କାର୍ଯ୍ୟକାରୀ ହେବ ବୁଦ୍ଧ ପାର୍କ ସ୍କେଟିଂ ଟ୍ରାକ୍‌

‘ସମ୍ବାଦ’ ପ୍ରଭାବ

ଚନ୍ଦ୍ରଶେଖରପୁର : ଦୀର୍ଘ ଦିନର ଅପେକ୍ଷା ପରେ ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ପାର୍କରେ ନିର୍ମିତ ସ୍କେଟିଂ ଟ୍ରାକ୍‌ ଉଦ୍‌ଘାଟିତ ହେବାକୁ ଯାଉଛି। ଏହି ନୂତନ ସ୍କେଟିଂ ରିଙ୍ଗ୍‌ରେ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏସନ୍‌ ଓ ବିଡିଏ ପକ୍ଷରୁ ମିଳିତ ଭାବରେ ନବମ ଓଡ଼ିଶା ରାଜ୍ୟ ରୋଲର ସ୍କେଟିଂ ଚାମ୍ପିଅନସିପ୍‌ ରବିବାର ଦିନ ଉଦ୍‌ଘାଟିତ ହେବ। ଏହି ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ସହିତ ୨୦,୦୦୦ ବର୍ଗ ଫୁଟ୍‌ ପରିମିତ ଅଞ୍ଚଳରେ ୧୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ରାଜ୍ୟର ଏହି ପ୍ରଥମ ସ୍କେଟିଂ ଟ୍ରାକ୍‌ ଉଦ୍‌ଘାଟିତ ହେବ। ପ୍ରାୟ ୩୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍କେଟିଂ ଟ୍ରାକ୍‌ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଓ କାର୍ଯ୍ୟକାରୀ କରିବା ନେଇ ‘ସମ୍ବାଦ’ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତମାନ ରାଜଧାନୀରେ ସ୍କେଟିଂକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ସୁକତାକୁ ଲକ୍ଷ୍ୟ କରି ବୁଦ୍ଧ ପାର୍କ ସ୍କେଟିଂ ଟ୍ରାକକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା। ଏ ନେଇ ପ୍ରଥମେ ଶିଥିଳତା ପ୍ରଦର୍ଶନ କରୁଥିବା ବିଡିଏ ପରେ ଉପଯୁକ୍ତ ପଦକ୍ଷେପ ନେଇଥିଲା। ରବିବାର ଦିନ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଊର୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା ସ୍କେଟିଂ ଏକାଡେମିକୁ ଏହାର ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସଂସ୍ଥା ସ୍କେଟିଂ ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ ବିନା ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଏକ ଘରୋଇ ସଂସ୍ଥାକୁ ବୁଦ୍ଧ ପାର୍କ ସ୍କେଟିଂ ଟ୍ରାକ୍‌ର ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ଛାତ୍ରଛାତ୍ରୀମାନେ ତାଲିମ ନିମନ୍ତେ କିଭଳି ଶୁଳ୍କ ପ୍ରଦାନ କରିବେ ସେନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଦାନ କରାଯାଇନାହିଁ।

ସମ୍ବନ୍ଧିତ ଖବର