ବିଏମ୍‌ସିର ଚିନ୍ତା ବଢ଼ାଇଲାଣି ୧୦ ମୁଖ୍ୟ ଡ୍ରେନ୍‌

ଜମି ମାଲିକଙ୍କୁ ନୋଟିସ୍‌, ଡ୍ରେନ୍‌ ନିକଟ ଜମି ହସ୍ତାନ୍ତର କରିବାକୁ ଆହ୍ଵାନ

ଭୁବନେଶ୍ୱର: ଅସରାଏ ବର୍ଷାରେ ବିଗିଡ଼ି ଯାଉଛି ରାଜଧାନୀର ହାଲ୍‌। ଘର ଭିତରେ ପଶୁଛି ପାଣି। ଭାସୁଛି କାର୍‌। ଗତ କିଛି ବର୍ଷ ହେଲା ବର୍ଷା ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ବର୍ଷା ପାଣି ନିଷ୍କାସିତ ହେବାରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସହର ଭିତର ଦେଇ ଯାଇଥିବା ୧୦ଟି ମୁଖ୍ୟ ଡ୍ରେନ୍‌କୁ ନେଇ ଚିନ୍ତା ପ୍ରକଟ କରିଛି ବିଏମ୍‌ସି। ବିଜ୍ଞାପନ ଜରିଆରେ ୧୦ଟି ପ୍ରାକୃତିକ ଡ୍ରେନ୍‌ ନିକଟରେ ଥିବା ଘରୋଇ ଜମି ମାଲିକଙ୍କୁ ନୋଟିସ୍‌ କରାଯାଇଛି। ଉକ୍ତ ଡ୍ରେନ୍‌ର ପୂର୍ଣ୍ଣ ବିକାଶ ପାଇଁ ଜମି ମାଲିକମାନେ ସକ୍ରିୟ ଅଂଶଗ୍ରହଣ କରିବାକୁ ବିଏମ୍‌ସି ପକ୍ଷରୁ ଆହ୍ଵାନ ଦିଆଯାଇଛି। ଯଦି ଡ୍ରେନ୍‌ ନିକଟବର୍ତୀ ଜମି ଘରୋଇ ହୋଇଥାଏ, ତେବେ ବର୍ଷା ଜଳର ସୁପରିଚାଳନା ପାଇଁ ଜମି ମାଲିକ ନିଜ ଜମିକୁ ବିଏମ୍‌ସିକୁ ହସ୍ତାନ୍ତର କରିପାରିବେ। ଏଥିପାଇଁ ସେମାନଙ୍କୁ ଏକ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ପଡ଼ିବ। ଉକ୍ତ ଫର୍ମର୍ ଏବେ ବିଏମ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଆବଶ୍ୟକ ସ୍ଥଳେ କ୍ଷତି ପୂରଣ ଦିଆଯିବ ବୋଲି କୁହାଯାଇଛି।

ବିଜ୍ଞାପନ ଅନୁଯାୟୀ ବ୍ୟାପକ ବିକାଶ ଯୋଜନା (ସିଡିପି) ସୀମାରେ ଆସୁଥିବା ତଥା ଡ୍ରେନ୍‌ ଚାନେଲ ନିକଟରେ ରହିଥିବା ନିର୍ମାଣଗୁଡ଼ିକୁ ଆଉ ନିୟମିତ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଏଗୁଡ଼ିକୁ ଭଙ୍ଗାଯିବ। ଏହି ଅଞ୍ଚଳ ନୂଆ ନିର୍ମାଣ ଯୋଜନା ନକ୍‌ସାର ଅନୁମୋଦନ ମଧ୍ୟ କରାଯାଇ ନାହିଁ। ବିଏମ୍‌ସିର ଏକ ସ୍ୱତନ୍ତ୍ର ସର୍ବେକ୍ଷଣ ଆଧାରରେ ୧୦ଟି ମୁଖ୍ୟ ଡ୍ରେନ୍‌ ନବୀକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଫଳରେ ଜଳବନ୍ଦୀରୁ ସୁରକ୍ଷା ଏବଂ ବନ୍ୟାଜଳର ପ୍ରବାହକୁ ନିୟମିତ କରାଯାଇ ପାରିବ। ସିଡିପି-୨୦୩୦ ଅଧୀନରେ ୧୦ଟି ମୁଖ୍ୟ ପ୍ରାକୃତିକ ଡ୍ରେନେଜ୍‌ ଚାନେଲର ଯୋଜନା ପ୍ରସ୍ତୁତି ସରିଛି। ଏହା କେଉଁ ସବୁ ଜମି ଦେଇ ଯାଉଛି ତାହା ମଧ୍ୟ ସ୍ଥିର ହୋଇଛି। ତେବେ ସରକାରୀ ଜମିଗୁଡ଼ିକ ବ୍ୟତୀତ କେତେକ ଘରୋଇ ଜମି ରହିଛି। ଯେଉଁଠାରେ ଏହି ଡ୍ରେନେଜ୍‌ ଚାନେଲ ରହିଛି। ବିଜ୍ଞାପନ ଆଧାରରେ ଓଡ଼ିଶା ମୁନିସପାଲ୍‌ କର୍ପୋରେସନ୍‌ ଆଇନ ୨୦୦୩ର ଧାରା-୨୮୮ ଅନୁଯାୟୀ ଡ୍ରେନ ଚାନେଲ୍‌ ଯିବା ରାସ୍ତାରେ ଏହି ନିର୍ମାଣ ହେବ ଏବଂ କ୍ଷତିପୂରଣ ବିଏମ୍‌ସି କମିସନର୍‌ଙ୍କ ନିଷ୍ପତ୍ତି କ୍ରମେ ଦିଆଯିବ। ଏହି ସବୁ ପ୍ରାକୃତିକ ଡ୍ରେନ୍‌ ଚାନେଲ୍‌ ନିକଟରେ ରହୁଥିବା ଜମି ମାଲିକ ନିଜ ଜମିକୁ ବିଏମ୍‌ସିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ବିଏମ୍‌ସି ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଯୋଜନାରେ ଆସୁଥିବା ଜମି ମାଲିକମାନେ ନିଜ ଜମିକୁ ପ୍ରାକୃତିକ ଡ୍ରେନେଜ ଚାନେଲ ବିକାଶ ନିମନ୍ତେ ଜମି ହସ୍ତାନ୍ତର କରିବା ଦ୍ୱାରା ସେମାନେ ଦୁଇଟି ସୁବିଧା ପାଇବେ। କ୍ଷତିପୂରଣ ଓ ଜୀବନବ୍ୟାପୀ ସମସ୍ୟାର ସମାଧାନ। ଏହି ସୁଯୋଗ ନେବାକୁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ଆବେଦନ କରିବା ଦରକାର। ଯଦି କୌଣସି ଜମି ମାଲିକ ଏହି ସୁଯୋଗ ହାତ ଛଡ଼ା କରନ୍ତି, ତେବେ ନିଜ ଘର ବା ନିର୍ମାଣର ଅନୁମୋଦନ ଓ ନିୟମିତତା ଅନୁମୋଦନ ପାଇପାରିବେ ନାହିଁ। ବରଂ ଡ୍ରେନ୍‌ ନିକଟବର୍ତୀ ସମସ୍ତ ବେଆଇନ୍‌ ନିର୍ମାଣକୁ ଭବିଷ୍ୟତରେ ଭଙ୍ଗାଯିବ।

ସମ୍ବନ୍ଧିତ ଖବର