କୃପାଜଳ ଇଂଜିନିୟରିଂ କଲେଜରୁ ୬୪ ୟୁନିଟ ରକ୍ତ ସଂଗ୍ରହ

ଧଉଳି : ଆମ ଓଡ଼ିଶା ସହଯୋଗରେ ଆଜି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଫାଣ୍ଡି ଅଧୀନ କୃପାଜଳ ଇଂଜିନିୟରିଂ କଲେଜରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, କଲେଜର ପ୍ରତିଷ୍ଠାତା ଭବାନୀ ଚରଣ ରଥ, ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରୁ ମୋଟ୍‌ ୬୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। କୃପାଜଳ ଇଂଜିନିୟରିଂ କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବିଭୂତି ଭୂଷଣ ରଥଙ୍କ ସହ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ଖୋର୍ଧା ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ଡାକ୍ତର ସନ୍ତୋଷ ବିଶ୍ୱାଳ, ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ଅରୁଣ ସାହୁ ଏବଂ ଲାବରେଟାରି ଟେକ୍ନିସିଆନ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ କଲେଜ ପରିସରରେ ପହଞ୍ଚିବା କ୍ଷଣି କଲେଜ ପକ୍ଷରୁ କର୍ତୃପକ୍ଷ ଏବଂ ସମବେତ ଛାତ୍ରଛାତ୍ରୀ ସମୂହ ତାଙ୍କୁ ପଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପାଛୋଟି ନେଇଥିଲେ। ଶ୍ରୀ ପଟ୍ଟନାୟକ ଶିବିରରେ ପହଞ୍ଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କର୍ତ୍ତୃପକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଉପଢ଼ୌକନ ପ୍ରଦାନ କରି ‘କୃପାଜଳ ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ କଲେଜରେ ସ୍ୱଚ୍ଛ ଭାରତ ଓ ଅନ୍ୟ ଜନସଚେତନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆମ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ସଂଯୋଜକ ହରେକୃଷ୍ଣ ପ୍ରଧାନ ଓ ସ୍ଥାନୀୟ ପ୍ରତିନିଧି ନିରଞ୍ଜନ ସେନାପତି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର