ବମିଖାଲ ଓଭରବ୍ରିଜ୍‌ ଜାନୁଆରିରେ ଖୋଲିବ ତ!

ଭୁବନେଶ୍ବର: ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି ଚଳିତ ମାସ ଶେଷ ସୁଦ୍ଧା ବମିଖାଲ ଓଭରବ୍ରିଜ୍‌ ସର୍ବସାଧାରଣଙ୍କ ପାଇଁ ଖୋଲିବ। କିନ୍ତୁ ବର୍ତ୍ତମାନ ଯେତିକି କାମ ବାକି ଅଛି ତାହାକୁ ଦେଖିଲେ କର୍ତ୍ତୃପକ୍ଷଙ୍କ ଏହି କଣ୍ଟ ବି ଫେଲ୍ ମାରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏବେ ବି ବମିଖାଲ ଓଭରବ୍ରିଜ୍‌ର ଏକାମ୍ର ଟକିଜ୍‌ ପାର୍ଶ୍ବ ମୁଖ୍ୟଡ୍ରେନ୍‌ ଉପରେ ନିର୍ମାଣ ହେଉଥିବା କଲଭର୍ଟ ‌କାମ ସରି ନାହିଁ। କଳ୍ପନା ଛକ ପାର୍ଶ୍ବ ଆପ୍ରୋଚ୍‌ ରାସ୍ତା କାମ ବି ଶେଷ ହୋଇନି। ବ୍ରିଜ୍‌ ଓ କଲଭର୍ଟକୁ ସଂଯୋଗ କରିବାକୁ ଥିବା ଅଞ୍ଚଳରେ ବି କାମ ହୋଇନି। ଏହି କାମ ଶେଷ ହେବା ପରେ ରାସ୍ତା ପିଚୁ ହେବ, ଓଭରବ୍ରିଜ୍‌ ରଙ୍ଗ ଦିଆଯିବ, କଟକରୋଡ୍‌ ପାର୍ଶ୍ବରେ ଓଭରବ୍ରିଜ୍‌ ଯେଉଁଠି ଆରମ୍ଭ ହୋଇଛି ସେଠାରେ ଉଭୟପାର୍ଶ୍ବ‌ରୁ ବ୍ରିଜ୍‌ ଉପରକୁ ଗାଡ଼ି ଯାତାୟାତ କରିବା ପାଇଁ ରାସ୍ତା ପ୍ରଶସ୍ତ ହେବ, ଓଭରବ୍ରିଜ୍‌ ଉପରେ ଆଲୋକୀକରଣ ହେବ। ଏତେ ସବୁ କାମ ବାକି ଥିବାବେଳେ କର୍ତ୍ତୃପକ୍ଷ କହୁଛନ୍ତି ଆଉ ୨୦ଦିନରେ କାମ ସରିଯିବ। ୬ବର୍ଷ ହେଲା ନିର୍ମାଣ ହେଉଥିବା ଏହି ଓଭରବ୍ରିଜ୍‌ ପାଇଁ କର୍ତ୍ତୃପକ୍ଷ ବାରମ୍ବାର କଣ୍ଟ ଗଡ଼ାଇ ଚାଲୁଥିବାବେଳେ ଏବେ ଜାନୁଆରି ଶେଷ ସୁଦ୍ଧା ଏହି ଓଭରବ୍ରିଜ୍‌ ଖୋଲିବା ନେଇ ଯେଉଁ ଦମ୍ଭ ଦେଖାଉଛନ୍ତି ତାହାକୁ କେ‌େତଦୂର ପୂରଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।
ଅପରପକ୍ଷେ ଏହି ଓଭରବ୍ରିଜ୍‌ ଖୋଲିବା ଯେତେ ଯେତେ ବିଳମ୍ବ ହେଉଛି କଟକରୋଡ୍ ସ୍ଥିତି ସେତେ ଅସମ୍ଭାଳ ହେଉଛି। ଏସପ୍ଲାନେଡ୍ ମଲ୍‌ ଖୋଲିବା ପରେ ରସୁଲଗଡ଼ ଓ ବମିଖାଲ ମଧ୍ୟରେ ଯାତାୟାତ କରିବା ଏବେ ଏକରକମ ଯନ୍ତ୍ରଣାଦାୟକ ହୋଇପଡ଼ିଛି।

ବମିଖାଲ ପାର୍ଶ୍ବ ପାଇଁ ଲାଗିଗଲାଣି ୨ ବର୍ଷ
ସହିଦନଗର ଲେଭେଲ୍ କ୍ରସିଂ ହଟାଇବା, କଟକ-ପୁରୀ ଜାତୀୟ ରାଜପଥର ଭିଡ଼ କମାଇବା, ରସୁଲଗଡ଼-ସହିଦନଗରକୁ ସଂଯୋଗ କରିବା ପାଇଁ ୨୦୧୨-୧୩ରେ ଏହି ଓଭରବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ୨୦୧୫ବେଳକୁ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିବାବେଳେ ଓଭରବ୍ରିଜ୍ ଡିଜାଇନ୍ ପରିବର୍ତ୍ତନ ହେଲା। ଓଭରବ୍ରିଜ୍‌ ବମିଖାଲ ପାର୍ଶ୍ବକୁ ବଢ଼ିଲା। ଏହାର କାମ ୨୦୧୬ରେ ଆରମ୍ଭ ହେଲା। ୨ବର୍ଷ ହେଲା ଏହା କାମ ଚାଲିଥିଲେ ହେଁ ସରୁନି।

ଉଠିଲାଣି ବରଗଛ, ଗଡ଼ୁଛି ମଦ ବୋତଲ
ଓଭରବ୍ରିଜ୍‌ କାମ ବିଳମ୍ବିତ ହେଉଥିବା ବେଳେ ନିର୍ମାଣ ସରିଥିବା‌ ଅଂଶ ବିକୃତ ହେବାରେ ଲାଗିଛି। ବ୍ରିଜ୍‌ର ସହିଦ ନଗର ପାର୍ଶ୍ବରେ ବିଭିନ୍ନ ସ୍ଥାନରେ ବର ଓ ଓସ୍ତ ଗଛ ଉଠିଥିବାବେଳେ ଏହାକୁ କଟାଯାଉନି। ଯାହା ଆଉ କିଛିଦିନ ପରେ ଓଭରବ୍ରିଜ୍‌କୁ ଫଟାଇ ଦୁର୍ବଳ କରିଦେବାର ଆଶଙ୍କା ଦେଖା ଦେଇଛି। ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ଏହି ଓଭରବ୍ରିଜ୍‌ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନ ରାତି ଏହା ଉପରେ ବସି ମଦ ଏବଂ ନିଶାଦ୍ରବ୍ୟ ସେବନ କରୁଥିବା ଦେଖାଯାଉଛି। ପୁଲିସ ପାଟ୍ରୋଲିଂ ଟିମ୍‌ର ନଜର ଓଭରବ୍ରିଜ୍‌ ଉପରେ ରହୁ ନଥିବାରୁ ଏହା ଏବେ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଯାଇଛି। ବ୍ରିଜ୍‌ ଉପ‌େର ଖାଲି ମଦ ବୋତଲ ଗଡ଼ୁଥିବା ବେଳେ ଓ ଭଙ୍ଗା କାଚ ଏଣେତେଣେ ବିଛେଇ ହୋଇ ପଡ଼ିଛି।

କାମ ସରିବାକୁ ୨୦ ଦିନ ସମୟ ଲାଗିବ
ସମସ୍ତ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। କଳ୍ପନା ରୋଡ୍‌ ଆପ୍ରୋଚ୍‌ ରାସ୍ତା କାମ ଚାଲିଛି। ଏକାମ୍ର ଟକିଜ୍‌ ସାମ୍ନା ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିବା ବାକି ଅଛି। ଏତିକି କାମକୁ ଆଉ ମାତ୍ର ୨୦ ଦିନ ସମୟ ଲାଗିବ। ଏହି କାମ ସରିବା ପରେ ଏହାକୁ ପରୀକ୍ଷ‌ାମୂଳକ ଭାବେ ଖୋଲାଯିବ। ସବୁ ଠିକ୍‌ଠାକ୍ ରହିଲେ ଏହା ସର୍ବସାଧାରଣଙ୍କ ଯାତାୟାତ ପାଇଁ ଖୋଲି ଦିଆଯିବ।
ପ୍ରମୋଦ ନାୟକ
ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ବର ଡିଭିଜନ୍‌-୪, ପୂର୍ତ୍ତ ବିଭାଗ

ସମ୍ବନ୍ଧିତ ଖବର