍ତ ଦେଇଥିବାରୁ ଡାକ୍ତରମାନେ ମୋ‌ର ବମ୍ବେ ଫିନୋଟାଇପ୍‌ ଗ୍ରୁପ୍‌ ବୋଲି ଜାଣିଥିଲେ। ସେବେଠାରୁ ମୁଁ ଏଯାଏ ୩୩ ଥର ରକ୍ତଦାନ କରିଛି। ଭଗବାନ ମତେ ସୁସ୍ଥ ରଖିଛନ୍ତି। ଯଦି ମୋ ରକ୍ତ ଆଉ କାହା ଶରୀରକୁ ଯାଇ ତାକୁ ଜୀବନ ଦେଇ ପାରୁଛି ତେବେ ତାହା ମୋ ପାଇଁ ଭଗବାନଙ୍କ ଆଶୀର୍ବାଦ ବୋଲି ମୁଁ ଭାବୁଛି। ଭୁବନେଶ୍ବରର ବରମୁଣ୍ଡାବାସିନ୍ଦା ମାନସ ରଞ୍ଜନ ପ୍ରଧାନ ଆଜିକୁ ମିଶାଇ ୧୩ ଥର ରକ୍ତଦାନ କରିସାରିଛନ୍ତି। ତାଙ୍କର ବମ୍ବେ ଫିନୋଟାଇପ୍‌ ବ୍ଲଡ୍‌ ଗ୍ରୁପ୍‌ ବୋଲି ହାଇଟେକ୍‌ ମେଡିକାଲ୍‌ରେ ସେ ୨୦୦୮ ମସିହାରେ ଜାଣିବାକୁ ପାଇଥିଲେ।

ପ୍ରଥମ ଥର ରକ୍ତଦାନ କଲେ ସିଲଭଷ୍ଟର୍‌
ରାଉରକେଲାର ୨୫ ବର୍ଷୀୟ ସିଲଭଷ୍ଟର କୁଜୁର୍‌ କିନ୍ତୁ ଗତ ବର୍ଷ ହିଁ ତାଙ୍କର ଏହି ବ୍ଲଡ୍‌ ଗ୍ରୁପ୍‌ ବୋଲି ଜାଣିବା ସହ ଆଜି ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ। ଆଜି ରକ୍ତଦାନ ସମୟରେ ସେ ବହୁତ ଡରିଯାଇଥିଲେ। କିନ୍ତୁ ରକ୍ତଦାନ କରି ଆଉ କାହାର ଜୀବନ ବଞ୍ଚାଇବାର ଆତ୍ମତୃପ୍ତି ତାଙ୍କ ମୁହଁରୁ ଝଲସୁଥିଲା।

ଏ ଯୁଗରେ ବି ମାନବିକତା ବଞ୍ଚିଛି
ରକ୍ତଦାତାମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ରୋଗୀ ସନ୍ତୋଷ ବେହେରାଙ୍କ ପତ୍ନୀଙ୍କ ମୁହଁରେ ଭାଷା ନ ଥିଲା। ତାଙ୍କ ସ୍ବାମୀଙ୍କ ଜୀବନରେ ଦେବଦୂତ ସାଜି ଆସିଥିବା ଏହି ୪ ଯୁବକଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ, ୨୦୧୬ ମଧ୍ୟ ଶ୍ରୀ ବେହେରାଙ୍କ ପ୍ରଥମ ହାର୍ଟ ସର୍ଜରି ହୋଇଥିଲା। ସେତେବେଳେ ୨ ୟୁନିଟ୍‌ ରକ୍ତ ଦରକାର ହୋଇଥିଲେ ବି ଏତେ ସହଜରେ ମିଳି ନ ଥିଲା। ଏଥର ପୁଣି ୪ ୟୁନିଟ୍‌ ରକ୍ତର ଆବଶ୍ୟକତା ପଡ଼ିବାରୁ ମୁଁ ପୂରା ଭାଙ୍ଗି ପଡ଼ିଥିଲି। କିନ୍ତୁ ଆଜି ମୋ ସ୍ବାମୀଙ୍କ ପାଇଁ ଏତେ ଅଜଣା ଲୋକ ସହାୟତାର ହାତ ବଢ଼ାଉଥିବା ଦେଖି ମୋର ଦୃଢ଼ ବିଶ୍ବାସ ହେଉଛି ଯେ ଏ ଯୁଗରେ ମାନବିକତା ବଞ୍ଚି ରହିଛି।

ବମ୍ବେ ଫିନୋଟାଇପ୍‌ କ’ଣ?
ବମ୍ବେ ଫିନୋଟାଇପ୍‌ ହେଉଛି Hh ବ୍ଲଡ୍‌ ଗ୍ରୁପ୍‌ ଟାଇପ୍‌। ଆର୍‌ବିସିରେ H ଆଣ୍ଟିଜେନ୍‌ର ଅଭାବ ରହିଲେ ସାଧାରଣତଃ ବମ୍ବେ ଫିନୋଟାଇପ୍‌ ବ୍ଲଡ୍‌ଗ୍ରୁପ୍‌ ଚିହ୍ନଟ ହୋଇଥାଏ। ସାଧାରଣ ରକ୍ତ ପରୀକ୍ଷାରେ ଏହି ବ୍ଲଡ୍‌ ଗ୍ରୁପ୍‌ ଜଣାପଡ଼ିନଥାଏ। ଏଥିପା‌ଇଁ ସ୍ବତନ୍ତ୍ର ସ୍କ୍ରିନିଂର ଆବଶ୍ୟକତା ରହିଛି। ୧୯୫୨ରେ ମୁମ୍ବାଇର ଡାକ୍ତର ୱାଇ.ଏମ୍‌ ଭେଣ୍ଡେ ଏହି ବ୍ଲଡ୍ ଗ୍ରୁପ୍‌ ଆବିଷ୍କାର କରିଥିବାରୁ ଏହାର ଏପରି ନାମ ରଖାଯାଇଛି।

ସମ୍ବନ୍ଧିତ ଖବର