କ୍ଷମତା ‌ମୋହ ଛାଡ଼ୁନି : ଏବେବି ଫଳକରେ ଲେଖାଯାଉଛି ପୂର୍ବ କର୍ପୋରେଟରଙ୍କ ନାଁ

କାର୍ଯ୍ୟକ୍ରମକୁ ଲୋକ ଆଣୁଥିବାରୁ ସରକାରୀ ବାବୁ ବି ସହମତି ଦେଉଛନ୍ତି

ଭୁବନେଶ୍ବର : ବିଏମ୍‌ସିର ୬୭ଟି ଯାକ ୱାର୍ଡର କର୍ପୋରେଟରଙ୍କ କାର୍ଯ୍ୟକାଳ ଜାନୁଆରି, ୧୫, ୨୦୧୯ରୁ ସରିଲାଣି। ବ‌ର୍ଷେ ହେଲା ବାବୁ/ବାବୁଆଣୀମାନଙ୍କ କାର୍ଯ୍ୟକାଳ ସରିଥିଲେ ହେଁ ସେମାନେ ଏବେବି ନିଜ ନିଜ ୱାର୍ଡରେ କର୍ପୋରେଟର କହି ବୁଲୁଛନ୍ତି, ଆଉ କ‌ାର୍ଯ୍ୟରତ କର୍ପୋରେଟରଙ୍କ ଭଳି ଲୋକଙ୍କ ସହ ବ୍ୟବହାର ବି କରୁଛନ୍ତି। ଯେ କୌଣସି ସରକାରୀ କାର୍ଯ୍ୟକ୍ରମ ହେଲେ ସେମାନଙ୍କ ନେତୃତ୍ବରେ ଯେପରି ହେବ ସେନେଇ ସବୁ ଉଦ୍ୟମ ଲଗାଇ ଦେଉଛନ୍ତି। ୱାର୍ଡରେ ହେଉଥିବା କୌଣସି ପ୍ରକଳ୍ପର ଉଦ୍‌ଘାଟନ/ଶିଳାନ୍ୟାସ ଫଳକରେ ସେମାନଙ୍କ ନାମ ବି ଲେଖା ହେଉଛି। ପୂର୍ବତନ କର୍ପୋରେଟରମାନଙ୍କ ଏଭଳି କ୍ଷମତା ଲୋଭ ଯୋଗୁଁ ଏବେ ପ୍ରତି ୱାର୍ଡରେ ଜନଅସନ୍ତୋଷ ବଢ଼ିବାରେ ଲାଗିଲାଣି।

ବିଏମ୍‌ସି ପକ୍ଷରୁ ହେଉ କି ପୂର୍ତ୍ତ କିମ୍ବା ଅନ୍ୟ କୌଣସି ସରକାରୀ ବିଭାଗର ହେଉଥିବା କୌଣସି ପ୍ରକଳ୍ପ ସେମାନଙ୍କ ୱାର୍ଡରେ ହେଉଥିଲେ ଉଦ୍‌ଘାଟନ କି ଶିଳାନ୍ୟାସ ଫଳକରେ ଯେପରି ସେମାନଙ୍କ ନାମ ରହିବ ସେନେଇ ଜିଦ୍‌ କରୁଛନ୍ତି। କେତେକ ସ୍ଥାନରେ ତ ସରକାରୀ ଅଧିକାରୀମାନେ କ’ଣ ଭାବୁଛନ୍ତି କେଜାଣି କର୍ପୋରେଟର ନକହିଲେ ବି ସ୍ବଇଚ୍ଛାରେ ଫଳକରେ ପୂର୍ବତନ କର୍ପୋରେଟରଙ୍କ ନାମ ଲେଖି ଦେଉଛନ୍ତି। ସରକାରୀ କଳର ଅପାରଗତା ଯୋଗୁଁ ପୂର୍ବତନ କର୍ପୋରେଟରମାନେ ଏହିଭଳି ଫାଇଦା ନେଉଥିଲେ ହେଁ ଏନେଇ ମୁହଁ ଖୋଲିବାକୁ କେହି ସାହାସ କରୁନାହାନ୍ତି। ଅଧିକାଂଶ ୱା‌ର୍ଡରେ ଦୁଇରୁ ତିନି ଜଣ ପୂର୍ବତନ କର୍ପୋରେଟର ଥିବାବେଳେ ବର୍ଷକ ତଳେ କାର୍ଯ୍ୟକାଳ ସରିଥିବା କ‌ର୍ପୋରେଟରମାନଙ୍କ ପ୍ରତି ସରକାରୀ ଅଧିକାରୀମାନଙ୍କର କାହିଁକି ଏତେ ଦୁର୍ବଳତା ଜଣାପଡ଼ୁନି।

ରାଜ୍ୟ ସରକାର ପୌର ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ନେଇପାରୁନଥିବାରୁ ଭୁବନେଶ୍ବରରେ ପୌର ନିର୍ବାଚନ ହୋଇପାରୁନି। କେବେ ହେବ ସେନେଇ ବି କେହି କିଛି କହିପାରୁନାହାନ୍ତି। ବର୍ତ୍ତମାନର ସ୍ଥିତି ଯାହା ନିକଟ ଭବିଷ୍ୟତରେ ବି ହେବାର ନାହିଁ। ହେଲେ ସରକାରୀ ଦଳର ପୂର୍ବତନ କର୍ପୋରେଟରମାନଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ଅସନ୍ତୋଷ କରିବାକୁ ଚାହୁଁନାହାନ୍ତି। ତେଣୁ ଯେଉଁ ୱାର୍ଡରେ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଠାକୁ ପୂର୍ବତନ କର୍ପୋରେଟରମାନଙ୍କୁ ଆଗ ଡକାଯାଉଛି। ଏପରିକି ପୂର୍ବତନ କର୍ପୋରେଟରମାନେ ଯେପରି ଚାହୁଁଛନ୍ତି ସେହିପରି କାର୍ଯ୍ୟକ୍ରମ ହେଉଛି। ସରକାରୀ କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ସାମିଲ୍ କରିବା ପାଇଁ ପୂର୍ବତନ କର୍ପୋରେଟରମାନଙ୍କୁ ଲୋକ ଆଣିବାକୁ କୁହାଯାଉଛି। ସେମାନେ ଲୋକ ଆଣୁଥିବାରୁ ମଞ୍ଚରେ ବସିବାକୁ ଓ ଫଳକରେ ନାମ ଲେଖିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି। ଯାହା ନିକଟରେ ଦେଖିବାକୁ ମିଳିଛି। ଗତ ୧୧ତାରିଖରେ ବିଏମ୍‌ସି ପକ୍ଷରୁ ୱାର୍ଡ ୧୨ରେ ବର୍ଜ୍ୟ ପୃଥକୀକରଣ ନେଇ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ୱାର୍ଡ ୧୨ ଓ ୱାର୍ଡ ୧୭ରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ଓ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଥିବାରୁ ଏହି କାର୍ଯ୍ୟକ୍ରମରେ ଦୁଇଟି ୱାର୍ଡର ଲୋକ ସାମିଲ୍‌ ହୋ‌ଇଥିଲେ। ଏଥିରେ ବିଏମ୍‌ସିର ଅଧିକାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ହୋଇଥିବା ମଞ୍ଚରେ ବିଏମ୍‌ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟି, ନଗର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ମିଶ୍ର ପ୍ରମୁଖ ବସିଥିଲେ। ହେଲେ ମଞ୍ଚରେ ୱାର୍ଡ ୧୨ର ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ଏବଂ ୱାର୍ଡ ୧୭ର ପୂର୍ବତନ କର୍ପୋରେଟର ସୁସ୍ମିତା ଦାସ ବସିଥିଲେ। ଏହି ଦୁଇ ଜଣ ପୂର୍ବତନ କର୍ପୋରେଟର କାହିଁକି ଓ କିପରି ମଞ୍ଚରେ ବସିଲେ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ଉତ୍ତର ନାହିଁ। ପୂର୍ବତନ କର୍ପୋରେଟରଙ୍କୁ ପୂର୍ବତନ କର୍ପୋରେଟର ହିସାବରେ ସରକାରୀ କାର୍ଯ୍ୟକ୍ରମରେ ମଞ୍ଚରେ ବସାଇବା ବେଆଇନ ବୋଲି ଜାଣିବା ସତ୍ତ୍ବେ ବି ବିଏମ୍‌ସି ଅଧିକାରୀମାନେ ଏହାକୁ ପ୍ରଶ୍ରୟ ଦେଇଛନ୍ତି।

କେବଳ ଏତିକି ନୁହେଁ ଫେବ୍ରୁଆରି ୧୬ରେ ନୂଆପଲ୍ଲୀ ଅଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବାବେଳେ ଏଥିରେ ନୂଆପଲ୍ଲୀ ଅଞ୍ଚଳର ତିନିଜଣ ପୂର୍ବତନ କର୍ପୋରେଟର ସାମିଲ୍‌ ହୋଇଥିଲେ। ଏପରିକି ତିନି ଜଣ ପୂର୍ବତନ କର୍ପୋରେଟରଙ୍କ ନାମ ଶିଳାନ୍ୟାସ ଫଳକରେ ଲେଖାଯାଇଥିଲା।

ଫଳକରେ ଲେଖା ଯାଇଛି ଯେ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଠାରୁ ଏନ୍‌ଏଚ୍‌-୧୬, ନୂଆପଲ୍ଲୀ ଭାୟା ବା‌ଲୁଙ୍କେଶ୍ବର ମନ୍ଦିର ଠାରୁ ବେହେରା ସାହି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୨୦ଲକ୍ଷ ୪୦ହଜାର ଟଙ୍କା ଖର୍ଚ୍ଚ ଅଟକଳ କରିଛି। ଏହି ରାସ୍ତାର ଶିଳାନ୍ୟାସ ଭୁବନେଶ୍ବର ମଧ୍ୟ ବିଧା‌ୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କରିଥିଲେ। ହେଲେ ଏହି ଫଳକରେ ଯେଉଁ ତିନିଟି ନାମ ଲେଖା ହୋଇଛି ‌ତାହାକୁ ନେଇ କେଁ ଉଠିଛି। ସେଗୁଡ଼ିକ ହେଲା ୱାର୍ଡ ୩୭ର ପୂର୍ବତନ କର୍ପୋରେଟର ତଥା ବିଏମ୍‌ସିର ଯୋଜନା ଓ ଉନ୍ନୟନ କମିଟିର ପୂର୍ବତନ ଅଧ୍ୟକ୍ଷ ନବକିଶୋର ବେହେରା, ୱାର୍ଡ ୩୮ର ପୂର୍ବତନ କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ, ୱାର୍ଡ ୩୯ର ପୂର୍ବତନ କର୍ପୋରେଟର ପ୍ରତିଭା ସାମନ୍ତରାୟ। ଏହି ତିନି ଜଣଙ୍କ ନାଁ କାହିଁକି ଏହି ଫଳକରେ ଲେଖାଯାଇଛି ସେନେଇ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ପଚାରିଲେ ସେମାନେ ବି କିଛି କହିବାକୁ ନାରାଜ।

ଏଠାରେ ପ୍ରଶ୍ନ ଉଠୁଛି ପୂର୍ବତନ କର୍ପୋ‌ରେଟରଙ୍କୁ ପୂର୍ବତନ କର୍ପୋରେଟର ହିସାବରେ ସରକାରୀ କାର୍ଯ୍ୟକ୍ରମରେ ମଞ୍ଚରେ ବସାଇବା, ସେମାନଙ୍କ ନାମ ଫଳକରେ ଲେଖିବା ପଛରେ ଉଦ୍ଦେଶ୍ୟ କ’ଣ? କେବଳ ଏତିକି ନୁହେଁ। ବିଏମ୍‌ସି ପକ୍ଷରୁ ଚଳିତ ଥର ପ୍ରତିୱାର୍ଡ ପାଇଁ ୫୦ଲକ୍ଷ ଟଙ୍କାର ୱାର୍ଡ ବଜେଟ୍‌ ହୋଇଥିବାବେଳେ ଏଥିରେ ଯେଉଁ ସବୁ ପ୍ରକଳ୍ପ ହେବ ବୋଲି ତାଲିକା ହୋଇଛି ସେଗୁଡ଼ିକ ବି ବର୍ଷକ ତଳେ କାର୍ଯ୍ୟକାଳ ସରିଥିବା କର୍ପୋରେଟରଙ୍କ ଇଚ୍ଛା ଅନୁସାରେ ହୋଇଛି। ସେମାନେ ଯେଉଁଠି ଯାହା କରିବାକୁ ଚାହିଁଛନ୍ତି ସେହି ଅନୁଯାୟୀ ଯୋଜନା ଓ ଖର୍ଚ୍ଚ ଅଟକଳ ବି ପ୍ରସ୍ତୁତ ହୋଇଛି।

ଏପରିକି ୱାର୍ଡରେ କିଏ ଭତ୍ତା ପାଇବେ, କାହା ନାଁ ସାମିଲ୍‌ ହେବ, କାହାକୁ ସରକାରୀ ସହାୟତା ମିଳିବ ତାହା ବି ଏହି ପୂର୍ବତନ କର୍ପୋରେଟର ଇଙ୍ଗିତରେ ହେଉଛି। ବିରୋଧୀ ଗୋଷ୍ଠୀଙ୍କୁ କୋଣଠେସା କରିବାକୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଲାଗିପଡ଼ିଥିବାରୁ ୱାର୍ଡ ସ୍ତରରେ ଯେଉଁଭଳି ଉନ୍ନତିମୂଳକ କାର୍ଯ୍ୟ ହେବା କଥା ହୋଇପାରୁନି ବୋଲି ଅଭିଯୋଗ ଉଠିଲାଣି।

ସମ୍ବନ୍ଧିତ ଖବର