କ୍ୟାପିଟାଲ ହସ୍ପିଟାଲରେ ଏନଏଚ୍‌ଏମ୍‌ ନିର୍ଦେଶକ

ବିଭିନ୍ନ ୱାର୍ଡ ବୁଲିଲେ, ବୃକ୍ଷରୋପଣ କଲେ ୟୁନିଟ୍‌-୩ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ବୁଲିଲେ

ଭୁବନେଶ୍ବର: ଜାତୀୟ ସ୍ବାସ୍ଥ୍ୟ ମିସନ୍‌ (ଏନଏଚଏମ)ର ନିର୍ଦେଶକ ମନୋଜ କୁମାର ଝାଲାନିଙ୍କ ସମେତ ପ୍ରତିନିଧି ଦଳ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ସଂପର୍କରେ ଆଲୋଚନା କରିଛନ୍ତି। ଗତକାଲି ଏହି ପ୍ରତିନିଧି ଦଳ ପୁରୀ ଜିଲ୍ଲା ଗସ୍ତ କରିବା ସହ ସେଠାରେ ସ୍ବାସ୍ଥ୍ୟସେବା ସଂପର୍କରେ ତଦାରଖ କରିଥିଲେ। ଆଜି ଅପରାହ୍‌ଣରେ ଶ୍ରୀ ଝାଲାନିଙ୍କ ସମେତ ଅନ୍ୟ ଜଣେ ଡାକ୍ତର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହସ୍ପିଟାଲର ଆଇସିୟୁ, ଏସ୍‌ଏନ୍‌ସିୟୁ, ଶିଶୁ ୱାର୍ଡ, ଆରବିଏସ୍‌କେ କାର୍ଯ୍ୟକ୍ରମ, ସିଟି ସ୍କାନ୍ ଓ ଅନ୍ୟାନ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ, ବହିର୍ବିଭାଗ କିଭଳି କାର୍ଯ୍ୟ କରୁଛି, ମାସକୁ କେତେ ରୋଗୀ ବହିର୍ବିଭାଗକୁ ଆସୁଛନ୍ତି, ଓଆରଏସ୍‌ କର୍ଣ୍ଣର, ଔଷଧ ଷ୍ଟକ୍, ଟିକାକରଣ ପାଇଁ କୋଲ୍‌ଡ ଚେନ୍ ବ୍ୟବସ୍ଥା ଠିକ୍‌ରେ ଗ୍ରହଣ କରାଯାଉଛି କି ନାହିଁ, ସେ ସବୁ ସଂପର୍କରେ ପଚାରି ବୁଝିଥିଲେ। ପରେ ହସ୍ପିଟାଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ କ୍ୟାପିଟାଲ ହସ୍ପିଟାଲରେ ବିତାଇବା ପରେ ଏହି ପ୍ରତିନିଧି ଦଳ ୟୁନିଟ୍‌-୩ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ଠିକ୍‌ ଢଙ୍ଗରେ ବାଇଓ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ହେଉଛି ନି ନାହିଁ, ବହିର୍ବିଭାଗରେ ରୋଗୀ ସେବା ଓ ଅନ୍ୟାନ୍ୟ ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ।

ଅପରପକ୍ଷରେ ଏହି ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲକୁ ଆସିବା ପୂର୍ବରୁ ହସ୍ପିଟାଲକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ କର୍ତୃପକ୍ଷ ଆଜି ସଫେଇ କାମ ଆରମ୍ଭ କରିଥିଲେ। କଫି ହାଉସ ନିକଟରେ ଥିବା ବଗିଚାକୁ ସଫା କରାଯିବା ସହ ଅନ୍ୟାନ୍ୟ ସ୍ଥାନରେ ପଡ଼ି ରହିଥିବା ଅଳିଆ ଅବର୍ଜନାକୁ ହଟାଯାଇଥିଲା। ତେବେ ଏନ୍‌ଏଚ୍‌ଏମ୍‌ ନିର୍ଦେଶକଙ୍କ ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କ’ଣ ଆଲୋଚନା ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଏହି ପ୍ରତିନିଧି ଦଳ ସହ ରାଜ୍ୟ ମିସନ୍ ନିର୍ଦେଶକ ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର