ଗାଡ଼ି ଧକ୍କା ପରେ ଯୁବତୀଙ୍କୁ ରକ୍ତାକ୍ତ ଆକ୍ରମଣ: ସହକର୍ମୀଙ୍କ ଆଗରେ ଗଡ଼ାଇ ତଡ଼ାଇ ଅସଦାଚରଣ

ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ, ରସୁଲଗଡ଼ ଛକରେ ଆତଙ୍କ, ପଥଚାରୀ ଭୟଭୀତ

ଭୁବନେଶ୍ବର: ଅସୁରକ୍ଷିତ ହୋଇ ପଡ଼ିଛି ରାଜଧାନୀ ରାଜରାସ୍ତା। ଚୋର, ଲୁଟେରାଙ୍କ ପରେ ଅସାମାଜିକଙ୍କ କାର୍ଯ୍ୟକଳାପ ଆତଙ୍କ ସୃଷ୍ଟି କରିଛି। ରସୁଲଗଡ଼ ଛକରେ ଜଣେ କର୍ମଜୀବୀ ଯୁବତୀଙ୍କ ସହ ବାଇକ୍ ଧକ୍କା ପରେ ତାଙ୍କୁ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ କରିବା ଓ ରକ୍ତାକ୍ତ ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସର ଅବହେଳା ଯୋଗୁ ଏଭଳି ସାଂଘାତିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଫେରାର ହୋଇଯାଇଛି। ନିକଟରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇ ରହିଛି। ସିସିଟିଭି ଫୁଟେଜରୁ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ସାରିଥିବା ବେଳେ ଏବେ ଧରିବା ପାଇଁ ତନାଘନା ଆରମ୍ଭ କରିଛି। ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଯୁବତୀ ମଞ୍ଚେଶ୍ବରର ଏକ ସିଲେଇ ପ୍ରତିଷ୍ଠାନରେ କାମ କରନ୍ତି। ସବୁଦିନ ଭଳି ତାଙ୍କର ସିଫ୍ଟ୍ ଡ୍ୟୁଟି ଶେଷ ହେବା ପରେ ରାତିରେ ହଷ୍ଟେଲକୁ ଫେରୁଥିଲେ। ସେ ରସୁଲଗଡ଼ ଅଞ୍ଚଳରେ ଏକ ହଷ୍ଟେଲରେ ରୁହନ୍ତି। ସହକର୍ମୀମାନଙ୍କ ସହ ଚାଲି ଚାଲି ଆସୁଥିବା ବେଳେ ରସୁଲଗଡ଼ ଛକ ପୂର୍ବରୁ ଜଣେ ବାଇକ୍ ଚାଳକ ତାଙ୍କୁ ଧକ୍କା କରିଥିଲେ। ସେ ତଳେ ପଡ଼ିଯିବା ସହ ଏହାର ପ୍ରତିବାଦ କରିଥିଲେ। ବାଇକ ଚଳାଉଥିବା ଯୁବକ ରକ୍ତମୁଖା ହୋଇ ପଡ଼ିଥିଲା। ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ କରିଥିଲା। ଏପରିକି ପ୍ରବଳ ମାଡ଼ ମାରିଥିଲା। ଯୁବତୀ ଜଣଙ୍କ ଦୁର୍ବୃତ୍ତ କବଳରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ମନ୍ଦିର ପାଖକୁ ଚାଲି ଯାଇଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ସେଠାରେ ମଧ୍ୟ ଛାଡ଼ି ନଥିଲା। ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହା ଦେଖି ସହକର୍ମୀ, ସେଠାରେ ଉପସ୍ଥିତ ଥିବା ଲୋକ ଭୟଭୀତ ହୋଇ ଯାଇଥିଲେ। ମାଡ଼ ମାରି ମନ ଶାନ୍ତି ହୋଇଯିବା ପରେ ଯୁବକ ସେଠାରୁ ପଳାଇଥିଲା। ଏ ନେଇ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ମିଳିବାର କିଛି ସମୟ ପରେ ପିସିଆର ଭ୍ୟାନ୍ ପହଞ୍ଚିଥିଲା। ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ଥାନାରେ କେସ୍ ନ୍ଂ-୩୪୯/୧୦ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଯୁବକକୁ ଖୋଜା ଚାଲିଥିବା ମଞ୍ଚେଶ୍ବର ଥାନାଧିକାରୀ ସୁଧୀର ସାହୁ କହିଛନ୍ତି। ସମ୍ବେଦନଶୀଳ, ଜନଗହଳିପୂର୍ଣ୍ଣ ଛକରେ ଏତେ ସମୟ ଧରି ଯୁବକ ଏଭଳି କାଣ୍ଡ ଘଟାଇ ଚାଲିଥିଲେ ମଧ୍ୟ କେମିତି ଟେର୍ ପାଉ ନାହିଁ ପୁଲିସ? ରାଜରାସ୍ତାରେ କେମିତି ପାଟ୍ରୋଲିଂ କରାଯାଉଛି? ପୁଲିସ ପ୍ରତି କାହିଁକି ସାମାନ୍ୟତମ ଭୟ ରହୁନାହିଁ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର