ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ୍ ବିକିବା ମହଙ୍ଗା ପଡ଼ିଲା, ଦୁଇଟି ଦୋକାନ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର=: ବିଏମ୍‌ସି ପକ୍ଷରୁ ରାଜଧାନୀରେ ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକ୍ ଓ ପଲିଥିନ୍ ବିକିବା ମହଙ୍ଗା ପଡ଼ିଛି। ୟୁନିଟ-୧ହାଟରେ କିଛି ବ୍ୟବସାୟୀ ବିଏମ୍‌ସି ନିୟମକୁ ଉଲ୍ଲଂଘନ କରି ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ୍ ବିକ୍ରି କରୁଥିବା ଯାଞ୍ଚ ସମୟରେ ଜଣାପଡ଼ିଛି। ତିନିଟି ଦୋକାନରେ ଏହି ସାମଗ୍ରୀ ବିକ୍ରି ହେଉଥିବାରୁ ପ୍ରତ୍ୟେକ ଦୋକାନୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିଲା। କିନ୍ତୁ ଜଣେ ଦୋକାନୀ ଜରିମାନା ଦେଇଥିବାବେଳେ ବାକି ଦୁଇ ଜଣ ଜରିମାନା ଦେଇନଥିଲେ। ତେଣୁ ଉକ୍ତ ଦୁଇଟି ଦୋକାନୁ ବିଏମ୍‌ସି ସିଲ୍‌ କରିଛି।

ମଙ୍ଗଳବାର ସଂଧ୍ୟାରେ ବିଏମ୍‌ସି ୟୁନିଟ-୧ ହାଟରେ ଚଢ଼ଉ କରିବା ସମୟରେ ୨୫କେଜିଆ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟାଗ୍ ୪୦ପ୍ୟାକେଟ୍‌ ମିଳିଥିଲା। ଯାହାର ଓଜନ ହଜାରେ କେଜି। ସେହିପରି ଥର୍ମୋକୁଲ୍‌ ଗ୍ଲାସ୍, ଗିନା, ପ୍ଲାଷ୍ଟିକ ଗ୍ଲାସ୍, ପ୍ଲାଷ୍ଟିକ ଚାମଚ ୧୦ ପ୍ୟାକେଟ୍ ମିଳିଥିଲା। ଯାହାର ଓଜନ ଥିଲା ୫୦୦ କେଜି। ବିଏମ୍‌ସି ପକ୍ଷରୁ ଚଢ଼ଉ ବେଳେ ବଜାର ସ୍ଥାନରୁ ଏକକାଳୀନ ୧.୫ଟନ୍ ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ୍ ଜବତ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଇଛି। କୋଭିଡ୍‌ ପାଇଁ ଏହି ଚଢ଼ଉ କିଛି ଦିନ ପାଇଁ ବନ୍ଦ ହୋଇଥିବାବେଳେ ଏବେ ଏହା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର